ଭୁବନେଶ୍ୱର: ମୁଁ ବଲିଉଡ୍ରେ ନିର୍ଦ୍ଦେଶକ ଅଛି । ଅନେକ ସିନେମା କରିଛି । ଶହ ଶହ ସୁନ୍ଦରୀ ଯୁବତୀଙ୍କୁ ହିରୋଇନ କରାଇବା ସହ ମଡେଲିଂ କରିବାକୁ ମଧ୍ୟ ସୁଯୋଗ ଦେଇଛି । ତୁମେ ମଡେଲିଂ କରିବ କି ? ଏହିଭଳି ମିଠା ମିଠା କଥା କହି ଏୟାରଫିଲ୍ଡ ଥାନା ଭିମଟାଙ୍ଗିର ଜଣେ ଯୁବତୀଙ୍କଠାରୁ ୧ଲକ୍ଷ ୮୦ ହଜାର ଟଙ୍କା ଠକି ନେଇ ଚମ୍ପଟ ମାରିଥିଲା ଜଣେ ଯୁବକ । ଠକେଇର ଶୀକାର ହୋଇଥିବା ଯୁବତୀ ଜଣଙ୍କ ଶେଷରେ ନିରାଶ ହୋଇ ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଘଟଣାର ତଦନ୍ତ କରିବା ସହ ଏନେଇ ଯୁବତୀ ଜଣକ ଗଣମାଧ୍ୟମରେ ତାଙ୍କ ନାମ ପ୍ରକାଶ ନ କରିବାକୁ ଅନୁରୋଧ ମଧ୍ୟ କରିଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି । ସୂଚନାଅନୁଯାୟୀ, କଟକର ଜଣେ ଯୁବକ ନୟାପଲ୍ଲୀରେ ରୁହନ୍ତି । ସେ ନିଜକୁ ବଲିଉଡର ଜଣେ ନିର୍ଦ୍ଦେଶକ ପରିଚୟ ଦେଇ ସମ୍ପୃକ୍ତ ଯୁବତୀଙ୍କୁ ମଡେଲିଂ କରିବାକୁ କହିଥିଲେ । ପରେ ତାଙ୍କ ଠାରୁ ଟଙ୍କା ନେବା ପରେ ଚମ୍ପଟ ମାରିଥିଲେ । ପରେ ଆଉ ଧରାଛୁଆଁ ଦେଇନଥିଲେ । ଶେଷରେ ନିରାଶ ହୋଇ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।