କଟକ: ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ(ଏଏଚପିଜିଆଇସି)ରେ ଖୁବଶୀଘ୍ର ବ୍ଲଡ ବ୍ୟାଙ୍କ ଖୋଲାଯିବ । ନବନିର୍ମିତ ଲିନାକ୍ କୋଠାର ପ୍ରଥମ ମହଲାରେ ବ୍ଲଡବ୍ୟାଙ୍କ କାର୍ଯ୍ୟକ୍ଷମ ହେବ । ଏଥି ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥିଲା ବେଳେ ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗର ଜଣେ ଡାକ୍ତରଙ୍କୁ ବ୍ଲଡ ବ୍ୟାଙ୍କ ଅଫିସର ଓ ୨ଜଣ ଟେକ୍ନିସିଆନଙ୍କୁ ନିଯୁକ୍ତି ଦିଆଯାଇଛି ।
ଏଥି ପାଇଁ ଆବଶ୍ୟକୀୟ ଉପକରଣ ଯୋଗାଇ ଦେବାକୁ ଓଡ଼ିଶା ଷ୍ଟେଟ ମେଡିକାଲ କର୍ପୋରେସନ(ଓଏସ୍ଏମସିଏଲ)କୁ ପ୍ରସ୍ତାବ ଦିଆଯାଇଛି ବୋଲି ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ପ୍ରକାଶଯୋଗ୍ୟ, କ୍ୟାନ୍ସର ହସ୍ପିଟାଲରେ ପ୍ରତ୍ୟେକ ବର୍ଷ ୧୦ହଜାରରୁ ଅଧିକ ୟୁନିଟ ରକ୍ତ ଆବଶ୍ୟକ ପଡୁଛି ।
ଏଥି ପାଇଁ ରୋଗୀମାନେ ଏସ୍ସିବି ମେଡ଼ିକାଲ ବ୍ଲଡବ୍ୟାଙ୍କ କିମ୍ବା କେନ୍ଦ୍ରୀୟ ରେଡକ୍ରସ ବ୍ଲଡ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି । ଆଗାମୀ ଦିନରେ ଏହି ସମସ୍ୟାକୁ ଦୂର କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।