ଗୁଣ୍ଟୁର: ଦେଶର ୧୮ତମ ଲୋକସଭା ଗଠନ ସହ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ ସମାରୋହ ପାଇଁ ଏବେ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି । ଅନ୍ୟପକ୍ଷେ ଏନ୍ଡିଏ ମେଣ୍ଟର ସଦସ୍ୟ ଦଳ ଭାବେ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି), ଜେଡିୟୁ, ଜେଡିଏସ୍, ଏଲଜେପି ଭଳି ଦଳ ନିଜ ଦାବି ମେଣ୍ଟ କାର୍ଯ୍ୟକର୍ତ୍ତାଙ୍କ ସମ୍ମୁଖରେ ରଖିସାରିଛନ୍ତି, ଯାହାକି ବିଜେପି ନେତାଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ପ୍ରତି ୪ ସାଂସଦରେ ଏକ କ୍ୟାବିନେଟ୍ ମନ୍ତ୍ରୀ ପଦ ଫର୍ମୁଲା ଆଧାରରେ ଏନ୍ଡିଏ ସଦସ୍ୟ ଦଳଙ୍କ ଦାବି ପାଇଁ ଏବେ ବିଜେପି ପକ୍ଷରୁ ମାରାଥନ୍ ଅଙ୍କକଷା ଜାରି ରହିଛି । ଗୋଟିଏ ପଟେ ବିଜେପି, ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପଦ ସହ ଲୋକସଭା ବାଚସ୍ପତି ପଦ ନିଜ ପାଖରେ ରଖିବାକୁ ଚାହୁଁଥିବା ବେଳେ ଏନ୍ଡିଏର ସଦସ୍ୟ ଦଳଗୁୂଡ଼ିକ କିନ୍ତୁ ଏହା ବିପରୀତ ଦାବି କରୁଛନ୍ତି । ସୁତରାଂ ଏବେ ମନ୍ତ୍ରୀ ପଦକୁ ନେଇ ଏନ୍ଡିଏ ଭିତରେ ସାମାନ୍ୟ ଟଣାଓଟରା ଜାରି ରହିଛି ବୋଲି କୁହାଯାଇପାରେ । ଏସବୁ ମଧ୍ୟରେ ଟିଡିପି ସୁପ୍ରିମୋ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଆଜି ଏକ ବଡ଼ ଘୋଷଣା ତଥା ବିବୃତି ଦେଇଥିବା ଦେଖିବାକୁ ମିଳିଛି । ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ମୁସଲମାନଙ୍କ ପାଇଁ ସଂରକ୍ଷଣ କୋଟା ହଟାଯିବ ନେଇ ବିଜେପି ପକ୍ଷରୁ ଯେଉଁ ବ୍ୟବସ୍ଥା ଗ୍ରହଣ କରାଯାଉଛି ସେଥିରେ ଟିଡିପି ଏକମତ ନୁହେଁ । ଏହି ସଂରକ୍ଷଣ ବ୍ୟବସ୍ଥା ନିରଙ୍କୁଶ ଭାବେ ଜାରି ରହିବ । ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନଥିବାରୁ ବିଜେପି ଏକାକୀ ଏହି ବ୍ୟବସ୍ଥାକୁ ପ୍ରତ୍ୟାହାର କରିପାରିବ ନାହିଁ ବା ହଟାଇପାରିବ ନାହିଁ ।
ପ୍ରକାଶ, ନିର୍ବାଚନ ପ୍ରଚାର ସମୟରେ ବିଜେପି ନେତାମାନେ ସମ୍ବିଧାନ ଆଳରେ ମୁସଲିମ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରିଥିଲେ । ଧର୍ମ ଭିତ୍ତିକ ସଂରକ୍ଷଣକୁ ଅସାମ୍ବିଧାନିକ ବୋଲି କହିଥିଲେ ଏବଂ ଏହାକୁ ଶେଷ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ବିଜେପି କେନ୍ଦ୍ରରେ ସଂଖ୍ୟା ଗରିଷ୍ଠ ଦଳ ନଥିବାରୁ ସହଯୋଗୀ ଦଳଙ୍କ ଉପରେ ଏବେ ଏହି ପ୍ରସଙ୍ଗ ନିର୍ଭର କରୁଛି । ଏହି ପ୍ରସଙ୍ଗରେ ଟିଡିପିର ମତ ବିଜେପିର ମତଠାରୁ ଭିନ୍ନ ରହିଛି । ଚନ୍ଦ୍ରବାବୁଙ୍କ ପରେ ପରେ ଏନ୍ଡିଏ ବୈଠକ ପୂର୍ବରୁ ଟିଡିପି ନେତା କେ ରବିନ୍ଦ୍ର କୁମାର କହିଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ମୁସଲିମ ସଂରକ୍ଷଣ ଜାରି ରହିବ, ଏଥିରେ କୌଣସି ଅସୁବିଧା ନାହିଁ । ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ ସମାରୋହ ଶେଷ ହେବା ପରେ ପରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।