ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା, କମାରଯୋଡ଼ା ଅଞ୍ଚଳରେ ଶାଶୂଘରୁ ବୋହୁର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏନେଇ ଝିଅର ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତା ଜଣଙ୍କ ହେଉଛନ୍ତି ଟୁକୁ ପାତ୍ରଙ୍କ ସ୍ତ୍ରୀ ପାର୍ବତୀ ପାତ୍ର । ମୃତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଟୁକୁ ଓ ପାର୍ବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ଏବଂ ମାସକ ତଳେ ପାର୍ବତୀକୁ ବିବାହ କରି ନିଜ ଘରକୁ ନେଇଯାଇଥିଲେ । ସେଠାରେ ଶାଶୂଘର ଲୋକେ ତାଙ୍କୁ ବାରମ୍ବାର ନିର୍ଯାତନା ଦେଇଆସୁଥିଲେ । ଏପରିକି ପାର୍ବତୀଙ୍କ ଗର୍ଭ ନଷ୍ଟ କରିବା ପାଇଁ ଶୁକ୍ରବାର ରାତିରେ ତାଙ୍କୁ ଯୋର ଜବରଦସ୍ତ ଗର୍ଭ ନିରୋଧକ ବଟିକା ଖୁଆଇଥିଲେ ଶାଶୁଘର ଲୋକେ ।
ଏନେଇ ଶନିବାର ସକାଳୁ ନିକଟରେ ଥିବା ବାପ ଘରକୁ ଆସି ସମସ୍ତ କଥା କହିଥିଲେ ପାର୍ବତୀ । ବାପଘର ଲୋକେ ଝିଅକୁ ବୁଝାଇ ସୁଝାଇ ଶାଶୂଘରକୁ ପଠାଇଦେଇଥିଲେ । ଶାଶୂଘରକୁ ଫେରିଯିବାର କିଛି ଘଣ୍ଟା ପରେ ଅର୍ଥାତ୍ ସକାଳ ପ୍ରାୟ ୮ଟା ବେଳେ ପାର୍ବତୀ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଖବର ପାଇଥିଲେ । ପାର୍ବତୀ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏତଲାକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଛି ଯୋଡ଼ା ପୁଲିସ । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଇନକ୍ୱେଷ୍ଟ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି । ସେପଟେ ପାର୍ବତୀଙ୍କ ସ୍ୱାମୀ ଟୁକୁ ପାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।