ଭୁବନେଶ୍ୱର: ଠକ ବିଲ୍ଡରକୁ ଗିରଫ କଲା ଇଓଡବ୍ଲ୍ୟୁ । ପ୍ଲଟ୍ ଦେବ କହି ୩୫ ଜଣଙ୍କ ଠାରୁ ଠକି ନେଇଥିଲା ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା । ଅନିଲ କୁମାର ପଣ୍ଡା ନାମଙ୍କ ଜଣେ ବ୍ୟକ୍ତି ଏନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିବା ପରେ ଦୀପକ କୁମାର ଛୋଟରାୟ ନାମକ ବିଲ୍ଡରଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ । ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗରେ ବୋଲି ଜଣା ପଡିଛି । ଅନୀଲ କୁମାର ପଣ୍ଡା ଓ ଅନ୍ୟ ୩୪ ଜଣ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ଦୀପକ କୁମାର ଛୋଟରାୟଙ୍କୁ ଗିରଫ କରିଛି ।
ପାତ୍ରପଡ଼ାରେ ପ୍ଲଟ ଦେବାକୁ କହି ଜିଏଲ୍ଫ୍ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡ୍ ନାମକ ଏକ କମ୍ପାନୀ ଅଭିଯୋଗକାରୀମାନଙ୍କ ଠାରୁ ଭିନ୍ନ ଭିନ୍ନ ପରିମାଣର ଟଙ୍କା ନେଇଥିଲା । ଏହି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଦୀପକ କୁମାର ଛୋଟରାୟ । ଦୀପକ ଉକ୍ତ ଅଭିଯୋଗକାରୀଙ୍କ ଠାରୁ ପାତ୍ରପଡ଼ା ଅଞ୍ଚଳରେ ପ୍ଲଟ ଦେବେ କହି ଟଙ୍କା ନେଇଥିଲେ ହେଲେ ପରବର୍ତ୍ତୀ ସମୟରେ ଉକ୍ତ ସ୍ଥାନରେ ଫ୍ଲାଟର ବ୍ୟବସ୍ଥା ହୋଇପାରିଲା ନାହିଁ । ତେଣୁ ସେମାନଙ୍କୁ ଗାଡ଼କଣରେ ଫ୍ଲାଟ ଯୋଗାଇ ଦିଆଯିବ ବୋଲି କହିଥିଲା ଦୀପକଙ୍କ କମ୍ପାନୀ । ଏହା ପରେ ଏହି ୩୫ ଅଭିଯୋଗକାରୀଙ୍କ ଠାରୁ ୨୦୧୬ରୁ ୨୦୧୯ ମଧ୍ୟରେ କମ୍ପାନୀ ୧୨ ଲକ୍ଷ ଲେଖାଏ ଟଙ୍କା ନେଇଥିଲା ।
କିନ୍ତୁ ବର୍ତ୍ତମାନ ସୁଦ୍ଧା କମ୍ପାନୀ ସେମାନଙ୍କୁ ପ୍ଲଟ୍ କି ଫ୍ଲାଟ୍ ନଦେବା ସହ ଟଙ୍କା ମଧ୍ୟ ଫେରାଇ ନାହିଁ । ଇଓଡବ୍ଲ୍ୟୁ କହିଛି ଯେ ନିଜ ପାଖରେ କୌଣସି ଜମି ନଥାଇ ଜିଏଲ୍ଫ୍ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡ୍ର ଏମଡି ଦୀପକ କୁମାର ଛୋଟରାୟ ଲୋକଙ୍କୁ ମିଛ କହି ଟଙ୍କା ନେଇଥିଲେ । ନକଲି କାଗଜପତ୍ର ଦେଇ କମ୍ପାନୀ ଲୋକଙ୍କୁ ଠକିଥିଲା । କମ୍ପାନୀ ସେମାନଙ୍କଠାରୁ ୪ କୋଟିରୁ ଅଧିକ ଟଙ୍କା ନେଇ ଯାଇଥିଲା । ତେଣୁ ଉକ୍ତ ଅଭିଯୋଗ ଆଧାରରେ ଦୀପକକୁ ଗିରଫ କରିବା ସହ ବିଭିନ୍ନ କାଗଜପତ୍ର ସିଜ୍ କରିଛି ।