ନୂଆଦିଲ୍ଲୀ : ମତ୍ସ୍ୟ କ୍ଷେତ୍ର ପାଇଁ ନୂତନ ଯୋଜନାକୁ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର (ସିସିଇଏ) ଅନୁମୋଦନ କରିଛି । ଏହାର ନାମ ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ୍ ସମ୍ବୃଦ୍ଧି ସହ-ଯୋଜନା (ପିଏମ୍-ଏମ୍କେଏସ୍ଏସୱାଇ) ରଖାଯାଇଛି । ଏହି ଯୋଜନା ଅଧୀନରେ ମତ୍ସ୍ୟଚାଷ କରୁଥିବା ଚାଷୀଙ୍କୁ, ଏକ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କୁ ଏବଂ ମତ୍ସ୍ୟଜୀବୀମାନଙ୍କୁ ଶସ୍ତାରେ ଋଣ ଯୋଗାଇ ଦିଆଯିବ । ଏହି କ୍ଷେତ୍ରର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏଭଳି ଏକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏତଦ୍ବ୍ୟତୀତ ଏହି ଯୋଜନା ଦ୍ୱାରା ଦେଶର କୋଟି କୋଟି ମତ୍ସ୍ୟଜୀବୀ, ଚାଷୀ ଲାଭବାନ ହୋଇପାରିବେ ବୋଲି କୁହାଯାଉଛି ।
ପ୍ରକାଶ, ଅସଂଗଠିତ ମତ୍ସ୍ୟ କ୍ଷେତ୍ରକୁ ଆନୁଷ୍ଠାନିକ କରିବା ପାଇଁ ଏବଂ ଏହି କ୍ଷେତ୍ରରେ ଏମ୍ଏସ୍ଏମ୍ଇମାନଙ୍କୁ ଆନୁଷ୍ଠାନିକ ସ୍ତରରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସରକାର ଏପ୍ରକାର ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି । ୬୦୦୦ କୋଟି ଟଙ୍କା ଆବଣ୍ଟିତ ଏହି ଯୋଜନାରେ ଜଳକୃଷି ବୀମାକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ସହାୟକ ହେବ । ମତ୍ସ୍ୟ ବିଭାଗରେ ସହଜ ଋଣ ପାଇବା ଦ୍ୱାରା ଏଠାରେ କାର୍ଯ୍ୟ କରୁଥିବା ଲୋକମାନେ ସରକାରଙ୍କ ଠାରୁ ଆର୍ଥିକ ସହାୟତା ପାଇପାରିବେ । ଏତଦ୍ବ୍ୟତୀତ ଏହି କ୍ଷେତ୍ରରେ ୧.୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଯାହାଦ୍ୱାରା ବେରୋଜଗାରଙ୍କୁ ନିଯୁକ୍ତି ମିଳିପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।