27.1 C
Bhubaneswar
Friday, November 22, 2024
Homeଓଡିଶାମହିଳା ଓ ଶିଶୁ ବିକାଶ ବିଭାଗ ବିଜ୍ଞପ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ମହିଳା ଓ ଶିଶୁ ବିକାଶ ବିଭାଗ ବିଜ୍ଞପ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

କଟକ: ରାଜ୍ୟ ମହିଳା କମିସନ ସଦସ୍ୟଙ୍କୁ ସରକାର ବରଖାସ୍ତ କରିବା ବିରୋଧରେ ବବିତା ସ୍ୱାଇଁ, ସ୍ୱର୍ଣ୍ଣଲତା ସାମଲ ଓ ଅନ୍ୟ ସଦସ୍ୟ ହାଇକୋର୍ଟରେ ପୃଥକ ଭାବେ ମାମଲା ଦାୟର କରିଛନ୍ତି। ୨୦୨୪ ମସିହା ନଭେମ୍ବର ୯ତାରିଖରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସଦସ୍ୟଙ୍କୁ ବରଖାସ୍ତ ନେଇ ପ୍ରକାଶ କରାଯାଇଥିବା ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ସବୁ ମାମଲା ରୁଜୁ ହୋଇଛି। ସମସ୍ତ ମାମଲାରେ ନଭେମ୍ବର ୯ର ବିଜ୍ଞପ୍ତି ବେଆଇନ ବୋଲି ଦର୍ଶାଯିବା ସହିତ ଏହାକୁ ରଦ୍ଦ କରିବାକୁ ନିବେଦନ କରାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ ଆବେଦନକାରୀଙ୍କୁ ମହିଳା କମିସନ ସଦସ୍ୟ ଭାବେ ୨୦୨୩ ଏପ୍ରିଲ ୨୮ରେ ନିଯୁକ୍ତି ଦିଆଯାଇଥିଲା। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ସଦସ୍ୟଙ୍କ କାର୍ଯ୍ୟକାଳ ୩ ବର୍ଷ ବୋଲି ସ୍ପଷ୍ଟ କରାଯାଇଥିଲା। ୨୦୨୨ ମାର୍ଚ୍ଚ ୩୧ରେ ମହିଳା କମିସନଙ୍କ ନିକଟରେ ୫୦୧୭ ବିଚାରାଧୀନ ମାମଲା ରହିଥିଲା। ଦୁଇ ବର୍ଷ ଭିତରେ ୪୧୯୭ ନୂଆ ମାମଲା ରୁଜୁ ହୋଇଥିବା ବେଳେ କମିସନ ୬୪୦୫ଟି ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ୨୭୫୯ଟି ବିଚାରାଧୀନ ମାମଲା ରହିଥିଲା। ମହିଳା କମିସନ ସଦସ୍ୟ ଭାବେ କାର୍ଯ୍ୟକାଳ ଭିତରେ ଆବେଦନକାରୀ ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ସଚେତନତା କାର୍ଯ୍ୟକ୍ରମ, ତାଲିମ ଶିବିର, ସେମିନାର, ୱାର୍କସପ, ଜେଲ, ଡାକ୍ତରଖାନା ପରିଦର୍ଶନ ଭଳି ବିଭିନ୍ନ କାର୍ଯ୍ୟ ସଂପାଦନ କରିଥିଲେ। ଏଭଳି ସ୍ଥିତି ଲାଗି ରହିଥିବା ବେଳେ ୨୦୨୪ ଅକ୍ଟୋବର ୨୮ରେ ମହିଳା ଓ ଶିଶୁବିକାଶ ବିଭାଗ ତରଫରୁ ଆବେଦନକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ମାମଲା ଫଏସଲା ଓ କ୍ୟାମ୍ପ କୋର୍ଟ ଆୟୋଜନ କ୍ଷେତ୍ରରେ ପ୍ରଦର୍ଶନ ସନ୍ତୋଷଜନକ ନଥିବା ନୋଟିସ୍‌ରେ ଉଲ୍ଲେଖ କରାଯାଇଥିଲା। ୨୯ ତାରିଖରେ ଆବେଦନକାରୀ ଏହାର ଉତ୍ତର ରଖି ଏ ସଂପର୍କିତ ନଥିପତ୍ର ପ୍ରଦାନ ପାଇଁ ଅନୁରୋଧ କରିଥିବା ବେଳେ ପୁଣି ସେହିଦିନ ଆଉ ଏକ କାରଣ ଦର୍ଶାଅ ନୋଟିସ ମହିଳା ଓ ଶିଶୁ ବିକାଶ ବିଭାଗ ଜାରି କରିଥିଲା। ନଭେମ୍ବର ୧ରେ ଆେବେଦନକାରୀ ଉତ୍ତର ଦାଖଲ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନଭେମ୍ବର ୯ରେ ଆବେଦନକାରୀ ସଦସ୍ୟଙ୍କ ବରଖାସ୍ତ ନେଇ ମହିଳା ଓ ଶିଶୁବିକାଶ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା। ପକ୍ଷ ରଖିବାକୁ ସୁଯୋଗ ନ ଦେଇ ବରଖାସ୍ତ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ଏହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇ ଏହାକୁ ରଦ୍ଦ କରାଯିବା ସହିତ ପୁଣି ଆବେଦନକାରୀଙ୍କୁ ଅବସ୍ଥାପିତ କରାଯାଉ ବୋଲି ପିଟିସନ୍‌ରେ ଉଲ୍ଲେଖ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking