26.1 C
Bhubaneswar
Thursday, September 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧକିଭ୍ ଉପରେ କାର୍ପେଟ୍ ବୋମ୍ବିଂ ଆଶଙ୍କା

କିଭ୍ ଉପରେ କାର୍ପେଟ୍ ବୋମ୍ବିଂ ଆଶଙ୍କା

କିଭ: ରବିବାର ସୁଦ୍ଧା ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ୧୮ ଦିନରେ ପହଞ୍ଚିଥିବା ସତ୍ତ୍ୱେ ଶକ୍ତିଶାଳୀ ରୁଷ୍ ସେନା ଏପର୍ଯ୍ୟନ୍ତ ୟୁକ୍ରେନ୍‌ର ରାଜଧାନୀ କିଏଭ୍ ଦଖଲ କରିବାରେ ସଫଳ ହୋଇପାରିନାହିଁ । ୟୁକ୍ରେନ୍ ସେନାର ପ୍ରବଳ ପ୍ରତିରୋଧର ମୁକାବିଲା କରି କିଏଭ୍ ଅକ୍ତିଆର କରିବା ସମ୍ଭବ ହେଉନଥିବାରୁ ରୁଷ୍ ସେନା ବର୍ତ୍ତମାନ ଆକାଶମାର୍ଗରୁ ଏହି ଗୁରୁତ୍ୱପୂର୍ଣ୍ଣ ସହର ଉପରେ କାର୍ପେଟ ବୋମ୍ବିଂ (ପ୍ରତ୍ୟେକ ଅଞ୍ଚଳ ଉପରେ ପ୍ରବଳ ବୋମାମାଡ) କରିବାକୁ ଯୋଜନା ଚଳାଇଛି । କିଏଭ୍ ସହରଠାରୁ ମାତ୍ର ୨୫ କିମି ଦୂରରେ ରୁଷ୍ ସେନା ଡେରା ପକାଇଛି । ଶନିବାର କିଏଭ୍ ସହରରୁ ଅନ୍ୟତ୍ର ପଳାୟନ କରୁଥିବାବେଳେ ରୁଷ୍ ବିମାନରୁ ବୋମାମାଡ କରାଯିବାରୁ ୟୁକ୍ରେନ୍‌ର ୭ ଜଣ ନାଗରିକଙ୍କର ମୃତ୍ୟୁ ଘଟିଛି । ସାଧାରଣ ନାଗରିକଙ୍କୁ ପଳାୟନ ସୁଯୋଗ ଦେବାକୁ ରୁଷ୍ ମାନବୀୟ କରିଡର ପ୍ରତିଶ୍ରୁତି ଦେଉଥିଲେ ସୁଦ୍ଧା ବାସ୍ତବରେ ଏହାକୁ ପାଳନ କରୁନାହିଁ । ଫଳରେ କିଏଭ୍‌ରେ ଆତଙ୍କିତ ଅବସ୍ଥାରେ ରହିଥିବା ସାଧାରଣ ନାଗରିକ ଘରଦ୍ୱାର ଛାଡି ବଙ୍କର, ମେଟ୍ରୋ ଷ୍ଟେସନ କିମ୍ବା ସବ୍‌ୱେରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ସହରରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସମେତ ପାନୀୟଜଳର ଘୋର ସଙ୍କଟ ଦେଖାଦେଇଛି । ଅପରପକ୍ଷରେ ରୁଷ୍ ଅଭିଯୋଗ କରିଛି ଯେ ନିଜ ନାଗରିକଙ୍କୁ କିଏଭ୍ ଛାଡିବାକୁ ୟୁକ୍ରେନ୍ ଅନୁମତି ଦେଉନଥିବାରୁ ଏଭଳି ସ୍ଥିତି ଉପୁଜିଛି । ଅପରପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି ଯେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଆମ ସେନା ରୁଷ୍‌ର ଏଭଳି ହୀନ ଚକ୍ରାନ୍ତକୁ ପଣ୍ଡ କରିବ । ୧୮ ଦିନର ଯୁଦ୍ଧରେ ରୁଷ୍ ଆମର ଏକାଧିକ ଛୋଟ ସହରକୁ ଧୁଳିସାତ୍ କରିଦେଇଥିଲେ ସୁଦ୍ଧା କିଏଭ୍ ଦଖଲ ସେମାନଙ୍କ ପାଇଁ ସ୍ୱପ୍ନ ହୋଇ ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏପର୍ଯ୍ୟନ୍ତ ରୁଷ୍ ବିରୋଧୀ ଯୁଦ୍ଧରେ ୟୁକ୍ରେନ୍‌ର ୧୩୦୦ ସୈନ୍ୟ ପ୍ରାଣ ହରାଇସାରିଥିବା ଜେଲେନ୍‌ସ୍କି ସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking