ନୂଆଦିଲ୍ଲୀ: ସୋମବାର ସକାଳେ ଦିଲ୍ଲୀ ସ୍କୁଲଗୁଡିକୁ ଧମକପୂର୍ଣ୍ଣ ଇମେଲ ମିଳିଥିଲା । ସକାଳ ପ୍ରାୟ ୮ଟା ସମୟରେ ଇମେଲ ଯାଞ୍ଚ ବେଳେ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ପୋଲିସକୁ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତନ୍ନ ତନ୍ନ କରିଯାଞ୍ଚ କରୁଛି । ଆର୍ମି ପବ୍ଲିକ ସ୍କୁଲ, ଦିଲ୍ଲୀ କ୍ୟାଣ୍ଟ, ସାଲୱାନ ପବ୍ଲିକ ସ୍କୁଲ ଏସବୁକୁ ବୋମା ଧମକ ମିଳିଛି । ଛାତ୍ର ଏବଂ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୋଲିସ , ବୋମା ନିଷ୍କ୍ରିୟକାରୀ ଟିମ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଥାଉକି, କିଛି ଦିନ ତଳେ ମଧ୍ୟ ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ, ଧୌଲା କୁଆଁ ଏବଂ ବାୟୁସେନା ବାଲ ଭାରତୀ ସ୍କୁଲ, ଲୋଧି ରୋଡକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିବା ରିପୋର୍ଟ ଆସିଛି। ଏହି ଧମକଗୁଡ଼ିକ ଇଲେକ୍ଟ୍ରୋନିକ୍ ଭାବରେ ପଠାଯାଇଥିଲା। କିନ୍ତୁ, ସେଗୁଡ଼ିକ ମିଥ୍ୟା ବୋଲି ଜଣାପଡ଼ିଲା। ଚଳିତ CBSE ପରୀକ୍ଷା ମଧ୍ୟରେ ଦିଲ୍ଲୀର ଅନ୍ୟ କେତେକ ସ୍କୁଲକୁ ମଧ୍ୟ ବୋମା ଧମକ ଦିଆଯାଇଥିଲା। ଅଧିକାରୀଙ୍କ ଅନୁସାରେ, ଛାତ୍ରଛାତ୍ରୀମାନେ CBSE ଦ୍ୱାଦଶ ଶ୍ରେଣୀ 2026 ପରୀକ୍ଷା ଦେଉଥିବା ସମୟରେ ଅତି କମରେ ତିନୋଟି ସ୍କୁଲକୁ ବୋମା ଧମକ ଦିଆଯାଇଥିଲା।










