ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ବ୍ୟବସାୟୀ ସଂସ୍ଥା ଅଦାନୀ ଗ୍ରୁପ୍ ଏବଂ ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ ଏବେ ମୁହଁମୁହିଁ ହୋଇଛନ୍ତି । ଅଦାନୀ ଗ୍ରୁପ୍ ହିଣ୍ଡେନ୍ବର୍ଗ ବିରୋଧରେ ଆଇନଗତ ଲଢ଼େଇକୁ ଜୋର୍ଦାର କରିଛି । ଏଥିପାଇଁ ଗ୍ରୁପ୍ ନ୍ୟୁୟର୍କ ପ୍ରତିଷ୍ଠିତ ଲ’ ଫାର୍ମ ୱାଚ୍ଟେଲ୍କୁ ହାୟର୍ କରିଛି । ହିଣ୍ଡେନ୍ବର୍ଗ ରିପୋର୍ଟ ପରେ ଅଦାନୀ ଗ୍ରୁପ୍ର ୧୦୦ ବିଲିୟନ୍ ଡଲାର କ୍ଷତି ହୋଇଥିଲା । ହିଣ୍ଡେନ୍ବର୍ଗ ରିପୋର୍ଟରେ ଅଦାନୀ ଗ୍ରୁପ୍ର କେତେକ କମ୍ପାନୀ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଯାଇଥିଲା । ଅଦାନୀ ଏହି ଶର୍ଟ ସେଲର୍ କମ୍ପାନୀଠାରୁ ନିଜର କ୍ଷତିର ପ୍ରତିଶୋଧ ନେବାକୁ ଚାହିଁଛି । ଏହାପରେ ହିଣ୍ଡେନ୍ବର୍ଗ ବିରୋଧରେ ଅଦାନୀ ଗ୍ରୁପ୍ ଏବେ ଆଇନଗତ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଛି । ବିଜିଜେସ୍ ଟୁଡେ ରିପୋର୍ଟ ଅନୁସାରେ, ହିଣ୍ଡେନ୍ବର୍ଗ ବିରୋଧରେ ଆଇନଗତ ଲଢ଼େଇ ପାଇଁ ଅଦାନୀ ଗ୍ରୁପ୍ ୱାଚ୍ଟେଲ୍ ସମେତ ଲିପ୍ଟନ୍, ରୋସେନ୍, କାଟ୍ଜ ପରି ପ୍ରତିଷ୍ଠିତ ଆଇନ୍ ପରାମର୍ଶଦାତା କମ୍ପାନୀ ଏବଂ ଆଇନ ବିଶେଷଜ୍ଞଙ୍କ ସହିତ ସମ୍ପର୍କ କରିଥିଲା ।