ମାହାଙ୍ଗା : ମାହାଙ୍ଗା ଥାନା ଜଳେଶ୍ୱରପୁର ପଞ୍ଚାୟତସ୍ଥିତ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ପୂର୍ତ୍ତ ରାସ୍ତାରେ ଏକ ଯାତ୍ରୀବାହୀକାର ଦ୍ରୁତ ଗତିରେ ତ୍ରିବେଣୀଶ୍ୱର ପଟୁ କୁଆଁପାଳ ଅଭିମୁଖେ ଆସୁଥିବା ବେଳେ ଏକ ବାଇକ ଆରୋହୀକୁ ଧକ୍କା ଦେଇ ଭାରସାମ୍ୟ ହରାଇ କେନାଲର ଭରା ପାଣି ମଧ୍ୟକୁ ଓଲଟି ପଡ଼ିଥିଲା । ଏହି କାରରେ ଥିବା ସାଲେପୁର ଥାନା ତିଲଦା ଗ୍ରାମର ଚାଳକ ସମୀର ଖାଁ, ସେହି ଗ୍ରାମର ଯାତ୍ରୀ ହାଇଦର ଅଲି ଖାଁ ଓ ୪ ବର୍ଷର ଶିଶପୁତ୍ର ସିକନ୍ଦର ଖାଁ ଗାଡ଼ି ଭିତରେ ରହିଯାଇଥିଲେ ।
ସ୍ଥାନୀୟ ଲୋକେ ଏହାକୁ ଦେଖି ତୁରନ୍ତ ପାଣି ଭିତରେ ବୁଡ଼ିଯାଇଥିବା ଗାଡି ମଧ୍ୟରୁ ଶିଶୁ ପୁତ୍ର ସହ ଚାଳକ ଓ ଯୁବକକୁ ଉଦ୍ଧାର କରିଥିଲେ। ତେବେ ଶିଶୁ ପୁତ୍ରଟି ପାଣି ପିଇ ଚେତା ଶ୍ୱନ୍ୟ ହୋଇଯାଇଥିଲା । ତାକୁ ତୁରନ୍ତ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ସେଠାରେ ତାର ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା । କଟକ ମେଡିକାଲରେ ଗୁରୁତର ଥିବା ଶିଶୁଟି ମୃତ୍ୟୁବରଣ କରିଥିବା ଜଣାଯାଇଛି । ଅପର ପକ୍ଷରେ ଦୁର୍ଘଟଣା ସ୍ଥଳରେ କୁଆଁପାଳ ଦମକଳବାହିନୀ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଗାଡିକୁ କେନାଲ ପାଣିରେ ଉପରକୁ ଉଠାଇଥିଲେ । ଖବର ପାଇ ମାହାଙ୍ଗା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଚଳାଇଛି ।