18.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶ୨୦୨୧ରେ ପାକିସ୍ତାନ ଓ ବାଂଲାଦେଶ ସୀମାରେ ସର୍ବାଧିକ ଅନୁପ୍ରବେଶ ଉଦ୍ୟମ

୨୦୨୧ରେ ପାକିସ୍ତାନ ଓ ବାଂଲାଦେଶ ସୀମାରେ ସର୍ବାଧିକ ଅନୁପ୍ରବେଶ ଉଦ୍ୟମ

ନୂଆଦିଲ୍ଲୀ :  ଗତ ପାଞ୍ଚ ତୁଳନାରେ ୨୦୨୧ରେ ପାକିସ୍ତାନ ଓ ବାଂଲାଦେଶ ସୀମାରେ ଭାରତ ମଧ୍ୟକୁ ସର୍ବାଧିକ ଅନୁପ୍ରବେଶ ଉଦ୍ୟମ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଭାରତକୁ ଲାଗିଥିବା ଉଭୟ ଦେଶର ସୀମାରୁ ଗତବର୍ଷ ଅନୁପ୍ରବେଶ ଉଦ୍ୟମ କରୁଥିବା ୧୬୨୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୮ ଜଣ ଅନୁପ୍ରବେଶକାରୀଙ୍କର ଭାରତୀୟ ଯବାନଙ୍କ ଗୁଳିରେ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି । ଏହା ମଧ୍ୟରୁ କେବଳ ବାଂଲାଦେଶ ସୀମାରେ ୧୫୮୩ ଏବଂ ପାକିସ୍ତାନ ସୀମାରେ ୪୫ ଅନୁପ୍ରବେଶକାରୀ ଅବୈଧ ରୂପେ ଭାରତ ମଧ୍ୟକୁ ପ୍ରବେଶ ଉଦ୍ୟମ କରିଥିଲେ । ଗୃହ ମନ୍ତ୍ରଣାଳୟ ତଥ୍ୟ ଆଧାରରେ ଏଏଏନ୍‌ଆଇ ପକ୍ଷରୁ କୁହାଯାଇଛି, ୨୦୨୦ରେ ମୋଟ ୧୨୫୨ ଜଣ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଥିବା ବେଳେ ୨୦୧୯ରେ ୧୪୦୮, ୨୦୧୮ରେ ୧୧୭୩ ଏବଂ ୨୦୧୭ରେ ୧୨୫୧ ଜଣ ଗିରଫ ହୋଇଥିଲେ । ସେହିପରି ୨୦୨୦ରେ ୧୬, ୨୦୧୯ରେ ୬, ୨୦୧୮ରେ ୮ ଓ ୨୦୧୭ରେ ୧୧ ଅନୁପ୍ରବେଶକାରୀ ଭାରତୀୟ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ।

ଅନୁପ୍ରବେଶ ବିରୋଧରେ ବିଏସ୍‌ଏଫ୍ ଚଳାଇଥିବା ଅପରେସନ୍‌ର ଗତ ପାଞ୍ଚ ବର୍ଷର ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ବିଏସ୍‌ଏଫ୍ ତଥ୍ୟ ଅନୁସାରେ ଏହି ପାଞ୍ଚବର୍ଷ ମଧ୍ୟରେ ପାକିସ୍ତାନ ଓ ବାଂଲାଦେଶ ସୀମାରୁ ଅବୈଧ ରୂପେ ଭାରତରେ ପ୍ରବେଶ ଉଦ୍ୟମ କରୁଥିବା ମୋଟ ୬୭୧୨ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଛି । ଏହା ମଧ୍ୟରୁ ବାଂଲାଦେଶ ସୀମାରୁ ସର୍ବାଧିକ ୬୪୪୪ ଜଣ ଏବଂ ପାକିସ୍ତାନ ସୀମାରୁ ୨୬୮ ଜଣଙ୍କୁ ଗିରଫ କରାଯାଇଛି । ଭାରତ-ପାକିସ୍ତାନ ସୀମାରୁ ଗିରଫ ୨୬୮ ଅନୁପ୍ରବେଶକାରୀଙ୍କ ମଧ୍ୟରୁ ରାଜସ୍ଥାନରୁ ୬୦, ଜମ୍ମୁରୁ ୧୯, ପଞ୍ଜାବରୁ ୧୫୬ ଏବଂ ରାଜସ୍ଥାନରୁ ୩୩ ଜଣ ଅନ୍ତର୍ଭୁକ୍ତ । ସେହିପରି ଭାରତ-ବାଂଲାଦେଶ ସୀମାରୁ ଗିରଫ ୬୪୪୪ ଜଣଙ୍କ ମଧ୍ୟରୁ ଦକ୍ଷିଣ ବଙ୍ଗଳାରୁ ସର୍ବାଧିକ ୪୭୯୬ ଜଣ ଅନୁପ୍ରବେଶକାରୀ ଧରାପଡ଼ିଛନ୍ତି ।

ଏହାପରେ ଉତ୍ତର ବଙ୍ଗଳାରୁ ୫୮୫, ତ୍ରିପୁରାରୁ ୫୫୮, ମେଘାଳୟରୁ ୨୪୮, ଗୁଆହାଟୀରୁ ୨୧୪ ଏବଂ ମିଜୋରାମ ଓ କାଚର୍‌ରୁ ୪୩ ଜଣ ଗିରଫ ହୋଇଛନ୍ତି । ସେହିପରି ୨୦୨୧ରେ ପାକିସ୍ତାନ ସୀମାରେ ୧୪ ଏବଂ ବାଂଲାଦେଶ ସୀମାରେ ୪ ଅନୁପ୍ରବେଶକାରୀ ବିଏସ୍‌ଏଫ୍ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ଭାରତ ସହ ଲାଗିଥିବା ବାଂଲାଦେଶର ୪୦୯୬ କିମି ଓ ପାକିସ୍ତାନର ୩୩୨୩ କିମି ସୀମାର ସୁରକ୍ଷା ଦାୟିତ୍ୱରେ ଥିବା ବିଏସ୍‌ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବାଂଲାଦେଶରୁ ଅନୁପ୍ରବେଶ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଏଠାରେ ଚାକିରି ଆଶାୟୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ଡ୍ରଗ୍ସ ଓ ମାନବ ତସ୍କର । ସେହିପରି ପାକିସ୍ତାନ ପଟରୁ ଅନୁପ୍ରବେଶ କରୁଥିବା ବ୍ୟକ୍ତି ଅବୈଧ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହୋଇଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking