27.1 C
Bhubaneswar
Sunday, November 24, 2024
Homeଓଡିଶାବଜେଟ୍ ୨୦୨୪-୨୫ : ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀଙ୍କ ପାଇଁ ଅଭିଭାଷଣ

ବଜେଟ୍ ୨୦୨୪-୨୫ : ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀଙ୍କ ପାଇଁ ଅଭିଭାଷଣ

ଭୁବନେଶ୍ୱର : ମାନ୍ୟବର ବାଚସ୍ପତି ମହୋଦୟା ଏବଂ ଏହି ସମ୍ମାନନୀୟ ଗୃହର ମାନ୍ୟବର ସଦସ୍ୟମାନେ । ୨୦୨୪-୨୫ ବର୍ଷ ପାଇଁ ପର୍ଯ୍ୟଟନ ବିଭାଗର ବଜେଟ୍ ବିଷୟରେ କହିବା ମୋ ପାଇଁ ଏକ ବଡ଼ ସୌଭାଗ୍ୟ । ପର୍ଯ୍ୟଟନ ହେଉଛି ରାଜ୍ୟର ଆର୍ଥିକ ଉନ୍ନତି ପାଇଁ ଏକ ପ୍ରମୁଖ କ୍ଷେତ୍ର ଏବଂ ଏହାର ସ୍ଥାୟୀ ଓ ସମନ୍ବିତ ବିକାଶ ପାଇଁ ସମସ୍ତ ବିଭାଗ ତରଫରୁ ପଦକ୍ଷେପ ନିଆଯାଉଅଛି । ଓଡିଶାର ପର୍ଯ୍ୟଟନ କ୍ଷେତ୍ରରେ ହୋଇଥିବା ବିକାଶକୁ ଦେଖ୍ ମୋତେ ଯାହା ଅନୁଭବ ହେଉଛି ଯେ, ରାଜ୍ୟ ରାଜସ୍ବର ଅଭିବୃଦ୍ଧି ପାଇଁ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଏବଂ ମାର୍ଗଦର୍ଶନ ପାଇଁ ମୁଁ ନିଶ୍ଚିତ ଭାବରେ ତାଙ୍କୁ ଧନ୍ୟବାଦ ଅର୍ପଣ କରିବି । ଆମର ନିରନ୍ତର ପ୍ରଚାର ଓ ପ୍ରସାର ଅଭିଯାନ ଯୋଗୁଁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ଆମ ରାଜ୍ୟର ପର୍ଯ୍ୟଟନର ସାମଗ୍ରିକ ବିକାଶକୁ ସକ୍ଷମ କରିବା ଏବଂ ବିଭିନ୍ନ ପର୍ଯ୍ୟଟନ ଉତ୍ପାଦ ସୃଷ୍ଟି ପାଇଁ ମୁଁ ପୂର୍ବ ବର୍ଷର ବଜେଟ୍ ତୁଳନାରେ ଯାହାକି ୭୫୨ କୋଟି ଥିଲା,ତାକୁ ବଢାଇ ଏହି ବର୍ଷ ୮୧୭କୋଟି ୯୬ ଲକ୍ଷ ଟଙ୍କାର ବଜେଟ ଉପସ୍ଥାପନ କରୁଅଛି । ମହାଶୟା ମୁଁ ଏହି ପବିତ୍ର ଗୃହରେ ଚଳିତ ବର୍ଷର ବଜେଟର ପ୍ରମୁଖ ଉପାଦାନଗୁଡ଼ିକୁ ସୁଚାଇ ଦେବାକୁ ଚାହୁଁଛି:
ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୪୪୧.୨୮ କୋଟି ଟଙ୍କା ବ୍ୟୟ ବରାଦ
ବାଚସ୍ପତି ମହୋଦୟା, ରାଜ୍ୟରେ ବିଭିନ୍ନ ଗନ୍ତବ୍ୟସ୍ଥଳରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦେଇ ଚଳିତ ବର୍ଷ ୪୪୧.୨୮ କୋଟି ଟଙ୍କା ଆବଣ୍ଟନ ପାଇଁ ପ୍ରସ୍ତାବ ରଖାଯାଇଅଛି । ପର୍ଯ୍ୟଟନ ବିଭାଗ ପ୍ରମୁଖ ପର୍ଯ୍ୟଟନ ସ୍ଥଳିକୁ ଚିହ୍ନଟ କରି ତାହାର ଉନ୍ନତିକରଣ, ଏକୀକୃତ ମାଷ୍ଟର ପ୍ଲାନିଂ ଏବଂ ସାମଗ୍ରିକ ବିକାଶ ମାଧ୍ୟମରେ କରାଯାଉଅଛି । ଏହା ବ୍ୟତୀତ ବିଭିନ୍ନ ଚିହ୍ନିତ ପର୍ଯ୍ୟଟନ ସ୍ଥଳିର ଭିତ୍ତିଭୂମିର ବ୍ୟବଧାନ ଆକଳନ ଉପରେ ଆଧାର କରି ଏହି ବର୍ଷ ମଧ୍ୟରେ ପ୍ରାଥମିକତା ଭିଭିରେ ସୁବିଧା ଗୁଡ଼ିକର ନବୀକରଣ କରାଯିବ । ଯଥା Boat Club, ନିମନ୍ତ୍ରଣ ରେଷ୍ଟୁରାଣ୍ଟ, ଇକୋ ରିଟ୍ରୀଟ, ବେଳାଭୂମି ଉନ୍ନତିକରଣ, Food Court ଇତ୍ୟାଦି ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ସହିତ କ୍ୟାମିଂ, Beach Shacks, I, yacht, cruise ଇତ୍ୟାଦି କାର୍ଯ୍ୟକ୍ରମ ଆରମ୍ଭ କରାଯିବା ପାଇଁ ପଦକ୍ଷେପ ନିଆଯାଉଅଛି ।

ପର୍ଯ୍ୟଟନର ପ୍ରଚାର ଏବଂ ପ୍ରସାର ପାଇଁ ୧୫୭.୭୨ କୋଟି ଟଙ୍କାର ବ୍ୟୟ ବରାଦ
ବାଚସ୍ପତି ମହୋଦୟା, ଓଡ଼ିଶା ପର୍ଯ୍ୟଟନର ପ୍ରଚାର ଏବଂ ପ୍ରସାର ପାଇଁ ୧୫୭.୭୨ କୋଟି (ଏକଶହ ସତାବନ କୋଟି ବାସ୍ତରି ଲକ୍ଷ) ଟଙ୍କା ଆବଣ୍ଟନ ପାଇଁ ସ୍ଥିରୀକୃତ ହୋଇଛି । ସାରା ଦେଶରେ ବ୍ରାଣ୍ଡ ‘ଓଡିଶା ପର୍ଯ୍ୟଟନ’ର ପ୍ରଚାର ପାଇଁ ବାହ୍ୟ ବ୍ରାଣ୍ଡିଂ, ଇଲେକ୍ଟ୍ରୋନିକ୍ସ, ଡିଜିଟାଲ, ପ୍ରିଣ୍ଟ ଏବଂ ସୋସିଆଲ ମିଡିଆ ଭଳି ବିଭିନ୍ନ ମିଡିଆ ମାଧ୍ଯମରେ ବ୍ରାଣ୍ଡିଂ କରାଯାଉଅଛି । ମେଳା-ମହୋତ୍ସବ, ଇକୋ-ରିଟ୍ରୀଟ, ରୋଡ୍ ଶୋ, FIFA ଏବଂ FIH ପାଇଁ ପ୍ରାୟୋଜକ, ପର୍ଯ୍ୟଟନଭିଭିକ କ୍ଷୁଦ୍ର ଚଳଚ୍ଚିତ୍ରମାନ ପ୍ରସ୍ତୁତି, ଆଇଇସି ସାମଗ୍ରୀ, ସ୍ବତନ୍ତ୍ର ପ୍ରୋତ୍ସାହନମୂଳକ ପ୍ରକଳ୍ପ ଚଳିତ ବର୍ଷରେ କରାଯିବ ।
ଆବାସିକ କେନ୍ଦ୍ର ଗୁଡିକର ଉତଥାନ ଓ ନବୀକରଣ ପାଇଁ ୨୫ କୋଟି ଟଙ୍କାର ବ୍ୟୟ ବରାଦ
ପର୍ଯ୍ୟଟନ ବିଭାଗର ଆବାସିକ କେନ୍ଦ୍ର ଗୁଡିକର ଉତଥାନ ଓ ନବୀକରଣ ପାଇଁ ୨୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ଗୁରୁତ୍ବପୂର୍ଣ ପାନ୍ଥନିବାସ ସମେତ ପର୍ଯ୍ୟଟନ ବିଭାଗର ବିଭିନ୍ନ ଆବାସିକ କେନ୍ଦ୍ର ଅନ୍ତର୍ଭୁକ୍ତ ଅଟେ ।
ବରିଷ୍ଠ ନାଗରିକ ତିର୍ଥ ଯାତ୍ରା ଯୋଜନା ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ
ବାଚସ୍ପତି ମହୋଦୟା, ରାଜ୍ୟ ସରକାରଙ୍କ ଦ୍ବାରା ୨୦୧୬ ମସିହାରୁ ଏହି ଯୋଜନା ଆରମ୍ଭ ହୋଇଥିଲା । ରାଜ୍ୟର ଆର୍ଥିକ ଦୁର୍ବଳ ଶ୍ରେଣୀର ବରିଷ୍ଠ ନାଗରିକମାନଙ୍କୁ ଏକ ତୀର୍ଥଯାତ୍ରା ଭ୍ରମଣର ସୁଯୋଗ ଦେଇ ତାଙ୍କ ସ୍ବପ୍ନକୁ ସାକାର କରିବା ଏବଂ ରାଜ୍ୟ ସହ‌ଯୋଗରେ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ କରିବା ପାଇଁ ସକ୍ଷମ କରିବା ଏହି ଯୋଜନାର ଉଦ୍ଦେଶ୍ୟ । ଏହି ଯୋଜନାରେ ସମସ୍ତ ଧର୍ମ ଓ ବିଶ୍ବାସର ଲୋକ ଅନ୍ତର୍ଭୁକ୍ତ ଅଟନ୍ତି । ଆଜି ପର୍ଯ୍ୟନ୍ତ ରାଜ୍ୟର ୨୯୫୮୮ଜଣ ବରିଷ୍ଠ ନାଗରିକ ଏହି ଯୋଜନା ଅଧୀନରେ ୩୦ ଟି ଯାତ୍ରା ମାଧ୍ଯମରେ ରାମେଶ୍ୱରମ୍, ପ୍ରୟାଗରାଜ, ଋଷିକେଶ, ଅଜମେର, ତିରୁପତି ବାଲାଜୀ, ତ୍ରିମ୍ଵାକେଶ୍ବର (ନାଶିକ୍), ଭେଲାନକାନି, କାମାକ୍ଷା ଇତ୍ୟାଦି ପରିଦର୍ଶନ କରିବାର ସୁବିଧା ପାଇଛନ୍ତି । ଆଇଆରସିଟିସି (IRCTC) ସ‌ହ ମିଳିତ ଭାବରେ ଆର୍ଥିକ ବର୍ଷ ୨୦୨୪-୨୫ ରେ ଏହି ଯୋଜନା ଅଧୀନରେ ୧୦ ଟି ତୀର୍ଥଯାତ୍ରା କରିବାକୁ ବିଭାଗ ଯୋଜନା କରିଛି ।
ଓଡିଶା ପର୍ଯ୍ୟଟନ ନୀତି ଏବଂ କ୍ରିଟିକ୍ସାଲ ଗ୍ୟାପ ପାଣ୍ଠି (Critical Gap Funding) ପାଇଁ ୭୫ କୋଟି ଟଙ୍କା ବ୍ୟୟ ବରାଦ
ବାଚସ୍ପତି ମହୋଦୟା, ଓଡିଶା ପର୍ଯ୍ୟଟନ ନୀତି, ୨୦୨୨ ଅନ୍ତର୍ଗତ ଯୋଗ୍ୟ ପର୍ଯ୍ୟଟନ ୟୁନିଟକୁ ପୁଞ୍ଜି ବିନିଯୋଗ ସବସିଡି (ସିଆଇଏସ୍) ଯୋଗାଇବା ପାଇଁ ଏହି ଯୋଜନା ଅଧୀନରେ ୭୫.୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ଯାହା ଦ୍ବାରା ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରାଯାଇପାରିବ ଏବଂ ଅଧୂକ ହୋଟେଲ, ରିସର୍ଟ, ଚିତ୍ତବିନୋଦନ ପାର୍କ, water sports ଇତ୍ୟାଦି ନୂତନ ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି ହୋଇପାରିବ, ଯାହାଫଳରେ ରାଜ୍ୟ ଏବଂ ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ଅକଦିନ ସୁବିଧାରେ ରହିପାରିବେ । ଏହା ପୁଞ୍ଜି ବିନିଯୋଗ ସବସିଡି, ପର୍ଯ୍ୟଟନ କ୍ଷେତ୍ରର ମାନଦଣ୍ଡ ବୃଦ୍ଧି କରିବାରେ ସହାୟକ ହେବ ।
ନିରାପତ୍ତା, ସୁରକ୍ଷା ଏବଂ ପରିମଳ ପାଇଁ ୧୫ କୋଟି ଟଙ୍କା ବ୍ୟୟ ବରାଦ ବାଚସ୍ପତି ମହୋଦୟା, ଭ୍ରମଣକାରୀ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ନିରାପତ୍ତା ତଥା ରାଜ୍ୟର ଗୁରୁତ୍ବପୂର୍ଣ୍ଣ ବେଳାଭୂମି ତଥା ପର୍ଯ୍ୟଟନ ସ୍ଥଳୀରେ ପରିଷ୍କାର ପରିଚ୍ଛନ୍ନତାକୁ ବିଚାରକୁ ନେଇ ବଜେଟ ଆକଳନ ୨୦୨୪-୨୫ରେ ଏହି ଯୋଜନା ଅଧୀନରେ ୧୫.୦୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି । ପର୍ଯ୍ୟଟକଙ୍କ ପରିଦର୍ଶନ ପରେ ପର୍ଯ୍ୟଟନ ସ୍ଥାନ ଏବଂ ପିକନିକ୍ ସ୍ଥାନଗୁଡିକୁ ପରିଷ୍କାର କରିବା ପାଇଁ ପ୍ରୟାସ ଆବଶ୍ୟକ ଅଟେ । ପର୍ଯ୍ୟଟନ କମ୍ପ୍ଲେକ୍ସଗୁଡିକର ଆଖପାଖକୁ ସଫା କରିବା ଏବଂ ଏହାର ପରିମଳ ବ୍ୟବସ୍ଥା ବଜାୟ ରଖିବା ଦ୍ବାରା ପରିବେଶ ପ୍ରଦୂଷଣ ହ୍ରାସ ପାଇବ । ସେହିଭଳି ଯାତ୍ରୀଙ୍କ ସୁରକ୍ଷା ପାଇଁ ପୁରୀ, କୋଣାର୍କ, ସାତପଡା, ଗୋପାଳପୁର ଇତ୍ୟାଦି ରାଜ୍ୟର ୮ଟି ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟନ ପୋଲିସ ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି ।
ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ପାଇଁ ଗ୍ରାଣ୍ଟ-ଇନ୍-ସହାୟତା ୪ କୋଟି ଟଙ୍କା ବ୍ୟୟ ବରାଦ
ବାଚସ୍ପତି ମହାଦାୟ, State Institute of Hotel Management (SIHM) ଆତିଥ୍ୟ ଏବଂ ହୋଟେଲ ପ୍ରଶାସନରେ ଡିଗ୍ରୀ ପାଠ୍ୟକ୍ରମ, ଖାଦ୍ୟ ଉତ୍ପାଦନରେ ଡିପ୍ଲୋମା, ଖାଦ୍ୟ ଏବଂ ପାନୀୟ ସେବାରେ ଡିପ୍ଲୋମା, ଫ୍ରଣ୍ଟ ଅଫିସ୍ ପରିଚାଳନାରେ ଡିପ୍ଲୋମା ଏବଂ ହାଉସ୍ କିପିଂ ଅପରେସନରେ ଡିପ୍ଲୋମା ଆଦି ଶିକ୍ଷା ପ୍ରଦାନ କରୁଛି । ହୋଟେଲ କାର୍ଯ୍ୟର ବିଭିନ୍ନ ଦିଗରେ ଆଶାୟୀ ଛାତ୍ର ଛାତ୍ରୀମାନଙ୍କୁ ପ୍ରଭାବଶାଳୀ ଭାବରେ ତାଲିମ ଦେବା ପାଇଁ SIHM ବଲାଙ୍ଗିରରେ ଆଧୁନିକ ଲ୍ୟାବର ବ୍ୟବସ୍ଥା କରାଯାଇଛି । ଯୋଗ୍ୟ ଅଧ୍ୟାପକଙ୍କ ଏକ ଦଳ ଏହି ଉଦ୍ଦେଶ୍ୟରେ ନିୟୋଜିତ ହୋଇଛନ୍ତି । ତେଣୁ, ୨୦୨୪-୨୫ ଆର୍ଥିକ ବର୍ଷରେ ବଲାଙ୍ଗିର State Institute of Hotel Management ର ସହାୟତା ପାଇଁ Grant-in-Aid ୪ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।
ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଇ-ଶାସନ ପାଇଁ ୪ କୋଟି ଟଙ୍କା ବ୍ୟୟ ବରାଦ
IT ସମନ୍ଧୀୟ ଭିତ୍ତିଭୂମିର ବିକାଶ ଏବଂ ଓଡିଶା ପର୍ଯ୍ୟଟନ ଉତ୍ପାଦ ଗୁଡିକର ମୋବାଇଲ୍ ଆପ୍ ର ବିକାଶ କରିବା ପାଇଁ ଆର୍ଥିକ ବର୍ଷ ୨୦୨୪-୨୫ ରେ ୪.୦୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଏହା ବ୍ୟତୀତ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଉପରେ ନଜର ରଖିବା ପାଇଁ ଏକ ଅନଲାଇନ୍ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସୂଚନା ବ୍ୟବସ୍ଥା ମଧ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଇ-ଶାସନ ଅଧୀନରେ ବିକଶିତ ହେବ ।
ସୂଚନା, ଶିକ୍ଷା ଏବଂ ଯୋଗାଯୋଗର ସକ୍ରିୟତା ପାଇଁ ୨ କୋଟି ଟଙ୍କା ବ୍ୟୟ ବରାଦ
ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକଳାପ ପର୍ଯ୍ୟଟନ କ୍ଷେତ୍ର ଉପରେ ଦୃଢ ପ୍ରଭାବ ପକାଇଥାଏ । ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ପ୍ରଚାର ଓ ପ୍ରସାର ସହିତ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହି ଯୋଜନାଗୁଡିକ ପହ‌ଞ୍ଚାଇବା ଏବଂ ସଫଳ ନିରୀକ୍ଷଣ ଏହାର ମୂଳ ଉଦ୍ଦେଶ୍ୟ । ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ସୂଚନା, ଶିକ୍ଷା ଏବଂ ଯୋଗାଯୋଗର ସକ୍ରିୟତା ପାଇଁ ୨ କୋଟି ଟଙ୍କାର ପ୍ରସ୍ତାବ ରହିଛି ।
ତାଲିମ ଏବଂ ଦକ୍ଷତା ବିକାଶ ପାଇଁ ୪ କୋଟି ଟଙ୍କା ବ୍ୟୟ ବରାଦ
ବାଚସ୍ପତି ମହୋଦୟା, ଏହି ଯୋଜନାରେ ସମ୍ପୃକ୍ତ ହିତାଧୁକାରୀଙ୍କ ପାଇଁ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ତଥା ବିଭାଗୀୟ ଅଧିକାରୀଙ୍କ ଦକ୍ଷତାର ବିକାଶ, ବିଦେଶୀ ଭାଷା ତାଲିମ, ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ତାଲିମ, Tour Guide training, ପ୍ରକୃତି ଶିବିର ସଦସ୍ୟ/ ପରିଚାଳକଙ୍କ ତାଲିମ ଏବଂ ପର୍ଯ୍ୟଟନ ପୋଲିସ୍ ତାଲିମ ଏହି ବିଭାଗ ଦ୍ବାରା ପରିଚାଳିତ କରାଯାଉଛି ।
ଏକ୍ସପୋଜର ଭିଜିଟ ପାଇଁ ୨ କୋଟି ଟଙ୍କା ବ୍ୟୟ ବରାଦ
ବାଚସ୍ପତି ମହୋଦୟା, ଏହି ଯୋଜନା ଓଡିଶା ସରକାରଙ୍କ ଦ୍ବାରା ୧୫ ମଇ ୨୦୨୩ ରୁ କର୍ମଚାରୀ ତଥା ଜନପ୍ରତିନିଧୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଆରମ୍ଭ କରାଯାଇଥିଲା । ଦୁବାଇ ଓ ସିଙ୍ଗାପୁର ଦୁଇଟି ଆନ୍ତର୍ଜାତୀୟ ସହରର ପ୍ରତିଷ୍ଠିତ ପ୍ରତିଷ୍ଠାନ, ସଂଗଠନ ଏବଂ ଭିତ୍ତିଭୂମି ପ୍ରକଳ୍ପ ପରିଦର୍ଶନ କରି ଏକ ବାହ୍ୟ ଶିକ୍ଷା ପ୍ଲାଟଫର୍ମ ପ୍ରଦାନ କରାଯାଇଥାଏ । ଓଡିଶା ସରକାରଙ୍କ ଦ୍ବାରା ଏୟାରଲାଇନ୍ସ ସହ ସ୍ବାକ୍ଷରିତ MOU ଅନୁଯାଇ, ଯାତ୍ରୀ ଭଡା ସହିତ ବିମାନ ଚଳାଚଳକୁ ସମର୍ଥନ କରିବା ପାଇଁ ଏହା ଉଦିଷ୍ଟ । ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଏହି ଯୋଜନା ପାଇଁ ୨ କୋଟି ଟଙ୍କାର ପ୍ରସ୍ତାବ ରହିଛି ।
Central Scheme Pilgrimage Rejuvenation and Spiritual Augmentation Drive (PRASAD)
କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ, ରାଜ୍ୟ ସରକାରଙ୍କର ସମାନୁପାତିକ ଅନୁଦାନ ବାବଦକୁ ୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ରାଜ୍ୟରେ ଥିବା ବିଭିନ୍ନ ମଠ, ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଖର୍ଚ କରାଯାଏ ।
ମହୋଦୟା, ଏତଦବ୍ୟତୀତ ପର୍ଯ୍ୟଟନ ବିଭାଗର କର୍ମଚାରୀ ମାନଙ୍କର ବାର୍ଷିକ ଦରମା ସହ ଅନ୍ୟାନ ଭତ୍ତା ବାବଦକୁ ପ୍ରଶାସନିକ ଖର୍ଚ୍ଚ ୧୭.୯୬ କୋଟି ଟଙ୍କାର ପ୍ରସ୍ତାବ କରାଯାଇଛି ।
ବାଚସ୍ପତି ମହୋଦୟା, ଆଜି ଏହି ପବିତ୍ର ଗୃହରେ ମୁଁ କହିରଖୁବା ପାଇଁ ଚାହେଁ ଯେ ଓଡିଶା ପ୍ରଦେଶ ପର୍ଯ୍ୟଟନ କ୍ଷେତ୍ରରେ ଭାରତର ଅଗ୍ରଣୀ ରାଜ୍ୟ ଭାବରେ ନିଶ୍ଚିତ ପରିଚିତ ହେବ । ଏହାର ବିସ୍ତୀର୍ଣ୍ଣ ବେଳାଭୂମି, ହ୍ରଦ, ମନ୍ଦିର ଓ ଚିର ସବୁଜିମା ଭରା ପର୍ବତ ଶିଖର ସମସ୍ତ ଦେଶ ବିଦେଶର ଜନତାଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ଅଟେ । ଏହି ପରିପ୍ରେକ୍ଷୀରେ ଆଜି ମୁଁ, କବିବର ରାଧାନାଥ ରାୟଙ୍କର ଚିଲିକା କାବ୍ୟରୁ ଗୋଟିଏ ପଂକ୍ତି ଉଦ୍ଧାର କରିବାପାଇଁ ଚାହୁଁଛି –
ଉତ୍କଳ-କମଳା ବିଳାସ-ଦୀର୍ଘକା
ମରାଳ ମାଲିନୀ ନୀଳାମ୍ବୁ ଚିଲିକା
ଉତ୍କଳର ତୁହି ଚାରୁ ଅଳଙ୍କାର
ଉତ୍କଳ-ଭୁବନେ ଶୋଭାର ଭଣ୍ଡାର
ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପର୍ଶ ନେତୃତ୍ବରେ ପର୍ଯ୍ୟଟନ କ୍ଷେତ୍ରରେ ସମସ୍ତ ପ୍ରକାର ବିକାଶ କାର୍ଯ୍ୟ ଜାରି ରହିଛି । ସେଥିପାଇଁ ମୁଁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଅଛି ।
ମୁଁ ଗୃହର ମାନ୍ୟବର ସଦସ୍ୟ / ସଦସ୍ୟା ମାନଙ୍କୁ ଅନୁରୋଧ କରୁଅଛି କି ୨୦୨୪- ୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ପର୍ଯ୍ୟଟନ ବିଭାଗର ଖର୍ଚ୍ଚ ଦାବିକୁ ପୂର୍ଣ ସମର୍ଥନ କରି ଏହାକୁ ଅନୁମୋଦନ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking