25.1 C
Bhubaneswar
Monday, October 21, 2024
Homeଓଡିଶାପୀଡିତା ମହିଳା ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ଦିଲ୍ଲୀରେ ରାଷ୍ଟ୍ରୀୟ ମାନବାଧିକାର କମିଶନ ଓ ଜାତୀୟ...

ପୀଡିତା ମହିଳା ହୋମଗାର୍ଡଙ୍କୁ ନ୍ୟାୟ ଦେବା ଦାବିରେ ଦିଲ୍ଲୀରେ ରାଷ୍ଟ୍ରୀୟ ମାନବାଧିକାର କମିଶନ ଓ ଜାତୀୟ ମହିଳା କମିଶନଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କଲା ବିଜେପିର ଏକ ପ୍ରତିନିଧି ଦଳ

ଡିଆଇଜିଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହିତ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଉ: ଡ.ଲେଖାଶ୍ରୀ

 ପୋଲିସର ବରିଷ୍ଠ ଅଧିକାରୀମାନେ ବେଆଇନ ଭାବେ ହୋମଗାର୍ଡମାନଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ବେଆଇନ କାର୍ଯ୍ୟ ଉପରେ ରୋକ୍ ଲଗାଇବା ପାଇଁ ନିର୍ଦ୍ଦେଶ ଜାରୀ କରିବାକୁ ନିବେଦନ
 ବହୁ ପ୍ରତିନିଧି ଦଳ ଓଡିଶା ଗସ୍ତ କରି ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଉଭୟ କମିଶନ ଦେଲେ ପ୍ରତିଶୃତି

ଭୁବନେଶ୍ୱର : ଅନୁଗୁଳଠାରେ ଅବସ୍ଥାପିତ ରାଜ୍ୟ ପୋଲିସ ଡିଆଇଜି ଶ୍ରୀ ବ୍ରିଜେଶ ରାୟ ଏବଂ ତାଙ୍କ ପତ୍ନୀ ନିଜ ସରକାରୀ ବାସଭବନରେ ଜଣେ କାର୍ଯ୍ୟରତ ହୋମଗାର୍ଡ ଶ୍ରୀମତୀ ସୈାରିନ୍ଦ୍ରି ସାହୁଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରିବା ଓ ନିର୍ଯ୍ୟାତନା ଦେବା ଅତ୍ୟନ୍ତ ଲଜ୍ଜାଜନକ । ଡିଆଇଜି ଦଂପତିଙ୍କ ନିର୍ଯ୍ୟାତନା ସହିନପାରି ଯାବତୀୟ ବ୍ୟକ୍ତିଗତ କାର୍ଯ୍ୟ କରୁଥିବା ହୋମଗାର୍ଡ ଶ୍ରୀମତୀ ସାହୁ ଶେଷରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ପ୍ରାଣ ବଂଚିଯାଇଛି ସତ, କିନ୍ତୁ ନିଜର ଦୁଇଟି ଗୋଡ ସବୁଦିନ ପାଇଁ ହରାଇ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । ରାଜ୍ୟ ସରକାର ପୀଡିତାଙ୍କୁ ନ୍ୟାୟ ନଦେଇ ଡିଆଇଜିଙ୍କୁ ବଦଳି କରି ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ସରକାର, ପୋଲିସ, ପ୍ରଶାସନ ମିଳିମିଶି ଡିଆଇଜି ଦଂପତିଙ୍କୁ ଖସାଇଦେବା ପାଇଁ ଲାଗିପଡିଛନ୍ତି । ଓଡିଶାବାସୀଙ୍କ ସୁରକ୍ଷା ଦାୟୀତ୍ୱରେ ଥିବା ଜଣେ ଡିଆଇଜି ର‌୍ୟାଂକର ପୋଲିସ ଅଧିକାରୀ ଯଦି ଆଇନବିରୋଧୀ କାର୍ଯ୍ୟ କରିବେ, ତାହେଲେ ସାଧାରଣ ଜନତା କାହାକୁ ବିଶ୍ୱାସ କରିବେ ! ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଗତ କାଲି ଦିଲ୍ଲୀଠାରେ ରାଷ୍ଟ୍ରୀୟ ମାନବାଧିକାରୀ କମିଶନ ଓ ଜାତୀୟ ମହିଳା କମିଶନଙ୍କୁ ସାକ୍ଷାତ କରି ଏଭଳି ଅଭାବନୀୟ ଓ ଅସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛି ବୋଲି ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ପୀଡିତା ମହିଳା ସୌରିନ୍ଦ୍ରୀ ସାହୁଙ୍କୁ ନ୍ୟାୟ ଦେବା ଦାବୀରେ ଦିଲ୍ଲୀରେ ‘ରାଷ୍ଟ୍ରୀୟ ମାନବାଧିକାର କମିଶନ’ ଓ ‘ଜାତୀୟ ମହିଳା କମିଶନ’ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଘଟଣା ଘଟିବାର ୧୭ ଦିନ ପରେ ତଥ୍ୟ ସାମ୍ନାକୁ ଆସିବା ପରେ ‘ଆଇ ଓ୍‌ôାସ୍‌’ କରିବାକୁ ଯାଇ ରାଜ୍ୟ ସରକାର ଡିଆଇଜିଙ୍କୁ ବଦଳି କରିଦେଇଛନ୍ତି ସତ, କିନ୍ତୁ ଏହା ପ୍ରକୃତ ଦଣ୍ଡ ନୁହେଁ । ଡିଆଇଜି ଦଂପତିଙ୍କ ବିରୁଦ୍ଧରେ ଆଇନଗତ ଏବଂ ଅପରାଧିକ ମାମଲା ଅନୁଯାୟୀ ଦଣ୍ଡବିଧାନ କରାଯାଉ । ରାଜ୍ୟ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ହୋଇଥିବାରୁ ଡିଆଇଜି ଶ୍ରୀ ରାୟଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହିତ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଉ ବୋଲି ଉଭୟ କମିଶନଙ୍କ ନିକଟରେ ବିଜେପି ପ୍ରତିନିଧି ଦଳ ଦାବୀ କରିଛନ୍ତି ।
ଗୁରୁତର ଭାବେ ଚିକିତ୍ସିତ ହେଉଥିବା ଶ୍ରୀମତୀ ସାହୁ ୨୨ ବର୍ଷ ତଳେ ନିଜ ସ୍ୱାମୀଙ୍କୁ ହରାଇ ନିଜ ୨ ଅବିବାହିତ ଝିଅଙ୍କ ସହ ଅତ୍ୟନ୍ତ କଷ୍ଟରେ ବାସ କରୁଛନ୍ତି । ଆଜିକୁ ପ୍ରାୟ ୧୮ଦିନ ହୋଇଗଲା କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲ୍‌ରେ ହୋମଗାର୍ଡ ଶ୍ରୀମତୀ ସାହୁ ଚିକିତ୍ସା ହେଉଛନ୍ତି । ତେଣୁ ଚିକିତ୍ସା ଏବଂ କ୍ଷତିପୂରଣ ବାବଦରେ ଶ୍ରୀମତୀ ସାହୁଙ୍କୁ ୧ କୋଟି ଟଙ୍କା ତୁରନ୍ତ ପ୍ରଦାନ କରାଯାଉ ଏବଂ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ୨ ଝିଅଙ୍କୁ ସରକାରୀ ଚାକିରୀ ଦିଆଯାଉ ବୋଲି ରାଷ୍ଟ୍ରୀୟ ମାନବାଧିକାରୀ କମିଶନ ଓ ଜାତୀୟ ମହିଳା କମିଶନ ନିକଟରେ ଦାବୀ କରାଯାଇଥିବାର ଡ.ଲେଖାଶ୍ରୀ କହିଛନ୍ତି ।
ଅନ୍ୟ ପଟେ ରାଜ୍ୟ ପୋଲିସର ବରିଷ୍ଠ ଅଧିକାରୀମାନେ ବେଆଇନ ଭାବେ ହୋମଗାର୍ଡମାନଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ବେଆଇନ କାର୍ଯ୍ୟ ଉପରେ ରୋକ୍ ଲଗାଇବା ପାଇଁ ଉଭୟ କମିଶନ ନିର୍ଦ୍ଦେଶ ଜାରୀ କରିବା ପାଇଁ ବିଜେପି ପ୍ରତିନିଧି ଦଳ ଅନୁରୋଧ କରିଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି । ବହୁ ଶୀଘ୍ର କମିଶନଙ୍କ ପ୍ରତିନିଧି ଦଳ ଓଡିଶା ଗସ୍ତ କରି ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଉଭୟ କମିଶନ ବିଜେପି ପ୍ରତିନିଧି ଦଳକୁ କହିଥିବାର ଡ.ଲେଖାଶ୍ରୀ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking