କେପ୍ ଟାଉନ: ଟିମ୍ ଇଣ୍ଡିଆ କେପ୍ ଟାଉନ୍ ଟେଷ୍ଟ୍ରେ ସାଉଥ୍ ଆଫ୍ରିକାକୁ ହରାଇ ଐତିହାସିକ ବିଜୟ ହାସଲ ସହିତ ସିରିଜ୍ ଡ୍ର’ ରଖିଛି । କେପ୍ ଟାଉନ୍ରେ ସାଉଥ୍ ଆଫ୍ରିକାକୁ ଟିମ୍ ଇଣ୍ଡିଆ ହରାଇବା ଏହା ପ୍ରଥମ ଘଟଣା । ଏହା ସହିତ ପ୍ରଥମ ଏସୀୟ ଦେଶ ଭାବେ ଭାରତ ଏହି ଗ୍ରାଉଣ୍ଡ୍ରେ ବିଜୟୀ ହୋଇଛି । ସିରିଜ୍ ଡ୍ର’ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଫାଷ୍ଟ୍ ବୋଲର୍ ଜସ୍ପ୍ରୀତ୍ ବୁମ୍ରା ଇତିମଧ୍ୟରେ ପାକିସ୍ତାନୀ ମହାନ୍ କ୍ରିକେଟର୍ ଇମ୍ରାନ୍ ଖାନ୍ଙ୍କ ଏକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ବୁମ୍ରା ସାଉଥ୍ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ମୋଟ ୧୨ ୱିକେଟ୍ ଅକ୍ତିଆର କରିଛନ୍ତି ।
ଏହା ସହିତ ସେନା (ସାଉଥ୍ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍ ଓ ଅଷ୍ଟ୍ରେଲିଆ) ଦେଶରେ ବୁମ୍ରାଙ୍କ ୧୧୩ ୱିକେଟ୍ ପୂରା ହୋଇଛି । ସେନା ଦେଶରେ ସର୍ବାଧିକ ୱିକେଟ୍ ହାସଲ କରିବା କ୍ଷେତ୍ରରେ ସେ ଏସୀୟ ବୋଲର୍ଙ୍କ ମଧ୍ୟରେ ପୂର୍ବତନ ପାକିସ୍ତାନୀ କ୍ୟାପ୍ଟେନ୍ ଇମ୍ରାନ୍ ଖାନ୍ଙ୍କୁ ପଛକରେ ପକାଇଛନ୍ତି । ଇମ୍ରାନ୍ ସେନା ଦେଶରେ ମୋଟ ୧୦୯ ୱିକେଟ୍ ହାସଲ କରିଥିଲେ । କେପ୍ ଟାଉନ୍ର ନ୍ୟୁଲାଣ୍ଡ୍ସ ଷ୍ଟାଡିୟମ୍ରେ ବୁମ୍ରା ଟେଷ୍ଟ୍ କ୍ୟାରିୟର୍ ଆରମ୍ଭ କରିଥିବା ବେଳେ ଏହି ଗ୍ରାଉଣ୍ଡ୍ରେ ସେ ଭାରତର ସବୁଠୁ ସଫଳ ବୋଲର୍ ମଧ୍ୟ ହୋଇଛନ୍ତି । ବୁମ୍ରା ଏଠାରେ ୩ଟି ମ୍ୟାଚ୍ ଖେଳି ୧୮ ୱିକେଟ୍ ହାସଲ କରିଛନ୍ତି । ଏହା ପୂର୍ବରୁ ଜଭାଗଲ୍ ଶ୍ରୀନାଥ ଦୁଇଟି ମ୍ୟାଚ୍ରୁ ୧୨ଟି ୱିକେଟ୍ ନେଇ ଭାରତର ସବୁଠୁ ସଫଳ ବୋଲର ଥିଲେ ।