16.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶକେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ଦେଶରେ ଖୁବ୍‌ଶୀଘ୍ର ଖୋଲିବ ୧୫୭ ନୂଆ ନର୍ସିଂ କଲେଜ

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ଦେଶରେ ଖୁବ୍‌ଶୀଘ୍ର ଖୋଲିବ ୧୫୭ ନୂଆ ନର୍ସିଂ କଲେଜ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ୧୫୭ ନୂଆ ନର୍ସିଂ କଲେଜ ପ୍ରତିଷ୍ଠା ଲାଗି ଅନୁମୋଦନ ମିଳିଛି । ୨୦୧୪ ପରଠାରୁ ସ୍ଥାପନ ହୋଇଥିବା ନୂଆ ମେଡିକାଲ କଲେଜ ନିକଟରେ ଏଗୁଡ଼ିକ ଗଢ଼ିଉଠିବ । ଏହି ନିଷ୍ପତ୍ତି ଦ୍ୱାରା ଦେଶରେ ଅତିରିକ୍ତ ୧୫,୭୦୦ ନର୍ସିଂ ସିଟ୍ ସୃଷ୍ଟି ହେବ । ନୂଆ ନର୍ସିଂ କଲେଜ ଖୋଲିବା ପାଇଁ ୧,୫୭୦ କୋଟି ଟଙ୍କା ଖର୍ଚ୍ଚ ହେବ । ୧୫୭ ନୂଆ ନର୍ସିଂ କଲେଜ ମଧ୍ୟରୁ ୟୁପିରେ ସର୍ବାଧିକ ୨୭ଟି ଖୋଲିବାକୁ ଥିବା ବେଳେ ରାଜସ୍ଥାନରେ ୨୩ଟି ଖୋଲିବ ।

ଓଡ଼ିଶାରେ ୭ଟି ନର୍ସିଂ କଲେଜ ଖୋଲାଯିବ । ସେହିଭଳି ମଧ୍ୟପ୍ରଦେଶରେ ୧୪, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ୧୧ ଲେଖାଏଁ, ବିହାରରେ ୮ଟି କଲେଜ ଖୋଲିବ । ଛତିଶଗଡ଼, ଗୁଜରାଟ ଓ ଝାଡ଼ଖଣ୍ଡରେ ୫ଟି ଲେଖାଏଁ କଲେଜ ଖୋଲିବାକୁ ଥିବା ବେଳେ କର୍ଣ୍ଣାଟକରେ ୪ ଓ ଆସାମରେ ୫ଟି ନର୍ସିଂ କଲେଜ ଖୋଲାଯିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଦେଶରେ ୧,୦୬,୦୦୦ ଏମ୍ବିବିଏସ୍ ସିଟ୍ ଏବଂ ବିଏସ୍ସି ନର୍ସିଂର ୧,୧୮,୦୦୦ ସିଟ୍ ରହିଛି । ବିଗତ କିଛି ବର୍ଷ ହେଲା ବିଏସ୍ସି ନର୍ସିଂ ସିଟ୍ ବଢ଼ାଇବା ଲାଗି ଦାବି ହୋଇଆସୁଥିଲା । କାରଣ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ସମେତ ବିଶ୍ୱରେ ବିଏସ୍ସି ନର୍ସିଂ ପାଇଁ ବେଶ୍ ଚାହିଦା ରହିଛି ।

ତେଣୁ ୧୫୭ ନୂଆ ନର୍ସିଂ କଲେଜ ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ମେଡିକାଲ କଲେଜ ଥିବା ସ୍ଥାନରେ ୧୦ କୋଟି ଟଙ୍କା ଖର୍ଚ୍ଚରେ ଗୋଟିଏ ଲେଖାଏଁ ନର୍ସିଂ କଲେଜ ଖୋଲିବା ଲାଗି ନିଷ୍ପତ୍ତି ହୋଇଛି । ୧,୫୭୦ କୋଟି ଟଙ୍କା ବ୍ୟୟରେ ୧୫୭ ନର୍ସିଂ କଲେଜ ଖୋଲାଯିବ । ୨୪ ମାସ ମଧ୍ୟରେ ଏଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି କଲେଜ ସ୍ଥାପନ ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଇଁ ୟୁଜି ପାଠ୍ୟକ୍ରମ ସିଟ୍ ବୃଦ୍ଧି ପାଇବ । ସେହିଭଳି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଜାତୀୟ ମେଡିକାଲ ଯନ୍ତ୍ରାଂଶ ନୀତି ୨୦୨୩କୁ ମଞ୍ଜୁରି ମିଳିଛି । ଏହାଦ୍ୱାରା ମେଡିକାଲ ଡିଭାଇସ୍ କ୍ଷେତ୍ର ଅଧିକ ସୁଦୃଢ଼ ହୋଇପାରିବ । କୋଭିଡ ମହାମାରୀ ବେଳେ ଭାରତର ମେଡିକାଲ ଡିଭାଇସ୍ କ୍ଷେତ୍ରର ବେଶ୍ ଅବଦାନ ଥିଲା । ବୃହତ୍ ମାତ୍ରାର ଯନ୍ତ୍ରାଂଶ ଏବଂ ନିଦାନ କିଟ୍ ଉତ୍ପାଦନ କରି ମହାମାରୀ ମୁକାବିଲାରେ କ୍ଷେତ୍ର ବିଶେଷ ସହାୟକ ହୋଇଥିଲା । ଏବେ ମେଡିକାଲ ଯନ୍ତ୍ରାଂଶ କ୍ଷେତ୍ରର ଅଭିବୃଦ୍ଧି ପାଇଁ ନୂଆ ନୀତି ବେଶ୍ ସହାୟକ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking