ବରଗଡ଼: ବିବାହ ପାଇଁ ଝିଅ ଘରେ ଜାକଜକମର ସହ ପହଞ୍ଚିଥିଲା ବର । ହେଲେ ହାତଗଣ୍ଠି ପୂର୍ବରୁ ହାତରେ ପଡ଼ିଲା ହାତକଡି଼ । ବାହା ବେଦିରେ ବସିବା ପୂର୍ବରୁ ଧୋକେବାଜ ବରକୁ କାବୁ କଲା ଭୁବନେଶ୍ୱରର କମିଶନରେଟ ମହିଳା ପୋଲିସ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ଭଟଲି ଥାନା ବେହେରାପାଲି ଗାଆଁରେ । ଜଣେ ଯୁବତୀଙ୍କୁ ଧୋକା ଦେଇ ଅନ୍ୟ ଏକ ଜାଗାରେ ବିବାହ କରୁଥିବାରୁ ଉକ୍ତ ଯୁବକକୁ ବାନ୍ଧିଲା ପୋଲିସ । ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ପାଣି ଗେଙ୍ଗୁଟିଆ ଗାଁରୁ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ବେହେରାପାଲି ଗ୍ରାମକୁ ଆସିଥିଲେ ବରାତ । ଖୁବ୍ ଜାକ ଜକମରେ ଶେଷ ହୋଇଥିଲା ବରାତ ଆଉ ବାଟ ବରଣ ଠିକ୍ ସରିଛି କି ନାଇ ବିବାହ ସ୍ଥଳରେ ପହଞ୍ଚିଲା ପୋଲିସ ।
ଭୁବନେଶ୍ୱର କମିଶନରେଟ ମହିଳା ପୋଲିସ ସବ ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ଆଉ ତାଙ୍କ ସହ ଥିଲେ ଭଟଲି ଥାନା ସବ ଇନ୍ସପେକ୍ଟର ପଦ୍ମାବତୀ ମିର୍ଦ୍ଧା । ପୋଲିସ କହିଥିଲା ବର ଅଜିତ ଭୋଇକୁ ଗିରଫ କରିବାକୁ ଆସିଛୁ । ଏସବୁ ଦେଖି କିଛି ସମୟ ଆଗରୁ ବ୍ୟାଣ୍ଡ ବାଜାରେ ଗର୍ଜି ଉଠୁଥିବା ଛୋଟିଆ ଗାଁ ପୁରା ସ୍ତବ୍ଧ ହୋଇଯାଇଥିଲା । ବିଗତ ୨ ବର୍ଷ ହେବ ଭୁବନେଶ୍ୱରର ଜଣେ ଯୁବତୀଙ୍କୁ ବାହା ହେବି କହି ଠକି ଚାଲିଥିଲେ ଏବଂ କିଛି ଦିନ ଆଗରୁ ଯୁବତୀ ଜଣକ ପ୍ରେମିକ ଅଜିତ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ସହ ବହୁତ ଥର ଶାରୀରିକ ସମ୍ପର୍କ ରଖି ଶେଷରେ ଠକି ଦେଇ ଅନ୍ୟ ଜାଗାରେ ବାହା ହେଉଥିଲେ ଅଜିତ । ବରଗଡ଼ ଏସପି ପି. ମୀନାଙ୍କ ନିର୍ଦ୍ଦେଶରେ ଭଟଲି ଥାନା ଷ୍ଟାଫଙ୍କ ମିଳିତ ସହଯୋଗରେ ଏହି ଚଢାଉ ହୋଇଥିଲା ।
ତେବେ କିଛି ସମୟର ଉତ୍ତେଜନା ପରେ ଗାଁ ଲୋକେ ଆଉ ବରଯାତ୍ରୀରେ ଆସିଥିବା ଲୋକଙ୍କୁ ବୁଝାଇବାରେ ସଫଳ ହୋଇଥିଲା ପୋଲିସ ଏବଂ ପରେ ଲୋକେ ଧୋକାବାଜ୍ ବରକୁ ଛାଡ଼ି ଦେଇଥିଲେ । ଜଣେ ଯୁବତୀଙ୍କ ଜୀବନ ସହ ଖେଳି ସାରିବା ପରେ ପୁଣି ଜଣକ ଜୀବନ ନଷ୍ଟ କରିବା ଆଗରୁ ପୋଲିସର ଏପରି ପଦକ୍ଷେପକୁ ସ୍ଥାନୀୟ ଲୋକେ ଖୁବ ପ୍ରଶଂସା କରିଛନ୍ତି । ଅଭିଯୁକ୍ତ ଅଜିତ ବରଗଡ଼ରୁ ଭୁବନେଶ୍ୱର ନିଆଯାଇଥିଲା ଏବଂ ବାଟ ବରଣ ସମୟରେ ବରକୁ ଗୋଟେ ସୁନା ଚେନ୍ , ମୁଦି, ହାତ ଘଣ୍ଟା ପୋଲିସ ଜବତ କରିଥିଲା । ଯାହାକୁ ଆଜି ସକାଳେ ଝିଅ ପକ୍ଷର ଲୋକଙ୍କୁ ବରଗଡ଼ ଥାନାରେ ହସ୍ତାନ୍ତର କରାଯାଇଛି । ବରକୁ ଯୌତୁକ ଦେବା ପାଇଁ ଏକ ଦାମୀ କାର କିଣିବା ସହ ବହୁ ଜିନିଷ ଦେବା ପାଇଁ କିଣିଥିଲେ କନ୍ୟା ଘର ।