ଭୁବନେଶ୍ୱର: ରାଜ୍ୟରେ ବ୍ରାଉନସୁଗର ବେପାର ଦିନକୁ ଦିନ ବଢ଼ିବାରେ ଲାଗିଛି । କ୍ରାଇମ୍ବ୍ରାଞ୍ଚ ଓ ପୁଲିସ ବିପୁଳ ପରିମାଣରେ ବ୍ରାଉନସୁଗର ଜବତ କରୁଥିଲେ ବି ଏହି ବେପାର କମୁନାହିଁ । ଏମିତିକି ବଡ଼ବଡ଼ ବେପାରୀ ବ୍ରାଉନସୁଗର ବିକ୍ରି କରି ଆୟ ଟଙ୍କାକୁ ବିଭିନ୍ନ ସ୍ଥାନରେ ନିବେଶ କରୁଛନ୍ତି । ପରେ ସେହି ଟଙ୍କାରେ ନିଜର ସାମ୍ରାଜ୍ୟ ବିସ୍ତାର କରୁଛନ୍ତି । ତେଣୁ ଏହି ବଡ଼ବଡ଼ ବେପାରୀଙ୍କ ବେଆଇନ ଟଙ୍କା କାରବାରର ଚେର ଖୋଜିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନ ବଳାଇଛି । ଏନେଇ ୫ ନିଶାବେପାରୀ ତଥା ବ୍ରାଉନସୁଗର କିଙ୍ଗ୍ସଙ୍କୁ ଇଡି ସମନ୍ ଜାରି କରିଛି । ଏହାସହ ସେମାନଙ୍କ ବିରୋଧରେ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି । ସମନ୍ ଜାରି ପରେ ବେପାରୀଙ୍କ ମନରେ ଛନକା ପଶିଯାଇଥିବା ସୂଚନା ମିଳିଛି ।
ଇଡି ସ୍କାନର୍କୁ ଆସିଥିବା ୫ ବ୍ରାଉନସୁଗର କିଙ୍ଗ୍ସ ହେଲେ ଶେଖ ହାସିମ୍, ଶେଖ୍ ନସିମ୍, ଦେବାଶିଷ ବେହେରା, ଲୋକନାଥ ବେହରା ଓ ସେକ୍ ଆସିକ୍ । ୨୦୨୦ ମସିହାରେ ଏମାନେ କ୍ରାଇମବ୍ରାଞ୍ଚ ହାତରେ ଗିରଫ ହୋଇଥିଲେ । ଅଭିଯୁକ୍ତଙ୍କ ମଧ୍ୟରୁ ୨ରୁ ୩ଜଣ ଜାମିନ୍ରେ ଜେଲ୍ରୁ ଆସିଥିବା ସୂଚନା ମିଳିଛି । ଇଡି ପକ୍ଷରୁ ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟ, ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯିବ । ବିଶେଷକରି ବ୍ରାଉନସୁଗର କାରବାରରୁ କରିଥିବା ଲାଭ ଟଙ୍କା, ନିବେଶ, ମନି ଲଣ୍ଡରିଂର ଖୋଳତାଡ୍ ହେବ । ଏହାସହ ଆବଶ୍ୟକସ୍ଥଳେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୁବନେଶ୍ୱରର ଜଏଣ୍ଟ୍ ଡିରେକ୍ଟର ମାଧବ ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜଧାନୀର ରସୁଲଗଡ଼ ନିକଟରୁ ୨୦୨୦ ଜୁନ୍ ୧୯ ତାରିଖରେ ୪କିଲୋ ୫୦୦ଗ୍ରାମର ବ୍ରାଉନସୁଗର ଜବତ ହୋଇଥିଲା । ଯାହାର ବଜାର ମୂଲ୍ୟ ସାଢ଼େ ୪କୋଟି ଟଙ୍କା ।
ଏହି ମାମଲାରେ ବାଲେଶ୍ୱରର ମାଷ୍ଟରମାଇଣ୍ଡ୍ ଦେବାଶିଷ ବେହେରାଙ୍କ ସମେତ ୩ଜଣ ସହଯୋଗୀ ଧରାପଡ଼ିଥିଲେ । ସେହିପରି କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ୨୦୨୦ ମାର୍ଚ୍ଚ ୨୦ତାରିଖରେ ବାଲେଶ୍ୱରରୁ ୨କିଲୋ ୫୦୦ଗ୍ରାମ ବ୍ରାଉନସୁଗର ଜବତ କରିଥିଲା । ଯାହାର ବଜାର ମୂଲ୍ୟ ଅଢ଼େଇକୋଟି ଟଙ୍କା ହେବ । ଏହି ମାମଲାରେ ୨ଜଣ ବି.ଟେକ୍ ଛାତ୍ରଙ୍କ ସମେତ ମାଷ୍ଟରମାଇଣ୍ଡ ଲୋକନାଥ ବେହେରାଙ୍କୁ ଏସ୍ଟିଏଫ୍ ଗିରଫ କରିଥିଲା । ବରମୁଣ୍ଡା ବସଷ୍ଟାଣ୍ଡ୍ ନିକଟରୁ ୨୦୨୦ ଅକ୍ଟୋବର ୩୧ ତାରିଖରେ ୧କିଲୋ ୫୦୦ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନସୁଗର ଜବତ ହୋଇଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସେଖ୍ ହସିମ୍ ବକ୍ସ ସମେତ ଅନ୍ୟ ୨ସହଯୋଗୀଙ୍କୁ ଗିରଫ କରାଯାଇଥିଲା । ସେହିପରି ବ୍ରାଉନସୁଗର କାରବାର ନେଇ ୨୦୨୦ ଅଗଷ୍ଟ ୨୮ତାରିଖରେ ଶେଖ ହସିମ୍ ସମେତ ୨ଜଣ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ଭୁବନେଶ୍ୱରରୁ ଗିରଫ କରିଥିଲା । ଏମାନଙ୍କଠାରୁ ୪କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଥିଲା । ଏହାସହ ୨୦୨୦ ମାର୍ଚ୍ଚ ୧୯ତାରିଖରେ ନିଶାମାଫିଆ ସେଖ୍ ଆଶିକ୍ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଥିଲା । ୨୦୨୦ ମସିହାରେ ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ଜବତ ହୋଇଥିବା ଜଣାପଡ଼ିଛି । ତେବେ ଏମାନଙ୍କ ମଧ୍ୟରୁ ୨ରୁ ୩ଜଣ ଅଭିଯୁକ୍ତ ଜାମିନ୍ରେ ଆସିଥିବାବେଳେ ସେମାନଙ୍କ ପାଖକୁ ସମନ୍ ପଠାଯାଇଛି । ଅନ୍ୟମାନେ ଜେଲ୍ରେ ଥିବାବେଳେ ସେମାନଙ୍କୁ ମଧ୍ୟ ନୋଟିସ୍ ହୋଇଛି ।