29.1 C
Bhubaneswar
Wednesday, July 3, 2024
Homeଖେଳଭାରତୀୟ ରେସ୍‌ଲିଂ ସଂଘର ସଦସ୍ୟତା ରଦ୍ଦ; ସମୟରେ ନିର୍ବାଚନ ନକରିବାରୁ ୟୁଡବ୍‌ଲ୍ୟୁଡବ୍‌ଲ୍ୟୁର କାର୍ଯ୍ୟାନୁଷ୍ଠାନ

ଭାରତୀୟ ରେସ୍‌ଲିଂ ସଂଘର ସଦସ୍ୟତା ରଦ୍ଦ; ସମୟରେ ନିର୍ବାଚନ ନକରିବାରୁ ୟୁଡବ୍‌ଲ୍ୟୁଡବ୍‌ଲ୍ୟୁର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ୟୁନାଇଟେଡ୍ ୱାର୍ଲ୍ଡ ରେସ୍‌ଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ଗୁରୁବାର ଭାରତୀୟ ରେସ୍‌ଲିଂ ସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ସଦସ୍ୟତା ଅନିଶ୍ଚିତ କାଳ ପାଇଁ ରଦ୍ଦ କରିଦେଇଛି । ୟୁଡବ୍ଲ୍ୟୁଡବ୍ଲ୍ୟୁ ମେ ୩୦ରେ ଏକ ଚିଠି ଲେଖି ୪୫ ଦିନ ଅର୍ଥାତ୍ ଜୁଲାଇ ୧୫ ତାରିଖରେ ମଧ୍ୟରେ ନିର୍ବାଚନ ସାରିବାକୁ ଡବ୍ଲୁଏଫ୍‌ଆଇକୁ ଚେତାବନୀ ଦେଇଥିଲା । ତେବେ ହାଇକୋର୍ଟଙ୍କ ଷ୍ଟେ’ ଯୋଗୁଁ ଏଥିରେ ବିଳମ୍ବ ହେବାରୁ ୱାର୍ଲ୍ଡ ରେସ୍‌ଲିଂ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ନିଷ୍ପତ୍ତି ଭାରତୀୟ ରେସ୍‌ଲର୍‌ଙ୍କ ପାଇଁ ଏକ ବଡ଼ ଧକ୍କା ସଦୃଶ ହୋଇଛି । ସେପ୍ଟେମ୍ବର ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ସର୍ବିୟାରେ ହେବାକୁ ଥିବା ପୁରୁଷ ୱାର୍ଲ୍ଡ ରେସ୍‌ଲିଂ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ରେସ୍‌ଲର୍ ଦେଶର ଜାତୀୟ ପତାକା ଅଧୀନରେ ଖେଳିପାରିବେ ନାହିଁ । ଏହି ଅଲିମ୍ପିକ୍ କ୍ୱାଲିଫାଇଙ୍ଗ୍ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କୁ ୟୁଡବ୍ଲ୍ୟୁଡବ୍ଲ୍ୟୁ ବ୍ୟାନର୍ ଅଧୀନରେ ‘ନ୍ୟୁଟ୍ରାଲ୍ ଆଥ୍‌ଲେଟ୍‌’ ରୂପେ ଖେଳିବାକୁ ହେବ । ନ୍ୟୁଟ୍ରାଲ୍ ଆଥ୍‌ଲେଟ୍ ରୂପେ ଭାଗ ନେଉଥିବା ଖେଳାଳି ପଦକ ଜିତିଲେ ତାହା ଦେଶର ପଦକ ଭାବେ ଗଣତି ହେବନାହିଁ । ସେହିପରି ପଦକ ପ୍ରଦାନ ଉତ୍ସବରେ ସେମାନଙ୍କ ରାଷ୍ଟ୍ରୀୟ ସଂଗୀତ ମଧ୍ୟ ବାଜିବ ନାହିଁ ।

ଡବ୍ଲ୍ୟୁଏଫ୍‌ଆଇର ତତ୍କାଳୀନ ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଚଳିତବର୍ଷ ଜାନୁଆରୀ ଏବଂ ଏପ୍ରିଲ୍‌ରେ ସାକ୍ଷୀ ମଲିକ, ଭିନେଶ ଫୋଗଟ୍ ଏବଂ ବଜରଙ୍ଗ ପୁନିଆଙ୍କ ନେତୃତ୍ୱରେ ରେସ୍‌ଲର୍‌ମାନେ ଦିଲ୍ଲୀର ଯନ୍ତର ମନ୍ତରରେ ଧାରଣା ଦେଇଥିଲେ । ବିବାଦ ପରେ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ଡବ୍ଲ୍ୟୁଏଫ୍‌ଆଇକୁ ଭଙ୍ଗକରି ଭୂପେନ୍ଦର ସିଂହ ବାଜୱାଙ୍କ ନେତୃତ୍ୱରେ ଏକ ଆଡ୍‌ହକ୍ କମିଟି ଗଠନ କରି କମିଟିକୁ ସଂଘର ନୂଆ ପଦାଧିକାରୀଙ୍କ ନିର୍ବାଚନ କରାଇବା ଦାୟିତ୍ୱ ପ୍ରଦାନ କରିଥିଲା । ଆଡ୍‌ହକ୍ କମିଟି ମତଦାନ ପାଇଁ ଅଗଷ୍ଟ ୧୨ ତାରିଖକୁ ଦିନ ଧାର୍ଯ୍ୟ କରିଥିଲା । ତେବେ କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡ୍ଡାଙ୍କ ନେତୃତ୍ୱାଧୀନ ହରିଆଣା ରେସ୍‌ଲିଂ ସଂଘ (ଏଚ୍‌ଡବ୍ଲ୍ୟୁଏ)ର ପିଟିସନ୍ ଉପରେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଷ୍ଟେ ଲଗାଇଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୮ ତାରିଖକୁ କୋର୍ଟ ଦିନ ଧାର୍ଯ୍ୟ କରିଥିଲେ ।

ୱାର୍ଲ୍ଡ ରେସ୍‌ଲିଂ ଦ୍ୱାରା ଡବ୍ଲ୍ୟୁଏଫ୍‌ଆଇର ସଦସ୍ୟତା ରଦ୍ଦ ହେବା ପରେ ରାଜନୀତି ଜୋର୍ ଧରିଛି । ହରିଆଣାର କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡ୍ଡା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ଦୀପେନ୍ଦ୍ର ହୁଡ୍ଡା କହିଛନ୍ତି, ଜଣେ ବ୍ୟକ୍ତିର ଅଂହକାର ଏବଂ କୁକୃତ୍ୟ ଯୋଗୁଁ ଏପରି ଦୁଃଖଦ ଏବଂ ଲଜ୍ଜାଜନକ ଘଟଣା ଘଟିଛି । ଅନ୍ୟପକ୍ଷରେ ମମତା ବାନାର୍ଜୀ ଏହାକୁ ନେଇ କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ଅଂହକାରକୁ ଦୋଷ ଦେଇ ଏହା ପୂରା ଦେଶ ପାଇଁ ଲଜ୍ଜାଜନକ ବିଷୟ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking