22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶ୨୦ ବର୍ଷ ପରେ ବାଂଲାଦେଶରେ ବିଏନ୍‌ପି ସରକାର

୨୦ ବର୍ଷ ପରେ ବାଂଲାଦେଶରେ ବିଏନ୍‌ପି ସରକାର

– ତାରିକ୍ ରେହମାନ୍ ନୂଆ ପ୍ରଧାନମନ୍ତ୍ରୀ
-ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
-ଭାଇ ବୋଲି ସମ୍ବୋଧନ କଲେ ମମତା
-ବିଏନ୍‌ପିକୁ ସମର୍ଥନ ଦେଲେ ସଂଖ୍ୟାଲଘୁ ହିନ୍ଦୁ ସମୁଦାୟ
-ଜମାତ୍‌-ଏ-ଇସଲାମିକୁ ପ୍ରତ୍ୟାଖ୍ୟାନ କଲେ ଦେଶବାସୀ

ଢ଼ାକା: ବାଂଲାଦେଶ ସାଧାରଣ ନିର୍ବାଚନ ଫଳାଳଫ ସାମ୍ନାକୁ ଆସିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯାଇଛି। ଫଳାଫଳ ଅନୁସାରେ ତାରିକ୍ ରେହମାନ୍‌ଙ୍କ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) ନେତୃତ୍ୱାଧୀନ ମେଣ୍ଟକୁ ଭାରି ବହୁମତ ମିଳିଛି। ବାଂଲାଦେଶର ମୋଟ୍ ୨୯୯ ନିର୍ବାଚିତ ଆସନ ମଧ୍ୟରୁ ବିଏନ୍‌ପି ନେତୃତ୍ୱାଧୀନ ମେଣ୍ଟକୁ ୨୧୨ ଆସନ ମିଳିଛି। ଅନ୍ୟପକ୍ଷେ ମହମ୍ମଦ ୟୁନୁସ୍ ସମର୍ଥିତ ଜମାତ୍‌-ଏ-ଇସଲାମି (ଜେଇଆଇ) ନେତୃତ୍ୱାଧୀନ ମେଣ୍ଟ ମାତ୍ର ୭୭ ଆସନ ଜିତିବାରେ ସଫଳ ହୋଇଛି। ରିପୋର୍ଟ ଲେଖାହେବା ସୁଦ୍ଧା ଆହୁରି ୨ଟି ଆସନ (ଚଟଗାଓଁ-୨ ଏବଂ ଚଟଗାଓଁ-୪)ରେ ଫଳାଫଳ ଘୋଷଣା ହେବାକୁ ଯଦିଓ ବାକି ରହିଛି କିନ୍ତୁ ଏହାର ପ୍ରଭାବ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାର ସାମାନ୍ୟତମ ସମ୍ଭାବନା ମଧ୍ୟ ନାହିଁ। ବାଂଲାଦେଶରେ ସରକାର ଗଠନ କରିବା ପାଇଁ ୧୫୦ ଆସନର ଆବଶ୍ୟକତା ଥିବା ବେଳେ ବିଏନ୍‌ପି ନେତୃତ୍ୱାଧୀନ ମେଣ୍ଟ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ଆସନ ହାତେଇବାରେ ସଫଳ ହୋଇଛି। ଏଥିସହ ବାଂଲାଦେଶରେ ଦୀର୍ଘ ୨୦ ବର୍ଷ ପରେ ବିଏନ୍‌ପି ଏକ ନିର୍ବାଚିତ ତଥା ସ୍ଥାୟୀ ସରକାର ଗଠନ କରିବା ପାଇଁ ମଧ୍ୟ ସ୍ପଷ୍ଟ ଜନାଦେଶ ପାଇଛି। ଅନ୍ୟପକ୍ଷେ ମୋଟ୍ ୧୧ଟି ଦଳକୁ ନେଇ ଗଠିତ କଟ୍ଟରପନ୍ଥୀ ଜମାତ୍‌-ଏ-ଇସଲାମି ନେତୃତ୍ୱାଧୀନ ମେଣ୍ଟ ନିର୍ବାଚନରେ ବଡ଼ ଧରଣର ପରାଜୟ ବରଣ କରିଛି। ଏପରିକି ଶେଖ୍ ହସିନାଙ୍କ ସରକାରର ପତନ କରିଥିବା ଛାତ୍ର ସଂଗଠନ ଦଳ ‘ନ୍ୟାସନାଲ୍ ସିଟିଜେନ୍ ପାର୍ଟି (ଏନ୍‌ସିପି) ମଧ୍ୟ ଶୋଚନୀୟ ପରାଜୟ ବରଣ କରିଛି।

ଚଟଗାଓଁ-୨ ଏବଂ ଚଟଗାଓଁ-୪ ଆସନରେ ଫଳାଫଳ ଘୋଷଣାକୁ ଦେଶର ନିର୍ବାଚନ ଆୟୋଗ ସ୍ଥଗିତ ରଖିଛନ୍ତି। କାରଣ ଏହି ଦୁଇ ଆସନରୁ ଯେଉଁ ଦୁଇ ପ୍ରାର୍ଥୀ ବିଜୟୀ ହେବାର ସମ୍ଭାବନା ଅଧିକ ରହିଥିବା ଅନୁମାନ କରାଯାଉଛି ସେମାନଙ୍କ ବିରୋଧରେ ବିଭିନ୍ନ ଅପରାଧିକ ମାମଲା ରୁଜୁ ରହିଛି। ବାଂଲାଦେଶ ସୁପ୍ରିମକୋର୍ଟରେ ଏମାନଙ୍କ ବିରୋଧରେ ମାମଲା ବିଚାରାଧୀନ ଥିବାରୁ ନିର୍ବାଚନ ଆୟୋଗ ହୁଏତ ଏହି ଦୁଇ ଆସନରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି।

ରିପୋର୍ଟ ଅନୁସାରେ ବିଏନ୍‌ପିକୁ ସଂଖ୍ୟାଲଘୁ ବିଶେଷକରି ହିନ୍ଦୁ ବହୁଳ ଅଞ୍ଚଳରୁ ସର୍ବାଧିକ ଭୋଟ୍ ମିଳିଛି। ଶେଖ୍ ହସିନାଙ୍କ ଦଳ ଆୱାମୀ ଲିଗ୍‌ର ସମର୍ଥକମାନଙ୍କ ଭୋଟ୍ ମଧ୍ୟ ବିଏନ୍‌ପିକୁ ହିଁ ମିଳିଛି। ସେହିପରି ମୁସଲିମ୍ ବହୁଳ ଅଞ୍ଚଳରୁ ମଧ୍ୟ ମିଶ୍ରିତ ସମର୍ଥନ ବିଏନ୍‌ପି ଖାତାକୁ ଆସିଛି। ବିଏନ୍‌ପି ନେତା ତଥା ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଦିବଂଗତ ଜିଆଉର ରେହମାନ୍‌ଙ୍କ ପୁଅ ତାରିକ୍ ରେହମାନ୍ ଏବେ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ହେବା ମାର୍ଗ ମଧ୍ୟ ସ୍ପଷ୍ଟ ହୋଇଯାଇଛି। ସେ ବ୍ୟକ୍ତିଗତ ଭାବେ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଦୁଇଟି ଯାକ ଆସନରୁ ବିଜୟୀ ହୋଇଛନ୍ତି। ପ୍ରକାଶ, ଦିନକ ପୂର୍ବେ ଭୋଟିଂ ପ୍ରକ୍ରିୟା ଶେଷହେବା ମାତ୍ରେ ଭୋଟ୍ ଗଣତି ଆରମ୍ଭ ହୋଇଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ର ବିଜୟ ସୁନଶ୍ଚିତ ହୋଇଯାଇଥିଲା।

୨୦୦୮ରୁ ୨୦୨୪ ପର୍ଯ୍ୟନ୍ତ ଶେଖ୍ ହସିନାଙ୍କ ଦଳ ଆୱାମୀ ଲିଗ୍ ବାଂଲାଦେଶରେ କ୍ଷମତାସୀନ ରହିଥିଲା। ଅର୍ଥାତ୍ ଦୀର୍ଘ ୩୫ ବର୍ଷ ପରେ ବାଂଲାଦେଶକୁ କୌଣସି ପୁରୁଷ ପ୍ରଧାନମନ୍ତ୍ରୀ ମିଳିବାକୁ ଯାଉଛି। ୧୯୮୮ରେ କାଜି ଜାଫର୍ ଅହମ୍ମଦ ଶେଷଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ ପରେ ୧୯୯୧ରୁ ୨୦୨୪ ମଧ୍ୟରେ ଶେଖ୍ ହସିନା ଏବଂ ଦିବଂଗତ ବିଏନ୍‌ପି ଅଧ୍ୟକ୍ଷା ଖାଲିଦା ଜିଆଉର୍ ରେହମାନ୍ ପ୍ରଧାନମନ୍ତ୍ରୀ ଭାବେ ବାଂଲାଦେଶକୁ ଶାସନ କରିଥିଲେ। ଏହି ଦୁଇ ମହିଳାଙ୍କ ସମୟ ମଧ୍ୟରେ ଅନ୍ୟ କେହି ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ।

ବିଏନ୍‌ପିର ଏହି ବୃହତ୍ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତାରିକ୍ ରେହମାନ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ଭାରତ-ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆସିବା ଆଶା ପୋଷଣ କରିଛନ୍ତି ମୋଦୀ। ମୋଦୀ ନିଜ ଏକ୍ସ’ ପୋଷ୍ଟରେ ଲେଖିଛନ୍ତି, ବାଂଲାଦେଶର ସଂସଦୀୟ ନିର୍ବାଚନରେ ବିଏନ୍‌ପିର ନିର୍ଣ୍ଣାୟକ ବିଜୟ ପାଇଁ ତାରିକ ରେହମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏହି ବିଜୟ ତାରିକ୍‌ଙ୍କ ନେତୃତ୍ୱ ପ୍ରତି ବାଂଲାଦେଶର ଲୋକଙ୍କ ବିଶ୍ୱାସକୁ ଦର୍ଶାଉଛି। ଭାରତ ଏକ ଗଣତାନ୍ତ୍ରିକ, ପ୍ରଗତିଶୀଳ ଏବଂ ଅନ୍ତର୍ଭୁକ୍ତ ବାଂଲାଦେଶର ସମର୍ଥନରେ ସଦାସର୍ବଦା ଛିଡା ହେବ। ଦ୍ୱିପାକ୍ଷିକ ବହୁମୁଖୀ ସମ୍ପର୍କକୁ ସୁଦୃଢ଼ କରିବା ତଥା ସାଧାରଣ ବିକାଶ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ କାମ କରିବାକୁ ସେ (ମୋଦୀ ନିଜେ) ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଫୋନ୍ କରି ତାରିକ୍ ରେହମାନ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମମତା, ତାରିକ୍‌ଙ୍କୁ ଭାଇ ବୋଲି ସମ୍ବୋଧନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking