ନୂଆଦିଲ୍ଲୀ : ଇତିମଧ୍ୟରେ ମହାରାଷ୍ଟ୍ରରେ ଶିବସେନା (ବିଦ୍ରୋହୀ ଗୋଷ୍ଠୀ) ଓ ବିଜେପିର ମେଣ୍ଟ ସରକାର ଗଠିତ ହୋଇସାରିଛି । ରାଜନୈତିକ ଦୃଷ୍ଟିକୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ କିନ୍ତୁ ଏହି ପରିବର୍ତ୍ତନରେ ଆଶ୍ୱସ୍ତିଲାଭ କରିଛି । ନୂତନ ସରକାର ଗାଦିସୀନ ହୋଇଥିବାରୁ ରାଜ୍ୟରେ ଦାଏର କରାଯାଇଥିବା ୧୩୨ଟି ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ମାମଲାର ତଦନ୍ତ ବାଟ ଫିଟିବ ବୋଲି ସିବିଆଇ କର୍ତ୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି । ସାଧାରଣତଃ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ସଂପୃକ୍ତ ରାଜ୍ୟରେ କୌଣସି ମାମଲାର ତଦନ୍ତ କରିପାରିବ ନାହିଁ ।
ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ଅତ୍ୟନ୍ତ ଜରୁରୀ । ପୂର୍ବରୁ ମହାରାଷ୍ଟ୍ରରେ ‘ମହା ବିକାଶ ଆଘାଡି’ ସରକାର (କଂଗ୍ରେସ+ଏନ୍ସିପି+ଶିବସେନା) କ୍ଷମତାସୀନ ଥିବାରୁ ସିବିଆଇକୁ ତଦନ୍ତ ଅନୁମତି ମିଳିପାରୁନଥିଲା । ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବାପରେ ହିଁ ଏମ୍ଭିଏ ସରକାର ଅମଳରେ ସିବିଆଇକୁ କେବଳ ୫୧ଟି ମାମଲାର ତଦନ୍ତ ଅନୁମତି ମିଳିଥିଲା । ମହାରାଷ୍ଟ୍ର ବ୍ୟତୀତ ଅନ୍ୟ ୮ଟି ରାଜ୍ୟ ଯଥା ପଞ୍ଜାବ, ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ, ମେଘାଳୟ ଓ ମିଜୋରାମ ସରକାର ମଧ୍ୟ ସେମାନଙ୍କ ରାଜ୍ୟରେ ସିବିଆଇ ତଦନ୍ତ ଉପରେ ନିଷେଧାଜ୍ଞା ଜାରି କରିସାରିଛନ୍ତି ।
ଏହି ରାଜ୍ୟଗୁଡିକରେ ଅଣବିଜେପି ସରକାର କ୍ଷମତାସୀନ ଥିବାରୁ ସିବିଆଇକୁ ତଦନ୍ତ ସୁଯୋଗ ମିଳିପାରୁନାହିଁ । ଏହି ୮ ରାଜ୍ୟରେ ପଡିରହିଥିବା ମୋଟ ୧୭୩ଟି ଦୁର୍ନୀତି ମାମଲାର ତଦନ୍ତ ନିର୍ଦ୍ଦେଶ ପାଇବାକୁ ସିବିଆଇ ଅପେକ୍ଷା କରିଛି । ଏହି ସବୁ ରାଜ୍ୟରେ ଏକାଧିକ ବ୍ୟାଙ୍କ ଦୁର୍ନୀତି ମାମଲାରେ କୋଟି କୋଟି ଟଙ୍କା ହେରଫେର ହୋଇଥିବାବେଳେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସେଥିରେ ସଂପୃକ୍ତ ଅଛନ୍ତି । ସେମାନଙ୍କୁ ଘଣ୍ଟ ଘୋଡାଇବାକୁ ସଂପୃକ୍ତ ରାଜ୍ୟ ସରକାର ଉଦ୍ଦେଶ୍ୟମୂଳକଭାବେ ସିବିଆଇକୁ ତଦନ୍ତ ପାଇଁ ଅନୁମତି ଦେଉନଥିବା ଜଣାପଡିଛି ।