ପୁରୀ : ସ୍ୱଳ୍ପ ବୟସର ଯୁବତୀମାନେ ସାମିଲ ହୋଇଛନ୍ତି ବ୍ରାଉନସୁଗାର କାରବାରରେ । ସଦରଥାନା ପୁଲିସ ଦ୍ୱାରା ବ୍ରାଉନସୁଗାର ଚୋରା କାରବାର ଅଭିଯୋଗରେ ୨ଜଣ ଯୁବତୀ ଗିରଫ ହେବା ଘଟଣାରୁ ଏହା ଲୋକଲୋଚନକୁ ଆସିଛି । ପୁରୀ ସହରରେ ବ୍ରାଉନସୁଗାର ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟର ଚୋରା କାରବାର ବିରୋଧରେ ପୁଲିସ ଚଳାଇଥିବା ସ୍ୱତନ୍ତ୍ର ଅଭିଯାନ କ୍ରମରେ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ ହୋଇଥିବା ଯୁବତୀ ଦ୍ୱୟ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡ଼ି କିଲୋଗ୍ରାମର ବଳଭଦ୍ର ବେହେରାଙ୍କ ପତ୍ନୀ ଲିପିନା ମହାପାତ୍ର(୨୨) ଏବଂ ଖୋର୍ଦ୍ଧା ଗୁରୁଜଙ୍ଗ ଗ୍ରାମର ଦିବାକର ମହାପାତ୍ରଙ୍କ କନ୍ୟା ଲିପ୍ସା ମହାପାତ୍ର ଓରଫ ଆକଂକ୍ଷା(୧୮) । ସେମାନଙ୍କ ଠାରୁ ୫ଗ୍ରାମ ୨୫ମି.ଗ୍ରା. ବ୍ରାଉନସୁଗାର, ଓଆର-୦୨ବିଆର-୮୫୫୮ ରେଜିଷ୍ଟ୍ରେସନ ନମ୍ବର ବିଶିଷ୍ଟ ହିରୋ ପ୍ଲେଜର ଗାଡ଼ି ଓ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି ।
ଏହି ଯୁବତୀଦ୍ୱୟ ପୁରୀ ସହରକୁ ବ୍ରାଉନସୁଗାର ଆଣି ଯୋଗାଉଥିବା ଜଣାପଡ଼ିଛି । ସଦରଥାନା ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏ ସଂକ୍ରାନ୍ତରେ ସଦରଥାନାରେ ଏନଡ଼ିପିଏସ ଆଇନର ୨୧(ଖ) ଓ ୨୯ ଧାରାରେ ୨୫୪/୨୧ ନମ୍ବର ମାମଲା ରୁଜୁ କରାଯାଇଛି । ସେହିଭଳି ଅନ୍ୟ ଏକ ଘଟଣାରେ କୁମ୍ଭାରପଡ଼ା ଥାନା ପୁଲିସ ୭ଗ୍ରାମ ୫ମି.ଗ୍ରା. ବ୍ରାଉନସୁଗାର ଜବତ କରିବା ସହ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଭୋଇ ସାହିର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୁତ୍ର ସମୀର କୁମାର ପ୍ରଧାନ(୨୮)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏ ସଂକ୍ରାନ୍ତରେ କୁମ୍ଭାରପଡ଼ା ଥାନା ପକ୍ଷରୁ ଏନଡ଼ିପିଏସ ଆଇନର ୨୧(ଖ) ଓ ୨୯ ଧାରାରେ ୨୧୭/୨୧ ନମ୍ବର ମାମଲା ରୁଜୁ ହୋଇଛି । ପୁଲିସ ସମୀର ଠାରୁ ଏକ ନାଲି ରଙ୍ଗର ଓଡ଼ି-୩୩ସି-୬୬୮୬ ରେଜିଷ୍ଟ୍ରେସନ ନମ୍ବର ବିଶିଷ୍ଟ ହିରୋ ଗ୍ଲାମର ବାଇକ ଜବତ କରିଛି ।