18.1 C
Bhubaneswar
Saturday, November 23, 2024
Homeଓଡିଶାବୋହୂର ଦବଙ୍ଗଗିରି; ଶାଶୂ, ଶ୍ୱଶୁର ଓ ନଣନ୍ଦଙ୍କୁ ମାଡ଼ମାରି ଘରୁ ତଡ଼ିଦେଲେ

ବୋହୂର ଦବଙ୍ଗଗିରି; ଶାଶୂ, ଶ୍ୱଶୁର ଓ ନଣନ୍ଦଙ୍କୁ ମାଡ଼ମାରି ଘରୁ ତଡ଼ିଦେଲେ

ବାଲିଚନ୍ଦ୍ରପୁର: ବଡ଼ଚଣା ଥାନା ଅଞ୍ଚଳରେ ଜନୈକା ବୋହୂଙ୍କ ଦବଙ୍ଗଗିରି ଆଲୋଚନାର ବିଷୟ ପାଲଟିଛି । ସମ୍ପୃକ୍ତା ମହିଳା ଶାଶୂ, ଶ୍ୱଶୁରଙ୍କ ସମେତ ଦୁଇ ନଣନ୍ଦଙ୍କୁ କିଛି ସ୍ଥାନୀୟ ଅସାମାଜିକ ଲୋକଙ୍କୁ ହାତକରି ମାଡ଼ମାରି ଘରୁ ତଡ଼ି ଦେଇଛନ୍ତି । ଶାଶୂ, ଶ୍ୱଶୁର ଏବେ ଜୀବନ ବିକଳେ ଅନ୍ୟତ୍ର ଭଡ଼ାଘର ନେଇ ରହୁଥିବାବେଳେ ନଣନ୍ଦ ଦୁଇ ଜଣ କ’ଣ କରିବେ ବୁଦ୍ଧିବାଟ ପାଉନାହାନ୍ତି । ବିଧବା ଭାଉଜ ଭୟରେ ଘରକୁ ଯାଇପାରୁନାହାନ୍ତି । ବ୍ଲକ୍ ଅନ୍ତର୍ଗତ ବନ୍ତଳା ଗ୍ରାମର ସତ୍ୟବାଦୀ ମହାପାତ୍ର ଜଣେ ସରକାରୀ କର୍ମଚାରୀ । ଅବସର ପରେ ବଡ଼ଚଣା ପଞ୍ଚାୟତସ୍ଥିତ କାଞ୍ଜିଆ ବଜାରରେ ଘର କରି ରହିଆସୁଥିଲେ । ପରିବାର କହିଲେ ଗୋଟିଏ ପୁଅ, ୨ ଝିଅ । ଝିଅ ଓ ପୁଅମାନଙ୍କ ବାହାଘର ସରିଛି ।

ଏକମାତ୍ର ପୁତ୍ର ସୌମ୍ୟରଞ୍ଜନ ମହାପାତ୍ର ଅନ୍ୟ ଜାତିରେ ବନ୍ଦନାରାଣୀ ସାହୁଙ୍କୁ ୨୦୦୭ରେ ପରିବାର ସହମତିରେ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳ ମନ୍ଦିରରେ ପ୍ରେମ ବିବାହ କରିଥିଲେ । ବିବାହ ପରେ ଦୁହେଁ ପତି ପତ୍ନୀ ଆନ୍ଧ୍ରପ୍ରଦେଶରେ ରହୁଥିଲେ । ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା । କରୋନା ସମୟରେ ସୌମ୍ୟରଞ୍ଜନ ଘରକୁ ଆସି କାଞ୍ଜିଆ ବଜାରରେ ରହୁଥିଲେ । ମାତ୍ର ସୌମ୍ୟଙ୍କ ପତ୍ନୀ ବନ୍ଦନାରାଣୀ ବାପଘରେ ରହୁଥିଲେ । ଖବରପାଇ ସ୍ୱାମୀ ସୌମ୍ୟରଞ୍ଜନ ବଡ଼ଚଣାରେ ରହୁଥିବା ଜାଣି ଆସିଲେ । କିଛିଦିନ ପରେ ଶାଶୂ ଶ୍ୱଶୁର ଏକ ମାସ ପାଇଁ ସତ୍ୟବାଦୀଙ୍କ ଆଣ୍ଠୁର ଅସ୍ତ୍ରୋପଚାର ପାଇଁ ଝିଅ ପାଖକୁ ହାଇଦ୍ରାବାଦ ଗଲେ । ଇତିମଧ୍ୟରେ ପୁଅ-ବୋହୂଙ୍କ ମଧ୍ୟରେ ପୁନର୍ବାର ମମୋମାଳିନ୍ୟ ହୋଇ ମାରପିଟ୍ ହେଲେ ।

ବନ୍ଦନା ଭାଇ ଭକ୍ତବତ୍ସଳ ଭାବଗ୍ରାହୀ ସାହୁଙ୍କୁ ବ୍ରହ୍ମପୁରରୁ ଡକାଇ ସୌମ୍ୟଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ନେଇ ଚାଲିଗଲେ । ଖବରପାଇ ସୌମ୍ୟଙ୍କ ବାପା-ମା’ ସେପ୍ଟେମ୍ବର ୨୦ରେ ହାଇଦ୍ରାବାଦରୁ ବଡ଼ଚଣା ଆସିଲେ । ସୌମ୍ୟ ୨୧ ତାରିଖରେ ବିଷ ପିଇଦେଇଥିଲେ । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ବନ୍ଦନାଙ୍କୁ ମଙ୍ଗଳାବାଗ ପୁଲିସ ଉପସ୍ଥିତିରେ ଅବଗତ କରାଯାଇଥିଲା । ପରେ ଶବ ବ୍ୟବଚ୍ଛେଦ ହୋଇ ଖାନନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେଲା । ପରେ ସତ୍ୟବାଦୀଙ୍କ ପତ୍ନୀ ସୁଧାଂଶୁବାଳାଙ୍କ ଦେହ ଖରାପ ହେବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୁଇ ଝିଅ ସମସ୍ତ ଖର୍ଚ୍ଚ ବହନ କରିଥିଲେ । ଝିଅମାନଙ୍କ ଟଙ୍କା ସୁଝି ନପାରିବାରୁ ସତ୍ୟବାଦୀ ସେମାନଙ୍କ ନାମରେ କାଞ୍ଜିଆ ଘରକୁ ବିକ୍ରି କରିଦେଲେ । ଦୀର୍ଘ ୫ ମାସ ପରେ ଗତ ଫେବୃଆରୀ ୧୮ ତାରିଖରେ ବନ୍ଦନା ସ୍ଥାନୀୟ ଅସାମାଜିକ ଯୁବକଙ୍କୁ ସାଥିରେ ନେଇ କାଞ୍ଜିଆ ବଜାରସ୍ଥିତ ଘରେ ଜୋର ଜବରଦସ୍ତି ପ୍ରବେଶ କଲେ । ଦୁଇ ନଣନ୍ଦଙ୍କୁ ମାଡ଼ମାରି ଘରୁ ତଡ଼ିଦେଲେ । ଝିଅମାନେ ଆଇନତଃ ଘରର ମାଲିକ ହୋଇଥିଲେ ମଧ୍ୟ ନିରୀହ ହୋଇଥିବାରୁ ଭାଉଜର ଅତ୍ୟାଚାର ସହି ନପାରି ଏବେ ଚଣ୍ଡିଖୋଲ ବଜାରରେ ଘରଭଡ଼ା ନେଇ ରହୁଛନ୍ତି । ଏ ନେଇ ସଂଗୀତା ଓ ସସ୍ମିତା ଦୁଇ ଭଉଣୀ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟଭିକ୍ଷା କରିଛନ୍ତି । ମାତ୍ର ବଡ଼ଚଣା ପୁଲିସ ଘଟଣାକୁ ଗୁରୁତ୍ୱ ନଦେବାରୁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯଦି ନ୍ୟାୟ ନମିଳେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking