29.1 C
Bhubaneswar
Tuesday, November 26, 2024
Homeଓଡିଶାଭୁବନେଶ୍ୱରଅଗଷ୍ଟ ୧୫ରେ ଉଦଘାଟନ ହେବ ବିଏମସି ନୁତନ ମୁଖ୍ୟାଳୟ

ଅଗଷ୍ଟ ୧୫ରେ ଉଦଘାଟନ ହେବ ବିଏମସି ନୁତନ ମୁଖ୍ୟାଳୟ

ଭୁବନେଶ୍ୱର: ଖୁବ୍ ଶୀଘ୍ର ଉଦ୍‌ଘାଟନ ହେବ ବିଏମ୍‌ସିର ନୂତନ ବିଲ୍ଡିଂ । ରାଜଧାନୀର ସବୁଠାରୁ ଆକର୍ଷଣୀୟ ସରକାରୀ କୋଠା ଭାବେ ନିର୍ମିତ ହୋଇଥିବା ଏହି କାର୍ଯ୍ୟାଳୟ ଖୋଲିବ । ବହୁ ପ୍ରତୀକ୍ଷିତ ବିଏମ୍‌ସିର ନୂତନ ମୁଖ୍ୟାଳୟ ନିର୍ମାଣ କାର୍ଯ୍ୟ ସରିବା ପରେ ଇଣ୍ଟେରିୟର କାମ ଚାଲିଛି । ତେବେ ଖୁବ୍ ଶୀଘ୍ର କାମ ସରିବା ସହ ଅଗଷ୍ଟ ୧୫ରେ ଏହି ବିଲ୍ଡିଂର ଉଦ୍‌ଘାଟନ ହେବ ବୋଲି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ (ବିଏସ୍‌ସିଏଲ୍‌) ପକ୍ଷରୁ ସୂଚନା ମିଳିଛିି । ବିଲ୍ଡିଂକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାର ଯୋଜନା ରହିଥିଲେ ମଧ୍ୟ ଏଡ଼େ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ । ସୂଚନା ଥାଉ କି, ପୂର୍ବତନ ବିଏମ୍‌ସି କମିଶନର କ୍ରିଷ୍ଣନ କୁମାର ବହୁ ସ୍ଥାନରେ ଜାଗା ଚିହ୍ନଟ କରିବା ପରେ ଏହି ସ୍ଥାନ ଚୂଡାନ୍ତ ହୋଇଥିଲା । ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।ଏହା ମଧ୍ୟରେ କମିସନର ଭାବେ କ୍ରିଷ୍ଣନ କୁମାରଙ୍କ ସମେତ ଶୁଭମ୍ ସକ୍ସେନା, ସମର୍ଥ ବର୍ମା, ପ୍ରେମଚନ୍ଦ୍ର ଚୌଧାରୀ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ ମଧ୍ୟ ବିଏମସି କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇପାରିନଥିଲା । କମିଶନର ଭାବେ ସଞ୍ଜୟ ସିଂହ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ସମୟରେ ନିର୍ମାଣ କାର୍ଯ୍ୟ ସରିବା ସହିତ ଇଣ୍ଟେରିୟର କାମ ଚାଲିଥିଲା । ଏପରିକି ଖୁବ୍ ଶୀଘ୍ର ବିଲ୍ଡିଂ ଉଦ୍‌ଘାଟନ ହେବ ବୋଲି ସ୍ମାର୍ଟସିଟି ପକ୍ଷରୁ ବାରମ୍ବାର ସୂଚନା ଦିଆଯାଇଥିଲା । ତେଣୁ ସଞ୍ଜୟ ସିଂହ ବିଏମ୍‌ସି ନୂତନ କାର୍ଯ୍ୟାଳୟରେ ବସିବେ ବୋଲି ଏକ ପ୍ରକାର ସ୍ଥିର ହୋଇ ଯାଇଥିଲା । ତେବେ କାର୍ଯ୍ୟାଳୟ କାମ ସରିବା ପୂର୍ବରୁ ସଞ୍ଜୟ ସିଂହଙ୍କର ମଧ୍ୟ ବଦଳି ହୋଇଥିଲା । ଗଞ୍ଜାମର ପୂର୍ବତନ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ନୂତନ କମିଶନର ଭାବେ ନିଯୁକ୍ତ କରାଯାଇଛି । ବିଲ୍ଡିଂ ଉଦ୍‌ଘାଟନ ହେବା ପାଇଁ ହାତରେ ଆଉ କିଛି ଦିନ ଥିବାରୁ କୁଲାଙ୍ଗେ ଏଠାରେ ଦାୟିତ୍ୱ ଆରମ୍ଭ କରିବେ ବୋଲି ସ୍ପଷ୍ଟ ହୋଇ ଯାଇଛି । ସୂଚନାଯୋଗ୍ୟ, ୨୦୧୯ ଜୁନ୍ ମାସରେ ସତ୍ୟନଗର କାଳିମନ୍ଦିର ବିପରୀତ ପାଶ୍ୱର୍ରେ ଏହି ବିଲ୍ଡିଂ ନିର୍ମାଣ ଆରମ୍ଭ ହୋଇଥିଲା । ଦୁଇ ବର୍ଷ ଅର୍ଥାତ୍ ୨୦୨୧ ଜୁନ୍ ମାସ ବେଳକୁ ଏହା ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ମାତ୍ର କରୋନା ଏବଂ ଅନ୍ୟାନ୍ୟ କାରଣ ପାଇଁ ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସରି ପାରି ନଥିଲା । ୭୩ କୋଟି ଟଙ୍କା ବଜେଟ୍‌ରେ ନିର୍ମାଣ ହୋଇଥିବା ଏହି ବିଲ୍ଡିଂରେ ବିଏମ୍‌ସିର ନୂଆ ମୁଖ୍ୟାଳୟ ସହିତ ଇଣ୍ଟେଲିଜେନ୍ସସିଟି ଅପରେସନ୍ସ ଆଣ୍ଡ ମ୍ୟାଜେମେଣ୍ଟ ସେଣ୍ଟର (ଆଇସିଓଏମ୍‌ସି) ନିର୍ମାଣ ହୋଇଛି । ୧୧ ମହଲା ବିଶିଷ୍ଟ ଏହି ବିଲ୍ଡିଂ ୪.୦୪ ଏକର ଜମିରେ ନିର୍ମାଣ ହୋଇଛି । ଏଠାରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସହିତ ଗ୍ରାଉଣ୍ଡ ଫ୍ଲୋର୍‌ରେ ବିଏମ୍‌ସି କାର୍ଯ୍ୟାଳୟ ରହିବ । ସେହିପରି ୪ର୍ଥ ମହଲାରେ ବିଏମ୍‌ସି କମିଶନରଙ୍କ ଚାମ୍ବର ରହିବ ବୋଲି ସୂଚନା ଦିଆଯାଇଛି । ଏଥିସହ କୋଠାକୁ ଆକର୍ଷଣୀୟ କରିବା ପାଇଁ ଚତୁପାଶ୍ୱର୍ରେ ସୌନ୍ଦର୍ଯ୍ୟକରଣ କରାଯିବ । ବଡ କନ୍‌ଫରେନ୍ସ ହଲ୍‌, ପ୍ରତୀକ୍ଷାଳୟ, କ୍ୟାଣ୍ଟିନ୍ ଆଦି ମଧ୍ୟ ରହିବ । ସେହିପରି ଆଇସିଓଏମ୍‌ସି କାର୍ଯ୍ୟାଳୟରୁ ପୁରା ଭୁବନେଶ୍ୱର ଉପରେ ନଜର ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking