28.1 C
Bhubaneswar
Friday, November 22, 2024
Homeଓଡିଶା୧୦ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ଦକ୍ଷତା ବୃଦ୍ଧି ଓ ସମୀକ୍ଷା ବୈଠକ

୧୦ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ଦକ୍ଷତା ବୃଦ୍ଧି ଓ ସମୀକ୍ଷା ବୈଠକ

ଭୁବନେଶ୍ୱର: କୃଷିଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ୧୧୦ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ଦକ୍ଷତା ବୃଦ୍ଧି ଓ ସମୀକ୍ଷା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍ ଅଧ୍ୟକ୍ଷତା କରି କହିଲେ ଯେ ପ୍ରଥମ କରି ଉନ୍ନୀତ ହୋଇଥିବା ୧୧୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏକ ନୂଆ ଶିକ୍ଷା ପରିବେଶରେ ପ୍ରବେଶ କରୁଛନ୍ତି । ତେଣୁ ଏହି ବିଦ୍ୟାଳୟଗୁଡ଼ିକର ଉତ୍ତମ ପରିଚାଳନା ଅଧ୍ୟକ୍ଷମାନଙ୍କ ପାଇଁ ନିଶ୍ଚିତ ରୂପେ ଏକ ଆହ୍ୱାନ ।

ଶିକ୍ଷାନୁଷ୍ଠାନ ପୂର୍ବରୁ ଥିବା ବିଦ୍ୟାଳୟ ଅପେକ୍ଷା ଅଧିକ କ୍ରିୟାଶୀଳ ହେବ ବୋଲି ଗଣଶିକ୍ଷା ସଚିବ ଆଶାବ୍ୟକ୍ତ କରିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଧ୍ୟକ୍ଷ ପଦକୁ ଉନ୍ନୀତ ହେବା ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ । ଅଧ୍ୟକ୍ଷମାନେ ଯେପରି ନିଜ ଶିକ୍ଷାନୁଷ୍ଠାନର ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବେ ସେ ନେଇ ସଚିବ ସେମାନଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଅନୁପମ ସାହା ତାଙ୍କ ଅଭିଭାଷଣରେ କହିଲେ ଯେ ନୂତନ ଅଧ୍ୟକ୍ଷମାନଙ୍କର ଅନୁଷ୍ଠାନ ପରିଚାଳନା ବାବଦରେ ଦକ୍ଷତା ବୃଦ୍ଧି ନିମନ୍ତେ ଏହି କର୍ମଶାଳା ସହାୟକ ହେବ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଆବଶ୍ୟକୀୟ ଅର୍ଥରାଶି ସମଗ୍ର ଶିକ୍ଷାରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାହା ପ୍ରକାଶ କରିଥିଲେ ।

ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ ଏହି କର୍ମଶାଳାକୁ ରାଜ୍ୟ ସରକାରଙ୍କ ଏକ ବୈପ୍ଳବିକ ପଦକ୍ଷେପ ରୂପେ ଉଲ୍ଲେଖ କରି ଭବିଷ୍ୟତରେ ଏହି ବିଦ୍ୟାଳୟଗୁଡ଼ିକ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନ ବୃଦ୍ଧି କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆର. ଆୟାର ସମସ୍ତ ଅତିଥି, ଅଧ୍ୟକ୍ଷବୃନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ନିର୍ଦ୍ଦେଶାଳୟର ପଦସ୍ଥ ଅଧିକାରୀମାନଙ୍କୁ ସ୍ୱାଗତ କରିବା ଅବସରରେ ନୂତନ କରି ଉନ୍ନୀତ ହୋଇଥିବା ବିଦ୍ୟାଳୟର ଅଧ୍ୟକ୍ଷମାନେ ବିଦ୍ୟାଳୟ ପରିଚାଳନା ସହ ନେତୃତ୍ୱ ନେବାର ସୁଯୋଗ ପାଇବେ ବୋଲି ଆଶାପ୍ରକାଶ କରିଥିଲେ ।

ଏକାଦଶ ଶ୍ରେଣୀର ଶିକ୍ଷାଦାନ ଆସନ୍ତା ଅଗଷ୍ଟ ଏକ ତାରିଖରୁ ଆରମ୍ଭ ହେବ । ଏହିଦିନ ସମସ୍ତ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଆୟୋଜନ ତଥା ଛାତ୍ର, ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହେବ । ଏହି କର୍ମଶାଳାରେ ଉଚ୍ଚ ମାଧ୍ୟମିକ ସ୍ତରରେ ଶିକ୍ଷାଦାନ ଓ ପରୀକ୍ଷା ପରିଚାଳନା ଓ ବିଭିନ୍ନ ସହ-ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ବିଷୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ଉପସ୍ଥିତ ରହି ଆଲୋଚନା କରିଥିଲେ । ଛାତ୍ରଛାତୀଙ୍କ ପାଇଁ ବୃତ୍ତି ବ୍ୟବସ୍ଥା, କ୍ୟାରିଅର କାଉନସେଲିଂ, ହାକାଥନ ପ୍ରତିଯୋଗିତା, ଫନୀଚର ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ଏବଂ ସୁନନ୍ଦା ମେକାପ ମଞ୍ଚ ପରିଚାଳନା କରିଥିବାବେଳେ ଉପନିର୍ଦ୍ଦେଶିକା ତଥା ପ୍ରାଧ୍ୟାପିକା ତିଳୋତ୍ତମା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ରାଜ୍ୟର ୧୧୦ ଉନ୍ନୀତ ହୋଇଥିବା ଅଧ୍ୟକ୍ଷମାନଙ୍କ ସହିତ ୩୦ଟି ଜିଲ୍ଲାର ଅତିରିକ୍ତ ଶିକ୍ଷା ଅଧିକାରୀ ଏବଂ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking