ଭୁବନେଶ୍ବର: ମଞ୍ଚେଶ୍ବର ଶିଳ୍ପାଞ୍ଚଳସ୍ଥିତ ଏକ ପରିତ୍ୟକ୍ତ ଘରୁ ଆଜି ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ମଞ୍ଚେଶ୍ବର ପୁଲିସ୍ ଜବତ କରିଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ବୟସ ପାଖାପାଖି ୩୫ ହେବ ବୋଲି ଅନୁମାନ କରାଯାଉଛି। ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। କେହି ଦୁର୍ବୃତ୍ତ ତାଙ୍କୁ ପିଟି ପିଟି ହତ୍ୟା କରିବା ପରେ ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ତେବେ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଯୁବକଙ୍କ ପରିଚୟ ଖୋଜିବା ପାଇଁ ଚେଷ୍ଟା ଚଳାଇଛି। ଆଖପାଖରେ ଥିବା ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ପଦାକୁ ଆସିବ ବୋଲି ପୁଲିସ୍ କହିଛି।
ସୂଚନା ମୁତାବକ, ଆଜି ସଂଧ୍ୟା ପାଖାପାଖି ସାଢ଼େ ୬ଟାରେ ବ୍ୟକ୍ତିଜଣଙ୍କ ମଞ୍ଚେଶ୍ବର ଥାନା ନିକଟ ଏକ ଭଙ୍ଗାଘରେ ଶୋଇ ରହିଥିବା କିଛି ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ନ ଉଠିବାରୁ ସନ୍ଦେହ ହୋଇଥିଲା। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲା। ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ଚିହ୍ନ ରହିଥିଲା। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ପୁଲିସ୍ ମୃତ ଘୋଷଣା କରିଥିଲେ।