19.1 C
Bhubaneswar
Saturday, November 23, 2024
Homeଖେଳଆଜିଠାରୁ ନାଗପୁରରେ ବର୍ଡର-ଗାଭାସ୍କର୍ ଟ୍ରଫିର ପ୍ରଥମ ମ୍ୟାଚ୍‌; ଛଅ ବର୍ଷ ପରେ ଭାରତରେ ଟେଷ୍ଟ୍ ଖେଳିବ...

ଆଜିଠାରୁ ନାଗପୁରରେ ବର୍ଡର-ଗାଭାସ୍କର୍ ଟ୍ରଫିର ପ୍ରଥମ ମ୍ୟାଚ୍‌; ଛଅ ବର୍ଷ ପରେ ଭାରତରେ ଟେଷ୍ଟ୍ ଖେଳିବ ଅଷ୍ଟ୍ରେଲିଆ

ନାଗପୁର: ଟିମ୍ ଇଣ୍ଡିଆ ୨୦୨୩ର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଆସନ୍ତାକାଲିଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । ନାଗପୁରରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ଗୁରୁବାର ସକାଳ ସାଢ଼େ ୯ଟାରେ ଆରମ୍ଭ ହେବ । ଏହି ମ୍ୟାଚ୍ ଦୁଇ ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ପଟେ ଭାରତ ଟେଷ୍ଟ୍ ର‌୍ୟାଙ୍କିଙ୍ଗ୍‌ର ପ୍ରଥମ ସ୍ଥାନକୁ ଉଠିବା ଚାପରେ ରହିଥିବା ବେଳେ ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ୧୯ ବର୍ଷ ପରେ ଭାରତରେ ସିରିଜ୍ ଜିତିବାକୁ ଚାହିଁବ । ୧୯୪୮ ନଭେମ୍ବର ୨୮ରେ ଦୁଇ ଟିମ୍ ମଧ୍ୟରେ ପ୍ରଥମ ଥର ପାଇଁ ଟେଷ୍ଟ୍ ମ୍ୟାଚ୍ ଖେଳାଯାଇଥିଲା । ସେବେଠାରୁ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ଓ ଭାରତ ମଧ୍‌ୟରେ ମୋଟ ୧୦୨ଟି ଟେଷ୍ଟ୍ ଅନୁଷ୍ଠିତ ହୋଇଛି । ଏହା ମଧ୍ୟରୁ ଅଷ୍ଟ୍ରେଲିଆ ୪୩ ଏବଂ ଭାରତ ୩୦ ମ୍ୟାଚ୍ ଜିତିଛନ୍ତି । ଓଭର୍‌ଅଲ୍‌ରେ ଅଷ୍ଟ୍ରେଲିଆର ରେକର୍ଡ ଉନ୍ନତ ରହିଛି । ମାତ୍ର ଘରୋଇ ମାଟିରେ ଭାରତ କଙ୍ଗାରୁ ଟିମ୍ ସମ୍ପୂର୍ଣ୍ଣ ଭାବେ ଡୋମିନେଟ୍ କରିଛି ।

ଟିମ୍ ଇଣ୍ଡିଆର ଶକ୍ତି ସ୍ପିନ୍ ବୋଲିଂ ହୋଇଥିବା ବେଳେ ସ୍ପିନ୍ ଆଟାକ୍ ଭେଟେରାନ୍ ରବିଚନ୍ଦ୍ରନ୍ ଅଶ୍ୱିନ ସମ୍ଭାଳିବେ । ତାଙ୍କ ସହିତ ରବୀନ୍ଦ୍ର ଜାଡ଼େଜା ଏବଂ କୁଲଦୀପ ଯାଦବ କିମ୍ବା ଅକ୍ଷର ପଟେଲ୍‌ଙ୍କ ମଧ୍ୟରୁ ଜଣେ ରହିବେ । ଟିମ୍ ନିକଟରେ ସ୍ପିନ୍ ବୋଲର୍‌ଙ୍କ ବିକଳ୍ପର ଅଭାବ ନାହିଁ । ଏହି କାରଣରୁ ନାଗପୁରରେ ସ୍ପିନ୍ ଟ୍ରାକ୍ ଦେଖିବାକୁ ମିଳିବ । ପେସ୍ ବୋଲିଂରେ ଟିମ୍ ନିକଟରେ ମହମ୍ମଦ ଶମୀ, ମହମ୍ମଦ ସିରାଜ୍‌, ଉମେଶ ଯାଦବ ଏବଂ ଜୟଦେବ ଉନାଦକତ୍ ରହିଛନ୍ତି । ଏହା ମଧ୍ୟରୁ ଦୁଇଜଣ ପ୍ରଥମ ଟେଷ୍ଟ୍‌ରେ ସୁଯୋଗ ମିଳିବା ସମ୍ଭାବନା ରହିଛି । ଯଦି ୱିକେଟ୍ ସ୍ପିନର୍‌ଙ୍କୁ ସହାୟତା ଦେବ, ତେବେ ଭାରତ ଜଣେ ପେସର୍‌ଙ୍କୁ ଖେଳାଇପାରେ । ଗତ ପ୍ରଦର୍ଶନ ଦୃଷ୍ଟିରୁ ଶମୀ ଏବଂ ସିରାଜ୍‌ଙ୍କୁ ପ୍ରଥମ ଟେଷ୍ଟ୍‌ରେ ଦେଖିବାକୁ ମିଳିପାରେ । ଟିମ୍‌ର ବ୍ୟାଟିଂକୁ ଦେଖିଲେ ଦୁଇ ପ୍ରମୁଖ ବ୍ୟାଟର୍ କ୍ୟାପ୍‌ଟେନ୍ ରୋହିତ ଶର୍ମା ଗତ ଦୁଇବର୍ଷ ଧରି ଫର୍ମ ଏବଂ ଆହତ ସମସ୍ୟା ନେଇ ଯୁଝୁଥିବା ବେଳେ ବିରାଟ କୋହଲି ତିନିବର୍ଷ ଧରି ଶତକ ହାସଲ କରିନାହାନ୍ତି ।

ବାଂଲାଦେଶ ବିପକ୍ଷରେ ୨୦୧୯ରେ ତାଙ୍କର ଅନ୍ତିମ ଶତକ ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କ ବ୍ୟାଟ୍‌ରୁ ଛଅ ଅର୍ଦ୍ଧଶତକ ଆସିଥିଲେ ମଧ୍ୟ ଗୋଟିଏ ଶତକ ବାହାରି ନଥିଲା । ରୋହିତ ଶର୍ମା ଆହତ କାରଣରୁ ଅଧିକାଂଶ ସମୟ ଟିମ୍‌ରୁ ବାହାରେ ରହିଥିଲେ ଏବଂ ଗତ ୧୦ଟି ମାତ୍ର ଦୁଇଟି ମ୍ୟାଚ୍ ଖେଳିପାରିଛନ୍ତି । ତେବେ ଚେତେଶ୍ୱର ପୂଜାରା ଉନ୍ନତ ଫର୍ମରେ ଅଛନ୍ତି ଏବଂ ସେ ଟିମ୍‌କୁ ଶକ୍ତି ଦେବେ । ୱିକେଟ୍‌କିପର୍ ଋଷଭ ପନ୍ତ୍‌ଙ୍କ ଅନୁପସ୍ଥିତିରେ ସ୍କ୍ୱାଡ୍‌ରେ ପ୍ରଥମ ଥର ସାମିଲ ହୋଇଥିବା ଇଶାନ୍ କିଶନ୍ କିମ୍ବା ଦେଢ଼ବର୍ଷ ଧରି ବେଞ୍ଚ୍‌ରେ ବସିଥିବା କେଏସ୍ ଭରତଙ୍କୁ ସୁଯୋଗ ମିଳିପାରେ । ଏହା ବ୍ୟତୀତ ଟି-୨୦ର ଆକ୍ରମଣାତ୍ମକ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଡେବ୍ୟୁ କରିବାର ସମ୍ଭାବନା ରହିଛି । ସେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍‌ପ୍ରାଇଜ୍ ଏଲିମେଣ୍ଟ୍ ହୋଇପାରନ୍ତି ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାଇଁ ଭାରତୀୟ ପାଣିପାଗରେ ଖେଳିବା ସର୍ବଦା ଆହ୍ୱାନପୂର୍ଣ୍ଣ ରହିଆସିଛି । ଏଠାକାର ସ୍ପିନ୍ ଟ୍ରାକ୍‌ରେ ଖେଳିବା ସେନା ଦେଶ (ସାଉଥ୍ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍ ଏବଂ ଅଷ୍ଟ୍ରେଲିଆ) ପାଇଁ ଅସୁବିଧା ହୋଇଥାଏ । ଅଷ୍ଟ୍ରେଲିଆ ଶେଷଥର ପାଇଁ ଭାରତରେ ୨୦୦୪ରେ ଟେଷ୍ଟ୍ ସିରିଜ୍ (୨-୧) ଜିତିଥିଲା । ଏହାପରେ କଙ୍ଗାରୁ ଟିମ୍ ପାଇଁ ଏଠାରେ ଟେଷ୍ଟ୍ ସିରିଜ୍ ଜିତିବା ଏକ ସ୍ୱପ୍ନ ହୋଇଯାଇଛି । କିଛିଦିନ ତଳେ ଟିମ୍‌ର ଭାଇସ୍ କ୍ୟାପ୍‌ଟେନ୍ ଷ୍ଟିଭ୍ ସ୍ମିଥ୍ କହିଥିଲେ ଭାରତରେ ଟେଷ୍ଟ୍ ସିରିଜ୍ ଜିତିବା ଇଂଲଣ୍ଡରେ ଆଶେସ୍ ଜିତିଠାରୁ ଅଧିକ । ଡେଭିଡ୍ ୱାର୍ଣ୍ଣର୍‌, ଷ୍ଟିଭ୍ ସ୍ମିଥ୍ ଏବଂ ମ୍ୟାଟ୍ ରେନ୍‌ଶାଁଙ୍କ ବ୍ୟତୀତ ଟିମ୍‌ର ଅନ୍ୟ ସମସ୍ତ ବ୍ୟାଟର୍ ପ୍ରଥମ ଥର ପାଇଁ ଭାରତରେ ବ୍ୟାଟିଂ କରିବେ । ଟିମ୍‌ର ଷ୍ଟାର୍ ବ୍ୟାଟର୍ ମାର୍ନସ୍ ଲାବୁଶାନ୍‌ଙ୍କ ପାଇଁ ଭାରତରେ ବ୍ୟାଟିଂ କରିବା ଏକ ବଡ଼ ଚ୍ୟାଲେଞ୍ଜ୍ ହେବ । ସ୍ମିଥ୍ ଭାରତରେ ୬୦ ହାରରେ ୬୬୦ ରନ୍ କରିଛନ୍ତି । ୬ଟି ମ୍ୟାଚ୍‌ରେ ସେ ୩ ଶତକ ଏବଂ ଗୋଟିଏ ଅର୍ଦ୍ଧଶକତ ମଧ୍ୟ କରିଛନ୍ତି । ସେ ଟିମ୍ ଇଣ୍ଡିଆ ପାଇଁ ଅସୁବିଧା ସୃଷ୍ଟି କରିପାରନ୍ତି ।
ବୋଲିଂରେ ଅଷ୍ଟ୍ରେଲିଆର ସ୍ପିନ୍ ଆଟାକ୍ ନାଥନ ଲିଅନ୍ ଏବଂ ଫିଙ୍ଗର ସ୍ପିନର୍ ଆଷ୍ଟନ୍ ଆଗର ସମ୍ଭାଳିବେ । ଲିଅନ୍ ବହୁ ଅନୁଭବୀ ବୋଲର୍ ହୋଇଥିବା ବେଳେ ଭାରତରେ ଅଷ୍ଟ୍ରେଲିଆର ଦ୍ୱିତୀୟ ସର୍ବାଧିକ ସଫଳ ବୋଲର୍ । ଏହା ବ୍ୟତୀତ ମ୍ୟାଚ୍‌ରେ ଷ୍ଟିଭ୍ ସ୍ମିଥ୍ ମଧ୍ୟ ବୋଲିଂ କରିପାରନ୍ତି । ବେଙ୍ଗାଲୁରୁର ଅଲୁର୍‌ରେ ଫ୍ରାକ୍ଟିକ୍ ଅବସରରେ ତାଙ୍କୁ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା ।

ଗୁରୁବାର ନାଗପୁରରେ ପାଗ ଶୁଖିଲା ରହିବ । ପାଞ୍ଚଦିନ ପର୍ଯ୍ୟନ୍ତ ଏଠାରେ ବର୍ଷାର କୌଣସି ସମ୍ଭାବନା ନଥିବା ବେଳେ ଖରା ସହିତ ଅଧିକତମ ତାପମାତ୍ରା ୩୩ ଡିଗ୍ରୀର ସମ୍ଭାବନା ରହିଛି । ତେବେ ସକାଳ ସାଢ଼େ ୯ଟାରୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ସାମାନ୍ୟ କୁହୁଡ଼ି ଦେଖିବାକୁ ମିଳିପାରେ ।
ସେହିପରି ପିଚ୍‌କୁ ଦେଖିବାକୁ ଗଲେ ନାଗପୁରରେ ଟର୍ଣ୍ଣିଂ ଟ୍ରାକ୍‌ର ସମ୍ଭାବନା ରହିଛି । ଅର୍ଥାତ୍ ପିଚ୍‌ରେ ପ୍ରଥମ ଦିନରୁ ହିଁ ସ୍ପିନର୍‌ଙ୍କୁ ସହାୟତା ମିଳିପାରେ । ଏଠାରେ ବର୍ତ୍ତମାନ ସୁଦ୍ଧା ୬ଟି ଟେଷ୍ଟ୍ ମ୍ୟାଚ୍ ଖେଳାଯାଇଥିବା ବେଳେ ପ୍ରଥମ ବ୍ୟାଟିଂ କରିଥିବା ଟିମ୍ ୩ ଥର ବିଜୟୀ ହୋଇଛି । ସେହିପରି ପ୍ରଥମେ ବୋଲିଂ କରିଥିବା ଟିମ୍ ଦୁଇଥର ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ଡ୍ର’ ରହିଥିଲା ।

ଦୁଇ ଟିମ୍‌ର ସମ୍ଭାବିତ ଖେଳାଳି ଏକାଦଶ
ଭାରତ: ରୋହିତ ଶର୍ମା (କ୍ୟାପ୍‌ଟେନ୍‌), କେଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶୁବମାନ ଗିଲ୍‌/ସୂର୍ଯ୍ୟକୁମାର ଯାଦବ, କେଏସ୍ ଭରତ (ୱିକେଟ୍‌କିପର୍‌), ରବୀନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ୍ ଅଶ୍ୱିନ, କୁଲଦୀପ ଯାଦବ/ଅକ୍ଷର ପଟେଲ୍‌, ମହମ୍ମଦ ଶମୀ ଏବଂ ମହମ୍ମଦ ସିରାଜ୍ ।

ଅଷ୍ଟ୍ରେଲିଆ: ପ୍ୟାଟ୍ କମିନ୍ସ (କ୍ୟାପ୍‌ଟେନ୍‌), ଡେଭିଡ୍ ୱାର୍ଣ୍ଣର୍‌, ଉସ୍‌ମାନ ଖୱାଜା, ମାର୍ନସ୍ ଲାବୁଶାନ୍‌, ଷ୍ଟିଭ୍ ସ୍ମିଥ୍‌, ଟ୍ରାଭିସ୍ ହେଡ୍‌, ଆଲେକ୍ସ କେରୀ (ୱିକେଟ୍‌କିପର୍‌), ଆଷ୍ଟନ୍ ଅଗର, ନାଥନ ଲିଅନ୍‌, ମିଚେଲ୍ ସ୍ୱେପ୍‌ନ୍ ଏବଂ ସ୍କଟ୍‌୍ ବୋଲାଣ୍ଡ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking