ୱାଶିଂଟନ : ଆମେରିକାରେ ଆସିଥିବା ତୁଷାର ଝଡ (ବମ୍ବ ସାଇକ୍ଲୋନ) ଯୋଗୁ ସମସ୍ତ ୫୦ଟି ରାଜ୍ୟ ପ୍ରଭାବିତ ହୋଇଛି । ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି ପାଇଛି । କଲୋରାଡୋ, କାନସାସ, ଓକଲାହୋମା, ନେବ୍ରାସ୍କା, ନ୍ୟୁୟର୍କ ଏବଂ ଓହିଓରେ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ଘଣ୍ଟା ପ୍ରତି ୭୦ ମାଇଲ ବେଗରେ ବରଫ ଝଡ ଦେଖାଦେଇଛି । ବରଫ ଝଡ ସହ ବର୍ଷା ଓ ବନ୍ୟା ଲୋକମାନଙ୍କ ଜୀବନ ଦୁର୍ବିସହ କରିଦେଇଛି । ବୁଫାଲୋରେ ରାସ୍ତାଘାଟ ଓ ଘର ଉପରେ ପ୍ରାୟ ୬ ଫୁଟ ଉଚ୍ଚର ବରଫ ଜମା ହୋଇଯାଇଛି । ଲୋକମାନେ ବାହାରକୁ ବାହାରି ପାରୁନାହାନ୍ତି । ଘରେ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯାହାଫଳରେ ଖ୍ରୀଷ୍ଟମାସ ଉତ୍ସବ ଫିକା ପଡିଯାଇଛି । ପ୍ରାୟ ୧୦ ହଜାର ବିମାନ ବାତିଲ ହୋଇଯାଇଛି । ବିମାନ ସେବା ବନ୍ଦ ଯୋଗୁ ଲୋକମାନେ ଘରକୁ ଯାଇ ଖ୍ରୀଷ୍ଟମାସ ମନାଇବା ସମ୍ଭବ ହୋଇନାହିଁ । ଲୋକମାନେ ବିମାନବନ୍ଦର ଚୌକି ଉପରେ ଶୋଇ ରାତି ବିତାଇଛନ୍ତି । କାର୍ରେ ଯାଉଥିବା କିଛି ଲୋକ ମଧ୍ୟ ମଝି ରାସ୍ତାରେ ଫସି ରହିଛନ୍ତି । ଆମେରିକାର ଅନେକ ସହରରେ ଏହା ସବୁଠାରୁ ଥଣ୍ଡା ଖ୍ରୀଷ୍ଟମାସ ବୋଲି କୁହାଯାଉଛି । ପ୍ରାୟ ୨୦ କୋଟି ଲୋକ ଭୟଙ୍କର ଥଣ୍ଡାରେ ପ୍ରଭାବିତ ହୋଇଛନ୍ତି । ଅନେକ ସହରରେ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଛି । ୨୦ ଲକ୍ଷରୁ ଅଧିକ ଲୋକଙ୍କ ଘରେ ବିଜୁଳି ନାହିଁ ।