ନ୍ୟୁୟର୍କ : ଭାରତର ରୋହନ୍ ବୋପନ୍ନା ଏବଂ ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ିଦାର ମାଥ୍ୟୁ ଏବ୍ଡେନ୍ ଚଳିତ ୟୁଏସ୍ ଓପନ୍ ପୁରୁଷ ଡବଲ୍ସ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଷଷ୍ଠ ସିଡ୍ ଇଣ୍ଡୋ-ଅଷ୍ଟ୍ରେଲୀୟ ଯୋଡ଼ି ସଂଘର୍ଷପୂର୍ଣ୍ଣ ପ୍ରିକ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଜୁଲିଆନ୍ କ୍ୟାଶ୍ ଏବଂ ହେନ୍ରୀ ପ୍ୟାଟେନ୍ଙ୍କ ବ୍ରିଟିଶ୍ ଯୋଡ଼ିକୁ ୬-୪, ୬-୭ (୫), ୭-୬ (୧୦-୬)ରେ ହରାଇ ଦେଇଛି । ପ୍ରଥମ ସେଟ୍ ଜିତିବା ପରେ ବୋପନ୍ନା ଏବଂ ଏବ୍ଡେନ୍ ଦ୍ୱିତୀୟ ସେଟ୍ରେ ୧-୪ରେ ପଛୁଆ ରହିଯାଇଥିଲେ । ତେବେ ପ୍ରତ୍ୟାବର୍ତ୍ତନ କରି ସେଟ୍କୁ ଟାଏବ୍ରେକର୍ରେ ପହଞ୍ଚାଇଥିଲେ ।
ମାତ୍ର କ୍ୟାଶ୍ ଓ ପ୍ୟାଟେନ୍ ତୃତୀୟ ସେଟ୍ ପଏଣ୍ଟ୍କୁ ପରିବର୍ତ୍ତିତ କରି ସ୍ଥିତି ବରବର ରଖିଥିଲେ । ନିର୍ଣ୍ଣାୟକ ସେଟ୍କୁ ସୁପର୍ ଟାଏବ୍ରେକ୍ରେ ପହଞ୍ଚିବା ପରେ ବୋପନ୍ନା ଓ ଏବ୍ଡେନ୍ ୩-୦ରେ ଆଗୁଆ ରହିଥିଲେ । ଏହାପରେ ଏହି ଅଗ୍ରଣୀକୁ ୪-୧ ଏବଂ ୮-୪ରେ ପହଞ୍ଚ।।ଇବା ପରେ ୧୦-୬ରେ ହାତେଇ ମ୍ୟାଚ୍ ଜିତି ନେଇଥିଲେ । ତେବେ ମିକ୍ସଡ୍ ଡବଲ୍ସରେ ବୋପନ୍ନା ଇଣ୍ଡୋନେସିଆ ଯୋଡ଼ିଦାର ଆଲ୍ଦିଲା ସୁତ୍ଜିଆଦିଙ୍କ ସହିତ ପରାଜୟ ମୁହଁ ଦେଖିଛନ୍ତି । ବେନ୍ ଶେଲ୍ଟନ୍ ଓ ଟେଲର୍ ଟାଉନ୍ସେଣ୍ଡ୍ଙ୍କ ଆମେରିକୀୟ ଯୋଡ଼ି ତାଙ୍କୁ ୬-୨, ୭-୫ରେ ପରାଜିତ କରିଥିଲେ ।
ଜୁନିୟର ବାଳକ ସିଙ୍ଗଲ୍ସରେ କ୍ୱାଲିଫିୟର୍ରୁ ଆସିଥିବା ଭାରତର ଆର୍ଯ୍ୟନ୍ ଶାହ ପ୍ରଥମ ରାଉଣ୍ଡ୍ରେ ସଂଘର୍ଷ କରି ଆମେରିକାର କାଇଲ୍ କାଙ୍ଗ୍ଙ୍କୁ ୬-୪, ୩-୬, ୨-୬ରେ ପରାଜିତ ହୋଇଛନ୍ତି । ସେହିପରି ଅନ୍ୟ ଏକ ପ୍ରଥମ ରାଉଣ୍ଡ୍ ଜୁନିୟର୍ ମ୍ୟାଚ୍ରେ ୟୁଭାନ୍ ନନ୍ଦନ ୬-୭(୩), ୩-୬ରେ ଚତୁର୍ଥ ସିଡ୍ ବ୍ରିଟେନ୍ର ହେନ୍ରୀଙ୍କ ଠାରୁ ପରାଜିତ ହୋଇଛନ୍ତି ।