ରୁଷ: ଶନିବାର ସନ୍ଧ୍ୟାରେ ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ବୋମା ବିସ୍ଫୋରଣକାରୀ ମହିଳାଙ୍କର ମଧ୍ୟ ଏଥିରେ ମୃତ୍ୟୁ ଘଟିଛି । ରେଷ୍ଟୁରାଣ୍ଟର ବାହାର ଟେରାସରେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଅତିଥିମାନଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ଦେଶର ଜାତୀୟ ଆତଙ୍କବାଦ ବିରୋଧୀ କମିଟି କହିଛି ଯେ ଜଣେ ଅଜଣା ମହିଳା କୁଡ୍ରିନସ୍କାୟା ସ୍କୋୟାରରେ ଥିବା ବାଲଝି ରୋସି ରେଷ୍ଟୁରାଣ୍ଟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଜଣେ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇଥିଲେ । ମହିଳା ଜଣକ ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ ଧରିଥିଲେ । ଯାହା ସେ ରେଷ୍ଟୁରାଣ୍ଟରେ ପ୍ରବେଶ କରିବା ପୂର୍ବରୁ ହିଁ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ମହିଳା, ତାଙ୍କୁ ଅଟକାଇଥିବା ସୁରକ୍ଷା କର୍ମୀ ଏବଂ ଜଣେ ଗ୍ରାହକଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ରୁଷୀୟ କର୍ତ୍ତୁପକ୍ଷ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ସୁଦ୍ଧା ସ୍ପଷ୍ଟ କରିନାହାଁନ୍ତି । ଅନ୍ୟପଟେ ପ୍ରାରମ୍ଭିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିସ୍ଫୋରଣ ପାଇଁ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣକୁ ଦାୟୀ କରାଯାଇଥିଲା । କିନ୍ତୁ ପରେ ଋଷୀୟ ଆତଙ୍କବାଦ ବିରୋଧୀ କମିଟି କହିଛି ଯେ ଏହା ଏକ ଆଇଇଡି ବିସ୍ଫୋରଣ ଥିଲା ।










