ଭୁବନେଶ୍ୱର : ସରକାରୀ ଚାକିରିଆ ସାବଧାନ୍ ! ଏଣିକି ଡ୍ୟୁଟିରେ ଖିଲାପ କରିପାରିବେନି ସରକାରୀ ଚାକିରିଆ । ଅତି କମରେ ସାଢେ ୭ଘଣ୍ଟା କାମ କରିବାକୁ ପଡିବ । ୪ଘଣ୍ଟାରୁ କମ୍ ସମୟ ଅଫିସରେ କାମ କରିଥିଲେ ସେଦିନ ଅନୁପସ୍ଥିତ ବୋଲି ଧରାଯିବ । ସେହିପରି ୪ଘଣ୍ଟାରୁ ଅଧିକ ସାଢେ ୭ଘଣ୍ଟାରୁ କମ୍ ହେଲେ ହାପ୍ ଡେ’ ବୋଲି ଧରାଯିବ । ଆସିବା ଓ ଯିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ । ଅର୍ଥାତ୍ କେତେବେଳେ ଅଫିସରୁ ବାହାରକୁ ଯିବେ, କେତେବେଳେ ଆସିବେ ସେ ସବୁ ବାୟୋମେଟ୍ରିକରେ ସୂଚିତ କରିବାକୁ ପଡିବ । ବାହାରିବା ସମୟ ସୂଚିତ ନଥିଲେ ଅନୁପସ୍ଥିତ ଧରାଯିବ । ସବୁଠୁ ବଡ କଥା ହେଉଛି ଆଉ ଡ୍ୟୁଟି ସମୟକୁ ଠକିପାରିବେନି ସରକାରୀ କର୍ମଚାରୀ । ଦିନ ୧୦ଟା ସୁଦ୍ଧା ଅଫିସରେ ଉପସ୍ଥିତ ରହିବେ କର୍ମଚାରୀ । ଅଫିସ୍ ପହଞ୍ଚିବାକୁ ଅଧଘଣ୍ଟା କୋହଳ ମିଳିବ । ଏହା ସବୁବେଳେ ଲାଗୁ ହେବନି । କେବଳ ଜରୁରୀ ପରିସ୍ଥିତିରେ ମିଳିବ ଅଧଘଣ୍ଟା କୋହଳ । ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।