ନବରଙ୍ଗପୁର : ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚି ରହିଛି । ଜାତି ପ୍ରଥା ଯୋଗୁଁ ଶବକୁ ମିଳିଲାନି ଜାତି ଭାଇଙ୍କ କାନ୍ଧ । ଶେଷ ରେ ୨ ସ୍ତ୍ରୀ, ବାପା ଓ ମା’ ଦେଲେ କାନ୍ଧ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଂଗ୍ରା ଗ୍ରାମରେ । ଜାତିପ୍ରଥାକୁ ନେଇ ଶବଦାହ ନିମନ୍ତେ ଚାରି କାନ୍ଧ ଦେବାକୁ ଜାତିଭାଇ ଆସିଲେନି । ଅନ୍ୟ ସମ୍ପ୍ରଦାୟରୁ କାନ୍ଧ ଦେବାକୁ ଚାହୁଁଥିବା ଯୁବକଙ୍କୁ ମଧ୍ୟ ବାରଣ କରାଗଲା । ଶେଷରେ ବାଧ୍ୟ ହୋଇ ପରିବାରର ଜଣେ ପୁରୁଷଙ୍କ ସମେତ ଅନ୍ୟ ତିନିଜଣ ମହିଳା ଶବ କାନ୍ଧ ଦେବା ଠାରୁ ଆରମ୍ଭ କରି ଶବ ସତ୍କାର ଯାଏ ସବୁ କରିଥିଲେ । ସୂଚନା ଅନୁଯାୟୀ, ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଂଗ୍ରା ପଞ୍ଚାୟତ ଯାନୀ ସାହିରେ ରହୁଥିବା ସାରଥୀ ଯାନୀଙ୍କ ପୁଅ ଜଗବନ୍ଧୁ ଯାନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା । ପରିବାର ପକ୍ଷରୁ ଜଗବନ୍ଧୁଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା । ଗତକାଲି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତରଖାନାରେ ମୃତକ ଜଗବନ୍ଧୁଙ୍କ ସାନ ସ୍ତ୍ରୀ ଓ ମା’ ଥିବା ବେଳେ ଖବର ପାଇ ସାହାଯ୍ୟ କରିବା ପାଇଁ ଗ୍ରାମର ଅନ୍ୟ ସମ୍ପ୍ରଦାୟର ୩ ଯୁବକ ପରଦେଶୀ ସଗରୀଆ , ସରୋଜ ହିଆଲ ଓ ମନନ୍ତ ହିଆଲ ଆସି ପହଞ୍ଚିଥିଲେ । ସେମାନେ ଆସି ଆମ୍ବୁଲାନ୍ସ ଯୋଗାଡ କରି ଗାଁକୁ ଶବ ନେବା ବ୍ୟବସ୍ଥା କରିଥିଲେ । ଗାଁ ରେ ଶବ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଜାତିପ୍ରଥାର କଥା । ଅନ୍ୟ ସମ୍ପ୍ରଦାୟର ଯୁବକ ଶବକୁ ଛୁଇଁବା ଅଭିଯୋଗ କରି ଜାତି ଭାଇମାନେ ଶବ ସତ୍କାର କରିବା ପାଇଁ ରୋକଠୋକ୍ ମନା କରିଦେଇଥିଲେ । ଯାହା ସାହାଯ୍ୟ କରିଥିବା ଯୁବକମାନେ କହିଛନ୍ତି । ଉକ୍ତ ଯୁବକ ମାନେ କହିବା ମୁତାବକ, ଜାତି ଭାଇ ମାନେ ଶବ ସତ୍କାର କରିବା ପାଇଁ ମନା କରିବାରୁ ସେମାନେ ଆଗେଇ ଆସିଥିଲେ ଶବ ସତ୍କାର କରିବା ପାଇଁ । ତେବେ ସେମାନଙ୍କୁ ବି ସତ୍କାର କରିବା ପାଇଁ ସୁଯୋଗ ଦିଆଯାଇନଥିଲା । ଶେଷରେ ବାଧ୍ୟ ହୋଇ ମୃତକ ଜଗବନ୍ଧୁର ୨ ସ୍ତ୍ରୀ, ମା’ ଓ ବାପା ୪ କାନ୍ଧ ଦେଇ ଶବକୁ କୋକେଇରେ ମଶାଣୀକୁ ନେଇଥିଲେ । ସେଠାରେ ଜାତି ପରମ୍ପରା ଅନୁଯାୟୀ ଶବ ସତ୍କାର କରାଯାଇଥିଲା । ମୃତକ ଜଗବନ୍ଧୁଙ୍କ ୨ କୁନି କୁନି ପୁଅ ଶବକୁ ମୁଖାଗ୍ନୀ ଦେଇଥିଲେ ।