ମୁମ୍ବାଇ: ଚଳିତ ଆଇପିଏଲ୍ରେ ଲେଗ୍ସ୍ପିନର୍ ୟୁଜବେନ୍ଦ୍ର ଚହଲ୍ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି । ତେବେ ଏହି ଖେଳାଳି ଜଣକ ୨୦୧୩ରେ ତାଙ୍କ ସହ ଘଟିଥିବା ଏକ ଲୋମଟାଙ୍କୁରା ଘଟଣା ନେଇ ଅବତାରଣା କରିଛନ୍ତି । ଏହି ଘଟଣାକୁ ଇତିମଧ୍ୟରେ ୯ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଚହଲ୍ କାହାକୁ ସୂଚନା ଦେଇ ନ ଥିବା ବେଳେ ନିକଟରେ ଦଳର ଅନ୍ୟତମ ସଦସ୍ୟ ରବିଚନ୍ଦ୍ରନ୍ ଅଶ୍ୱିନ୍ଙ୍କ ସହ ଏକ ଆଲୋଚନା କାର୍ଯ୍ୟକ୍ରମରେ କିପରି ତାଙ୍କୁ ଜଣେ ସାଥୀ ଖେଳାଳି ନିଶାସକ୍ତ ଅବସ୍ଥାରେ ୧୫ ମହଲା କୋଠା ବାଲ୍କୋନୀରେ ଝୁଲାଇ ଦେଇଥିଲେ, ସେନେଇ ଖୁଲ୍ଲାସା କରିଛନ୍ତି । ତାଙ୍କ କହିବାନୁସାରେ, ୨୦୧୩ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବେଙ୍ଗାଲୁରୁଠାରେ ଏକ ମ୍ୟାଚ୍ରେ ପ୍ରତିନିଧିତ୍ୱ କରିଥିଲେ । ମ୍ୟାଚ୍ ଶେଷ ହେବା ପରେ ଖେଳାଳିମାନେ ଏକ ପାର୍ଟିରେ ଯୋଗଦେଇଥିଲେ । ତେବେ ସେଠାରେ ଜଣେ ସାଥୀ ଖେଳାଳି ଏତେ ମାତ୍ରାରେ ମଦ ପିଇ ଦେଇଥିଲେ ଯେ ରାଗରେ ତାଙ୍କୁ ଉପରକୁ ଉଠାଇ ବାଲ୍କୋନିକୁ ନେଇଯାଇଥିଲେ । ମଦ ପିଇବା ସମୟରେ ଚହଲଙ୍କୁ ଉକ୍ତ ନିଶାସକ୍ତ ଖେଳାଳି ଜଣକ ବାରମ୍ବାର ଅନାଉଥିଲେ । ପରବର୍ତ୍ତୀ ସମୟରେ ସେ ଏପରି କିଛି କରିବେ ବୋଲି ଚହଲ୍ ଆଦୌ ସ୍ୱପ୍ନରେ ବି ଭାବି ନ ଥିଲେ । କିନ୍ତୁ ନିଶାସକ୍ତ ଖେଳାଳି ଜଣକ ତାଙ୍କୁ ବାଲ୍କୋନୀ ଝୁଲାଇ ରଖିଥିଲେ । ଏପରି ଏକ ସ୍ଥିତି ପାଇଁ ଚହଲ୍ ଆଦୌ ପ୍ରସ୍ତୁତ ନ ଥିଲେ । ସେ ଭୟଭୀତ ହୋଇ ଥରୁଥାନ୍ତି ଓ ଖୁବ୍ ଜୋର୍ରେ ଉକ୍ତ ଖେଳାଳିଙ୍କ ବେକକୁ ଦୁଇ ହାତରେ ଜାବୁଡ଼ି ଧରିଥାନ୍ତି । ହଠାତ୍ ସେଠାରେ ଉପସ୍ଥିତ ଥିବା ଅନ୍ୟ ସାଥୀ ଖେଳାଳିମାନେ ପହଞ୍ଚି ଚହଲଙ୍କୁ ବଞ୍ଚାଇଥିଲେ । ଚହଲ୍ ଭୟରେ ଅଚେତ ହୋଇଯାଇଥିବା ବେଳେ ସାଥୀମାନେ ତାଙ୍କୁ ପାଣି ଦେଇ ଚେତା କରାଇଥିଲେ । ଯଦି ସେଦିନ ସେ ତାଙ୍କ ହାତ ଛାଡ଼ି ଦେଇଥାନ୍ତେ, ତା’ହେଲେ ହୁଏତ ଆଜି ଏହି ଘଟଣା ସମ୍ପର୍କରେ ସୂଚନା ଦେବା ସକାଶେ ସେ ଜୀବିତ ନ ଥାନ୍ତେ ବୋଲି ଚହଲ୍ କହିଛନ୍ତି । ଏପରି ଏକ ଲୋମଟାଙ୍କୁରା ଘଟଣା ସମ୍ପର୍କରେ ପ୍ରଶଂସକମାନେ ଜାଣିବା ପରେ ତୁରନ୍ତ ଉକ୍ତ ଖେଳାଳିଙ୍କ ନାମ ପ୍ରକାଶ କରିବାକୁ ନିବେଦନ କରିଥିଲେ । ଉକ୍ତ ଖେଳାଳିଙ୍କୁ ତାଙ୍କର କୃତକର୍ମ ପାଇଁ ଦଣ୍ଡ ମିଳିବା ଆବଶ୍ୟକ ବୋଲି ମଧ୍ୟ ସେମାନେ ଦାବି କରିଥିଲେ । କିନ୍ତୁ ଚହଲ୍ ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ତାଙ୍କ ନାମ ପ୍ରକାଶ କରି ନ ଥିଲେ । ଆଇପିଏଲ୍ର ୨୦୧୩ ସଂସ୍କରଣ ବେଟିଂ ଓ ଫିକ୍ସିଂ ପାଇଁ ବେଶ୍ ଚର୍ଚ୍ଚା ସାଉଁଟିଥିବା ବେଳେ ଚହଲଙ୍କ ଏହି ଅଭିଜ୍ଞତା ମଧ୍ୟ ପ୍ରଶଂସକଙ୍କ ସ୍ମୃତିରେ ଦୀର୍ଘଦିନ ପାଇଁ ରହିବ ।