ନବୀନ ବାବୁଙ୍କ ୨୩ବର୍ଷ ନେତୃତ୍ୱରେ ଓଡ଼ିଶାର ଯୁବକଙ୍କ ଭବିଷ୍ୟତ ଅନ୍ଧାର
ଭାରତରେ ନିଯୁକ୍ତିର ହାର ୬.୯୪ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଓଡ଼ିଶାରେ ୧୩.୬୫ ହ୍ରାସ ପାଇଛି
“ଲ ଲେସ୍ ନେସ୍”କାରଣରୁ ରାଜ୍ୟକୁ ନା ଆସୁଛି ନିବେଶ ନା ହେଉଛି ନିଯୁକ୍ତି
ସମସ୍ତ ବୟସ ବନ୍ଧନୀରେ ଓଡ଼ିଶାର ନିଯୁକ୍ତି ହାର ହ୍ରାସ ପାଇବା ଦୁର୍ଭାଗ୍ୟଜନକ
ଇପିଏଫଓ ତଥ୍ୟ ଅନୁଯାୟୀ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ନିଯୁକ୍ତି କମ୍ ରହିଛି
ଭୁବନେଶ୍ୱର : ଓଡ଼ିଶାପ୍ରଦେଶରେ ନିଯୁକ୍ତିର ଅବସ୍ଥା କଣ ଅଛି ଇପିଏଫଓ ସଂସ୍ଥା ଅପ୍ରେିଲ ୨୦ରେ ଏକ ସବିଶେଷ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟରେ ଓଡ଼ିଶାର ଯୁବକଙ୍କ ଭବିଷ୍ୟତ ଓ ବର୍ତମାନ କିଭଳି ଅନ୍ଧକାରଚ୍ଛନ୍ନ ହୋଇଛି ତାହା ଦିବାଲୋକପରି ସ୍ପଷ୍ଟ । ଫେୃବୟାରୀ ୨୦୨୩ରେ ମହାରାଷ୍ଟ୍ରରେ ୨,୯୧,୮୧୮, ତାମିଲନାଡୁରେ ୧,୬୬,୪୯୧, ଗୁଜରାଟରେ ୧,୧୪,୨୭୦, ହରିଆନାରେ ୧, ୧୨,୬୦୦, କର୍ଣ୍ଣାଟକରେ ୧,୩୨,୧୫୨, ତେଲେଙ୍ଗାନାରେ ୭୯,୭୦୦ ନିଯୁକ୍ତି ସୃଷ୍ଟି ହୋଇ ବେକାର ଯୁବକଯୁବତୀମାନେ ଚାକିରି ପାଇଛନ୍ତି । ବଡ ଦୁଃଖରେ କହିବାକୁ ପଡୁଛି ଫେବୃୟାରୀରେ ଓଡିଶାରେ ପାଇଛନ୍ତି ମାତ୍ର ୧୭,୪୫୯ଜଣ । ରାଜ୍ୟ ସରକାରଙ୍କ କେଉଁ ନିଯୁକ୍ତି ନୀତି ଫଳରେ ଓଡ଼ିଶାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହା ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପଣ୍ଡା କହିଛନ୍ତି ଯେ, ଜାନୁୟାରୀ ତୁଳନାରେ ଫେବୃୟାରୀ ମାସରେ ସାରା ଭାରତରେ ନିଯୁକ୍ତି ୬.୯୪ ପ୍ରତିଶତ ବୃଦ୍ଧି ପାଇଛି ସେତେବେଳେ ଓଡ଼ିଶାରେ ୧୩.୬୫ ପ୍ରତିଶତ ହ୍ରାସ ପାଇବା ଦୁର୍ଭାଗ୍ୟଜନକ । ଏହି ରିପୋର୍ଟରେ ବୟସର ତଥ୍ୟ ମଧ୍ୟ ପ୍ରକାଶ ପାଇଛି ।
ଏହି ତଥ୍ୟରେ ଓଡ଼ିଶାର ନିଯୁକ୍ତଙ୍କ ସଂଖ୍ୟା ୧୮-୨୧ବର୍ଷ ବୟସ ବନ୍ଧନିରେ ୦.୧୭ପ୍ରତିଶତ, ୨୨-୨୫ବର୍ଷରେ ୦.୫ପ୍ରତିଶତ, ୨୬-୨୮ବର୍ଷରେ ୧୦.୪୨ପ୍ରତିଶତ, ୨୯-୩୫ବର୍ଷରେ ୧୭.୫୧ପ୍ରତିଶତ ଓ ୩୫ବର୍ଷରୁ ଊର୍ଦ୍ଧ୍ୱ ବୟସରେ ୨୬.୦୧ପ୍ରତିଶତ ହ୍ରାସ ପାଇଛି । ପ୍ରାୟତଃ ୧୮ରୁ ୨୮ବୟସ ପର୍ଯ୍ୟନ୍ତ ଯୁବକମାନଙ୍କ ନିଯୁକ୍ତିର ଢାଂଚା ଗଢ଼ି ଉଠିଥାଏ । ଯଦି ଏହି ସମୟରେ ସଂଗଠିତ କ୍ଷେତ୍ରରେ ଯୁବକ/ଯୁବତୀ ନିଯୁକ୍ତି ନପାଆନ୍ତି ତାହାଲେ ତାଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଏ ଓ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି । ନବୀନ ବାବୁଙ୍କ ୨୩ବର୍ଷ ନେତୃତ୍ୱରେ ଓଡ଼ିଶାର ଯୁବକଙ୍କ ଭବିଷ୍ୟତ ଅନ୍ଧାର ହୋଇଛି । ୧୮ ରୁ ୨୮ବର୍ଷ ଯୁବକଙ୍କ ସଂଗଠିତ କ୍ଷେତ୍ରରେ ନିଯୁକ୍ତିର ନୈରାଶ୍ୟଜନକ ଚିତ୍ର ଆଗାମୀ ପିଢ଼ି ଓ ଦୁଇଦଶନ୍ଧି ଭିତରେ ଓଡ଼ିଶା ଯୁବକଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଛି । ଓଡ଼ିଶାର ଯୁବକଙ୍କୁ ରାଜ୍ୟ ସରକାର ଜାଣିଶୁଣି ନିଯୁକ୍ତିରୁ ବଂଚିତ କରୁଛନ୍ତି ।
ବିଶେଷ କରି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ଏନେଇ ଭାରତୀୟ ଜନତା ପାର୍ଟି ସ୍ୱର ଉଠାଇଲେ ରାଜ୍ୟ ସରକାର ଚିଇଁକି ଉଠୁଛନ୍ତି । ଓଡ଼ିଶାରେ “ଲ ଲେସ୍ ନେସ” କାରଣରୁ ରାଜ୍ୟରେ ନିବେଶ ବାଧାପ୍ରାପ୍ତ ହେଉଛି ଓ ନିଯୁକ୍ତି ସୃଷ୍ଟି ହୋଇପାରୁନି । ନିଯୁକ୍ତିର ନାଭିକେନ୍ଦ୍ର ଝାରସୁଗୁଡା ସେଠାରେ ଦିନବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲେ ବି କାରଣ ଜଣାପଡୁନାହିଁ। ଖଣି ଅଂଚଳ ବଡବିଲରେ ଦିନବେଳେ ଗୁଳି ଫୁଟୁଛି, ଫଳରେ ଯୁବକମାନେ ମୃତ୍ୟୁବରଣ କରୁଛନ୍ତି । ଏଭଳି ଆଇନଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରି କୌଣସି ନିବେଶକାରୀ ଓଡ଼ିଶା ଆସୁନାହାନ୍ତି । ରାଜ୍ୟ ସରକାର ଯଥାଶୀଘ୍ର ଆତ୍ମସମୀକ୍ଷା କରନ୍ତୁ ଓ ନିଯୁକ୍ତି ସମ୍ପର୍କରେ ମିଥ୍ୟା କହିବାରୁ ବିରତ ରହିବାକୁ ଶ୍ରୀ ପଣ୍ଡା ଆହ୍ୱାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।