ପୁରୀ: ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ରକ୍ତଛିଟା । ଫଳରେ ନୀତି କାନ୍ତିରେ ସାମାନ୍ୟ ବିଳମ୍ବ ହୋଇଥିଲା । ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତଛିଟା ଦେଖାଯିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ, ସୋମବାର ମହାପ୍ରଭୁଙ୍କ ସକାଳଧୂପ ନୀତି ପୂର୍ବାହ୍ଣ୧୦ଟା ୫୦ରେ ଶେଷ ହେବାପରେ ଶ୍ରଦ୍ଧାଳୁମାନଙ୍କୁ ଭିତର କାଠ ନିକଟକୁ ଦର୍ଶନ ନିମନ୍ତେ ଛଡ଼ାଯାଇଥିଲା । ସେହି ସମୟରେ ଧୁକୁଡି ଦ୍ୱାର ତଳ ପାହାଚରେ ରକ୍ତ ପଡ଼ିଥିବା ସେବାୟତଙ୍କ ନଜରକୁ ଆସିବାରୁ ବଡ଼ ମହାସ୍ନାନ କରାଯାଇଥିଲା । ମାରା ହେବାରୁ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ବନ୍ଦ କରାଯାଇ ରତ୍ନ ସିଂହାସନ ସହ ଭିତର କାଠ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଧୂଆ ଯାଇ ଶୋଧ ପରେ ପୂର୍ବପରି ନୀତି ଆରମ୍ଭ ହୋଇଥିଲା । ମହାସ୍ନାନ ନୀତି ସରିବା ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ଏ ଅଘଟଣ ଯୋଗୁ ଶ୍ରଦ୍ଧାଳୁମାନେ ବ୍ୟାରିକେଡ଼ ମଧ୍ୟରେ ଛିଡ଼ାହୋଇ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅପେକ୍ଷା କରିଥିଲେ । ଶ୍ରଦ୍ଧାଳୁମାନଙ୍କ ଧାଡ଼ି ସିଂହଦ୍ୱାର ନିକଟରୁ ନେଇ ମରିଚୀକୋଟ ଛକ ପର୍ଯ୍ୟନ୍ତ ଲମ୍ବିଥିଲା ।