ନୂଆଦିଲ୍ଲୀ: ସଂସଦୀୟ ଓ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ନିର୍ବାଚନଜନିତ ଖର୍ଚ୍ଚ ସୀମାକୁ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ବୃଦ୍ଧି କରିଛନ୍ତି । ସଂସଦୀୟ କ୍ଷେତ୍ରରେ ନିର୍ବାଚନ କରୁଥିବା ସାଂସଦ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ୭୦ ଲକ୍ଷରୁ ୯୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଯେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଏହା ୫୪ ଲକ୍ଷ ଟଙ୍କା ରହିଛି, ସେଠାରେ ୭୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଅପରପକ୍ଷରେ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀଙ୍କ ିନିର୍ବାଚନ ଖର୍ଚ୍ଚକୁ ମଧ୍ୟ ୨୮ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଠିକ୍ ସେହିପରି ପୂର୍ବରୁ ଯେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଖର୍ଚ୍ଚସୀମା ୨୦ ଲକ୍ଷ ଟଙ୍କା ଥିଲା, ସେଠାରେ ୨୮ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ୨୦୧୪ରେ ପ୍ରାର୍ଥୀମାନଙ୍କ ନିର୍ବାଚନୀ ଖର୍ଚ୍ଚ ସୀମାରେ ବୃହତ୍ ସଂଶୋଧନ କରାଯାଇଥିଲା । ପୁଣି ୨୦୨୦ରେ ଖର୍ଚ୍ଚ ସୀମାରେ ୧୦% ବୃଦ୍ଧି କରାଯାଇଥିଲା ।
ଚଳିତ ବର୍ଷ ନିର୍ବାଚନ ଆୟୋଗ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ନିର୍ବାଚନୀ ଖର୍ଚ୍ଚରେ ଆବଶ୍ୟକୀୟ ସଂଶୋଧନ ପାଇଁ ପରାମର୍ଶ ଦେବାକୁ ଏକ କମିଟି ଗଠନ କରିଥିଲେ । ଅବସରପ୍ରାପ୍ତ ଆଇଆର୍ଏସ୍ ଅଧିକାରୀ ହରିଶ ରାୱତ୍, ମହାସଚିବ ଉମେଶ ସିହ୍ନା, ବରିଷ୍ଠ ଡେପୁଟି ଇଲେକ୍ସନ୍ କମିଶନର ଚନ୍ଦ୍ରଭୂଷଣ କୁମାରଙ୍କୁ ନେଇ ଗଠିତ କମିଟି ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ପାଇଁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ କମିଟି ବିଭିନ୍ନ ରାଜନୈତିକ ଦଳ, ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ନିକଟରୁ ମଧ୍ୟ ପରାମର୍ଶ ମାଗିଥିଲା । ୨୦୧୪ ପରଠାରୁ ଦେଶରେ ଭୋଟ୍ଦାତାଙ୍କ ସଂଖ୍ୟା ବୃଦ୍ଧିପାଇବା ସହିତ ନିର୍ବାଚନ ପ୍ରଚାରର ରୂପରେଖରେ ଅନେକ ପରିବର୍ତ୍ତନ ଘଟିଛି ।