ଭୁବନେଶ୍ୱର: ସରକାରୀ ଚାକିରୀ ପାଇଁ ବଢ଼ିଲା ବୟସ ସୀମା । ଚାକିରୀ ବୟସ ସୀମାକୁ ଆଜି ବଢ଼ାଇବା ନେଇ କ୍ୟାବିନେଟ୍ ମୋହର ମାରିଛି । ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଚାକିରି ପାଇଁ ୩୨ ବଦଳରେ ଏଣିକି ୩୮ ବର୍ଷ ବୟସ କରାଯାଇଛି । ୨୦୨୧ ସହ ୨୦୨୨ ଏବଂ ୨୦୨୪ ମସିହାରେ ହେବାକୁ ଥିବା ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟା ପାଇଁ ୩ ବର୍ଷ ଲାଗି ବୟସ ସୀମାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ଅନୁସୂଚିତ ଜାତି, ଜନଜାତି ଓ ଏସ୍ଇବିସିଙ୍କ ପାଇଁ ୪୩ ବର୍ଷ ବୟସ ସୀମା ଧାର୍ଯ୍ୟ କରାଯାଇଥିବାବେଳେ ମହିଳା ବର୍ଗର ପ୍ରାର୍ଥୀଙ୍କ ପାଇଁ ଆହୁରି ୫ ବର୍ଷ ବଢ଼ାଇ ଦିଆଯାଇଛି । ଆଜି ବସିଥିବା ବୈଠକରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ତା’ମଧ୍ୟରେ ରହିଛି ୫ଟି ଗୁରୁତ୍ୱପୂର୍ଣ୍ଣ ମେଗା ପାନୀୟ ଜଳ ପ୍ରକଳ୍ପ । ମୟୁରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ଏବଂ ବାରିପଦା ବ୍ଲକର ୨୫ଟି ପଞ୍ଚାୟତର ୨୨୨ଟି ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରସ୍ତାବିତ ପ୍ରକଳ୍ପ ଲାଗି ଯେଉଁ ଟେଣ୍ଡର କରାଯାଇଥିଲା ତାକୁ ମଞ୍ଜୁରୀ ଦିଆଯାଇଛି । ଏହାଦ୍ୱାରା ୧ ଲକ୍ଷ ୪୮ ହଜାର ଲୋକ ଉପକୃତ ହେବେ । ସେହିପରି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା, କଟକ ଜିଲ୍ଲାର ବାଙ୍କି, ଡମପଡ଼ା ସମ୍ବଲପୁର ଜିଲ୍ଲାର ଜୁଜୁମରା, ମାନେଶ୍ୱର ନାକଟିଦେଉଳ, ରେଢାଖୋଲ ବ୍ଲକ, ମୟୂରଭଞ୍ଜ ଜିଲ୍ଲାର ସାରଶକଣା, କୁଲିଅଣା ଏବଂ ବାଙ୍ଗିପୋଷି ବ୍ଲକ ଏହି ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ଉପକୃତ ହେବେ । ଆଦି ସ୍ଥାନରେ ହେବାକୁ ଥିବା ପାନୀୟ ଜଳ ପ୍ରକଳ୍ପ ଲାଗି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହା ବ୍ୟତୀତ ଭୁବନେଶ୍ୱର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ୍ ଟେକ୍ନୋଲୋଜି-ଏନଆଇଏଫଟିର କ୍ୟାମ୍ପସ ପାଇଁ ରାଜ୍ୟ ସରକାର ଯେଉଁ ୧୦ ଏକର ଜମି ଏବଂ ୫୮. ୬୫ କୋଟି ଟଙ୍କା ଆଗରୁ ଯୋଗାଇଥିଲେ, ତାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ତାସହ ନିକଟସ୍ଥ ଆଉ ଏକ ଜମିକୁ ବିନା ପ୍ରିମିୟମ୍ରେ ଯୋଗାଇଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି । ଏନଆଇଏଫଟିକୁ ୧୦ ଏକର ଜମି ଓ ଭିତ୍ତିଭୂମି ବିକାଶ ପାଇଁ ୫୮.୬୫ କୋଟି ଟଙ୍କା ପ୍ରଦାନ କରାଯିବାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । ସେହିପରି ଓପିଏସ୍ସି ଜରିଆରେ ଅବକାରୀ ବିଭାଗର ଡିସିପିଙ୍କୁ ନିଯୁକ୍ତି ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।