ଭୁବନେଶ୍ୱର: ରସୁଲଗଡ ଛକରେ ଲୁଟେରାଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସନ୍ତୋଷ କୁମାର ରାଉତ ଓରଫ କାଳିଆଙ୍କୁ ନ୍ୟାୟ ଦାବି ଜୋର୍ ଧରିଛି । ଘଟଣାକୁ ୧୦ଦିନ ବିତିଯାଇଥିଲେ ବି ପୁଲିସ କେବଳ ମାମଲା ରୁଜୁ କରି ଚୁପ୍ ବସିପଡ଼ିଛି । ଏହି ମାମଲାରେ କେହି ଅଭିଯୁକ୍ତ ଗିରଫ ହୋଇନଥିବାବେଳେ ପୁଲିସର ତଦନ୍ତ ପ୍ରକ୍ରିୟାରେ କିଛି ଅଗ୍ରଗତି ନଥିବା ଭଳି ମନେହେଉଛି । ଏଥିପାଇଁ ସୁନ୍ଦରପଦା କପିଳପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ସୋମବାର ସହିଦନଗର ଥାନା ସମ୍ମୁଖରେ ପୂର୍ବାହ୍ଣ ୧୦ଟା ୩୦ମିନିଟ୍ରୁ ଗଣଧାରଣା ଦିଆଯାଇଥିଲା । ପରେ ପୁଲିସ ବୁଝାସୁଝା କରିବାରୁ ଧାରଣାରୁ ଉଠିଥିଲେ ।
ଏହି ପରିପ୍ରେକ୍ଷୀରେ ଗ୍ରାମବାସୀ ଜୋନ୍-୫ ଏସିପି ସଞ୍ଜିବ ଶତପଥୀଙ୍କ ଜରିଆରେ ମହାମହୀମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗ୍ରାମବାସୀମାନେ ଏୟାରଫିଲ୍ଡ ଥାନାରେ ଏକ ଅଭିଯୋଗପତ୍ର ଦେଇଥିଲେ । ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୩ତାରିଖ ସନ୍ଧ୍ୟା ୭ଟାରେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦର କାଳିଆ ରସୁଲଗଡ ଅଟୋଷ୍ଟାଣ୍ଡ ନିକଟରେ ବସିଥିଲେ। ଏହି ସମୟରେ କେତେକ ଦୁର୍ବୃତ୍ତ ସେଠାକୁ ଆସି ତାଙ୍କୁ ଛୁରି ଭୁସି ବେକରୁ ସୁନାଚେନ୍ ଛିଣ୍ଡାଇ ନେଇଥିଲେ । ଆକ୍ରମଣରେ ଗୁରୁତର ଆହତ କାଳିଆଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା । ଗତ ୫ତାରିଖରେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।