ହୁଏଭା : ଭାରତର ଏଚ୍ଏସ୍ ପ୍ରଣୟ ବୁଧବାର ମାଲେସିଆର ଡାରେନ୍ ଲିୟୁଙ୍କୁ ସିଧା ଗେମ୍ରେ ହରାଇ ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ର ପୁରୁଷ ସିଙ୍ଗଲ୍ସ ପ୍ରିକ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ୪୨ ମିନିଟ୍ ଧରି ଚାଲିଥିôବା ଏହି ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ପ୍ରଣୟ ମାଲେସିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨୧-୭, ୨୧-୧୭ରେ ହରାଇ ଦେଇଥିଲେ । ପରବର୍ତ୍ତୀ ମ୍ୟାଚ୍ ସେ ସ୍ପେନ୍ର ଲୁଇସ୍ ଏନ୍ରିକ୍ ପେନାଲଭର୍ ଓ ଡେନ୍ମାର୍କର ରାସମୁସ୍ ଗେମ୍କେଙ୍କ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ର ବିଜେତାଙ୍କୁ ଭେଟିବେ । ପ୍ରଣୟଙ୍କ ଏହି ବିଜୟ ଫଳରେ ଭାରତର ତିନିଜଣ ଖେଳାଳି ପୁରୁଷ ସିଙ୍ଗଲ୍ସ ପ୍ରିକ୍ୱାର୍ଟର୍ରେ ପହଞ୍ଚିଛନ୍ତି ।
ପ୍ରଣୟଙ୍କ ପୂର୍ବରୁ କିଦାମ୍ବୀ ଶ୍ରୀକାନ୍ତ ଓ ଲକ୍ଷ୍ୟ ସେନ୍ ଅନ୍ତିମ ୧୬ରେ ସ୍ଥାନ ହାସଲ କରିଥିଲେ । ପ୍ରଣୟଙ୍କ ମ୍ୟାଚ୍ର କିଛି ସମୟ ପରେ ସମାନ କୋର୍ଟରେ ଖେଳାଯାଇଥିବା ମହିଳା ଡବଲ୍ସର ଏକ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ଅଶ୍ୱିନୀ ପୋନାପ୍ପା ଓ ସିକ୍କି ରେଡ୍ଡୀଙ୍କ ଭାରତୀୟ ଯୋଡ଼ି ଚତୁର୍ଦ୍ଦଶ ସିଡ୍ ଚୀନା ଯୋଡ଼ି ଲିଉ ଝୁଆନ୍ ଝୁଆନ୍ ଓ ଝିଆ ୟୁ ଟିଙ୍ଗ୍ଙ୍କୁ ୨୧-୧୧, ୯-୨୧, ୨୧-୧୩ରେ ହରାଇ ବିପର୍ଯ୍ୟୟ ସୃଷ୍ଟି ସହ ପ୍ରିକ୍ୱାର୍ଟର୍ରେ ପ୍ରବେଶ କରିଥିଲେ । ତେବେ ଏମ୍ଆର୍ ଅର୍ଜୁନ୍ ଓ ଧ୍ରୁବ କପିଲାଙ୍କ ଭାରତୀୟ ଯୋଡ଼ି ପୁରୁଷ ଡବଲ୍ସ ମ୍ୟାଚ୍ରେ ଏକାଦଶ ସିଡ୍ ଭ୍ଲିଦିମିର୍ ଇଭାନୋଭ୍ ଓ ଇଭାନ୍ ସୋସୋନୋଭ୍ଙ୍କ ରୁଷୀୟ ଯୋଡ଼ିଠାରୁ ୧୧-୨୧, ୧୬-୨୧ରେ ପରାଜିତ ହୋଇଛନ୍ତି ।
ଏହି ମ୍ୟାଚ୍ ୪୧ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଆଜିର ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ର ପ୍ରଥମ ଗେମ୍ରେ ଲିୟୁଙ୍କ ପକ୍ଷରୁ ପ୍ରଣୟଙ୍କୁ ସେପରି ଟକ୍କର ମିଳିନଥିଲା । ପ୍ରଥମେ ୮-୫ରେ ଅଗ୍ରଣୀ ଥିବା ପ୍ରଣୟ ଲଗାତାର ୮ ଗେମ୍ ଜିତି ସ୍କୋର୍ ୧୬-୫ କରିଥିଲେ ଏବଂ ସହଜରେ ଗେମ୍ ହାତେଇ ନେଇଥିଲେ । ଦ୍ୱିତୀୟ ଗେମ୍ ସଂଘର୍ଷପୂର୍ଣ୍ଣ ଥିଲା ଏବଂ ଉଭୟ ଖେଳାଳି ଏକଦା ୬-୬ ସ୍ଥିତିରେ ଥିଲେ । ତେବେ ଏହାପରେ ପ୍ରଣୟ ଆଉ ପଛରେ ନପଡ଼ି ୧୬-୧୧ରେ ଆଗୁଆ ରହିଥିଲେ । ମାଲେସିଆ ଖେଳାଳି ଏହି ବ୍ୟବଧାନକୁ କମ୍ କରିଥିଲେ ମଧ୍ୟ ଶୀଘ୍ର ୧୯-୧୬ରେ ଆଗୁଆ ହେବା ସହ ଦ୍ୱିତୀୟ ଗେମ୍ ଓ ମ୍ୟାଚ୍ ଜିତି ନେଇଥିଲେ ।