ରାୟପୁର : କେନ୍ଦ୍ର ସରକାର ସିବିଏସ୍ଇ ଓ ଆଇସିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନଥିଲାବେଳେ ଛତିଶଗଡ଼ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ(ସିଜିବିଏସ୍ଇ) ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆଜି ଠାରୁ ଆରମ୍ଭ ହେଉଛି । ଏହା ଜୁନ୍ ୫ତାରିଖ ପର୍ଯ୍ୟନ୍ତ ଚାଲିବ । ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ସଂଗ୍ରହ ଏବଂ ଉତ୍ତର ଖାତା ପ୍ରଦାନ ପାଇଁ ୫ଦିନ ସମୟ ଦିଆଯାଇଛି । ଛାତ୍ରଛାତ୍ରୀମାନେ ଘରେ ରହି ପରୀକ୍ଷା ଦେଇପାରିବେ ।
କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ସିଜିବିଏସ୍ଇ ଏଭଳି ନିଷ୍ପତ୍ତି ନେଇଛି । ରାଜ୍ୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ୨.୮୬ଲକ୍ଷ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଇନ୍-ହୋମ୍ ମୋଡ୍(ଘରେ ରହି ପରୀକ୍ଷା) ବ୍ୟବସ୍ଥା କରାଯାଇଛି । ଏକ ସରକାରୀ ବିବୃତିରେ କୁହାଯାଇଛି, ଯଦି ଛାତ୍ରଛାତ୍ରୀମାନେ ସେମାନଙ୍କର ଉତ୍ତର ଖାତା ନିର୍ଦ୍ଧାରିତ ୫ଦିନ ଭିତରେ ଦାଖଲ କରିନପାରନ୍ତି, ତା’ହେଲେ ସେମାନେ ପରୀକ୍ଷାରେ ଅନୁପସ୍ଥିତ ବୋଲି ବିବେଚନା କରାଯିବ । ଇତିମଧ୍ୟରେ ସିଜିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଲାଗି ଆଡମିଟ୍ କାର୍ଡ ୱେବ୍ସାଇଟ୍ରେ ଅପଲୋଡ୍ କରାଯାଇଛି ଏବଂ ତାହା ଡାଉନ୍ଲୋଡ୍ କରିବାକୁ ସେମାନଙ୍କୁ କୁହାଯାଇଛି ।