ଭୁବନେଶ୍ୱର : ବିଶ୍ୱ ହକି ମହାକୁମ୍ଭ ୨୦୨୩ର ଉଦ୍ଘାଟନୀ ଉତ୍ସବ ବୁଧବାର ଅନୁଷ୍ଠିତ ହେବ । କଟକର ବାରବାଟୀ ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବ ଅପରାହ୍ଣ ୩ଟାରୁ ଆରମ୍ଭ ହୋଇ ରାତି ୯ଟା ଯାଏ ଚାଲିବ । ମନୋରଞ୍ଜନ ଓ କଳାର ମିଶ୍ର ପ୍ରଦର୍ଶନରେ ବିଶ୍ୱ ଦରବାରରେ ପ୍ରତିଫଳିତ ହେବ ଓଡ଼ିଶାର ପ୍ରତିଛବି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବଲିଉଡ଼୍ ଅଭିନେତା ରଣବୀର ସିଂହ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଆଜି ବାରବାଟୀରେ ଆସନ୍ତାକାଲି କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ଅଭ୍ୟାସ କରିଛନ୍ତି । ଏହା ସହିତ ରାଜ୍ୟର ବଛାବଛା ଅଭିନେତା, କଳାକାର ମଧ୍ୟ ସେମାନଙ୍କର ପ୍ରାକ୍ ପ୍ରସ୍ତୁତି କରିଛନ୍ତି । ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବକୁ ଉଦ୍ଘାଟନ କରିବେ ।
ମୁଖ୍ୟମନ୍ତ୍ରୀଙ୍କ ସହ ବହୁ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ପରିଷଦ ସଦସ୍ୟ, ବିଧାୟକ, ପ୍ରଶାସକ, ବରିଷ୍ଠ କ୍ରୀଡ଼ାବିତ, କ୍ରୀଡ଼ା ସଙ୍ଗଠକ ଏବଂ ବିଭିନ୍ନ ଦେଶର ହକି ଖେଳାଳି ଏହି ଉତ୍ସବରେ ସାମିଲ ହେବେ । ତେବେ କାଲିର ଉଦଘାଟନୀ ଉତ୍ସବ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଥିବା ବଲିଉଡ ଷ୍ଟାର ରଣବୀର ସିଂହ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ରଣବୀର ସିଂହଙ୍କୁ ସ୍ୱାଗତ କରିବା ସହ ବେଶ କଛି ସମୟ ଆଲୋଚନା ମଧ୍ୟ କରିଛନ୍ତି । ବଲିଉଡ ଷ୍ଟାର ରଣବୀର ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ହକି ପାଇଁ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନକୁ ଭୁରିଭୁରି ପ୍ରଶଂସା କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ବଲିଉଡ ଷ୍ଟାର ରଣବୀର ସିଂହଙ୍କୁ ଏକ ସମ୍ବଲପୁରୀ ଷ୍ଟଲ୍ ପ୍ରଦାନ କରିଛନ୍ତି ।