ହାଇଦ୍ରାବାଦ: ଏସ୍ଏସ୍ପି ପେପର୍ ଲିକ୍ ମାମଲାରେ ଜାମିନ ମିଳିବା ପରେ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ବନ୍ଦୀ ସଞ୍ଜୟ କୁମାର ଶୁକ୍ରବାର ଜେଲ୍ରୁ ମୁକୁଳିଛନ୍ତି । ୱାରଙ୍ଗଲ୍ ମାଜିଷ୍ଟ୍ରେଟ୍ କୋର୍ଟ ୨୦ ହଜାର ଟଙ୍କାର ବଣ୍ଢ୍ରେ ତାଙ୍କୁ ଗୁରୁବାର ଜାମିନ୍ ପ୍ରଦାନ କରିଥିଲେ । ସେହିପରି କୋର୍ଟ ଜାମିନ ପ୍ରଦାନ କରି ସେ ଦେଶଛାଡ଼ି ଯିବେ ନାହିଁ, ତଦନ୍ତରେ ସହଯୋଗ କରିବା ଏବଂ ସାକ୍ଷୀଙ୍କୁ ଧମକାଇବେ ନାହିଁ ବୋଲି ସର୍ତ୍ତ ରଖିଥିଲେ । ବନ୍ଦୀ ସଞ୍ଜୟ ତେଲେଙ୍ଗାନାର କରିମନଗରରୁ ଲୋକସଭା ସାଂସଦ ଅଛନ୍ତି । ଏସ୍ଏସ୍ସି ହିନ୍ଦୀ ପେପର୍ ଲିକ୍ ମାମଲାରେ ପୁଲିସ ତାଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଗିରଫ କରିଥିଲା । ବୁଧବାର କୋର୍ଟ ତାଙ୍କ ସମେତ ୪ ଜଣ ଲୋକଙ୍କୁ ଦୁଇ ସପ୍ତାହ ପାଇଁ ଜେଲ୍ ହାଜତକୁ ପଠାଇ ଦେଇଥିଲେ । ଏହାପରେ ସେ ହାଇକୋର୍ଟ ପହଞ୍ଚିଥିଲେ । ତେବେ ହାଇକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନଥିଲା । ସ୍ଥାନୀୟ କୋର୍ଟରେ ଆବେଦନ ପାଇଁ ହାଇକୋର୍ଟ ତାଙ୍କୁ କହିଥିଲେ । ଏହା ସହିତ ଏପ୍ରିଲ୍ ୧୦ରେ ମାମଲାର ଶୁଣାଣି ହେବ ବୋଲି କହିଥିଲେ ।