28.1 C
Bhubaneswar
Friday, September 27, 2024
Homeଦେଶ ବିଦେଶଅଷ୍ଟ୍ରେଲିଆ ବିଜୟ ରଥରେ ବ୍ରେକ୍‌; ତୃତୀୟ ଦିନିକିଆରେ ଇଂଲଣ୍ଡ ବିଜୟୀ

ଅଷ୍ଟ୍ରେଲିଆ ବିଜୟ ରଥରେ ବ୍ରେକ୍‌; ତୃତୀୟ ଦିନିକିଆରେ ଇଂଲଣ୍ଡ ବିଜୟୀ

ଲଣ୍ଡନ:  ଦିନିକିଆ କ୍ରିକେଟ୍‌ରେ ଅଷ୍ଟ୍ରେଲିଆ ଟିମ୍‌ର ବିଜୟ ରଥରେ ବ୍ରେକ୍ ଲାଗିଛି । ଚେଷ୍ଟର୍ ଲି ଷ୍ଟ୍ରୀଟ୍‌ରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ହ୍ୟାରୀ ବ୍ରୁକ୍‌ଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଡକ୍‌ୱର୍ଥ ଲୁଇସ୍ ନିୟମ ଅନୁସାରେ ଅଷ୍ଟ୍ରେଲିଆକୁ ୪୬ ରନ୍‌ରେ ପରାଜିତ କରିଛି । ଫଳରେ ଟିମ୍ ଲଗାତାର ୧୪ ବିଜୟ ପରେ ପ୍ରଥମ ପରାଜୟ ବରଣ କରିଛି । ପ୍ରଥମେ ଅଷ୍ଟ୍ରେଲିଆ ୫୦ ଓଭର୍‌ରେ ୭ ୱିକେଟ୍ ହରାଇ ୩୦୪ ରନ୍ କରିଥିଲା । ଜବାବରେ ଇଂଲଣ୍ଡ ୩୭.୪ ଓଭର୍‌ରେ ୪ ୱିକେଟ୍ ବିନିମୟରେ ୨୫୪ ରନ୍ କରିଥିଲା । ଏହି ସମୟରେ ବର୍ଷା ହେବା ଫଳରେ ଖେଳ ଆଗକୁ ହୋଇପାରି ନଥିଲା ଏବଂ ଡକ୍‌ୱର୍ଥ ଲୁଇସ୍ ନିୟମ ଅନୁସାରେ ଇଂଲଣ୍ଡକୁ ବିଜେତା ଘୋଷିତ କରାଯାଇଥିଲା ।
ଇଂଲଣ୍ଡ ପାଇଁ କ୍ୟାପ୍‌ଟେନ୍ ହ୍ୟାରୀ ବ୍ରୁକ୍ ୯୪ ବଲ୍‌ରେ ୧୧୦ ରନ୍‌ର ଅପରାଜିତ ଶତକୀୟ ଇନିଂସ୍ ଖେଳିଥିଲେ । ତାଙ୍କ ଇନିଂସ୍‌ରେ ୧୩ ଚୌକା ୨ ଛକା ସାମିଲ ଥିଲା । ୱିଲ୍ ଜ୍ୟାକ୍‌ସ ୮୨ ବଲ୍‌ରେ ୯ ଚୌକା ଓ ଗୋଟିଏ ଛକା ସହାୟତାରେ ୮୪ ରନ୍‌ର ଯୋଗଦାନ କରିଥିଲେ । ସେହିପରି ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ୨୨ ବଲ୍‌ରେ ୩୩ ରନ୍ କରି ଅପରାଜିତ ରହିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ଓ କାମେରୁନ୍ ଗ୍ରୀନ୍ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।
ଏହା ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭର୍‌ରେ ୭ ୱିକେଟ୍ ହରାଇ ୩୦୪ ରନ୍ କରିଥିଲା । ଟିମ୍ ପକ୍ଷରୁ ୱିକେଟ୍‌କିପର୍ ବ୍ୟାଟର୍ ଆଲେକ୍ସ କେରୀ ୬୫ ବଲ୍‌ରେ ସର୍ବାଧିକ ୭୭ ରନ୍ କରିଥିଲେ । ଏହା ବ୍ୟତୀତ ଷ୍ଟିଭ୍ ସ୍ମିଥ୍ ୬୦, କାମେରୁନ୍ ଗ୍ରୀନ୍ ୪୨, ଆରୋନ୍ ହାର୍ଡି ୪୪ ଓ ଗ୍ଲେନ୍ ମାକ୍ସୱେଲ୍ ୩୦ ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର୍ ୨ଟି ୱିକେଟ୍ ନେଇଥିବା ବେଳେ ବ୍ରାୟଡନ୍ କାର୍ସେ, ଜ୍ୟାକୋବ୍ ବେଥେଲ୍‌, ୱିଲ୍ ଜ୍ୟାକ୍ସ ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking