28.3 C
Bhubaneswar
Wednesday, July 8, 2026
Homeଓଡିଶାଏବିଭିପିର ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି
ବିଜେପି ସରକାର: ବିଜେଡି

ଏବିଭିପିର ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି
ବିଜେପି ସରକାର: ବିଜେଡି

ରମାଦେବୀ ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ ଘଟଣା
ଓଡ଼ିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ବିଜେପି ପାଇଁ ନିନ୍ଦିତ
ସୋମ୍ୟାଶ୍ରୀ ଘଟଣାର ପୁନରାବୃତିକୁ ଅପେକ୍ଷା କରିଛି ବିଜେପି
ଅପରାଧୀ ମାନେ ବିଜେପି ଛତ୍ରଛାୟାରେ ଥିବାରୁ ପୋଲିସ୍ ଗିରଫ କରୁନି

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ ଆଜି ବିଜେପି ସରକାର ପାଇଁ ନିନ୍ଦିତ । ଅଣଛାତ୍ର ମାନେ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରି ଗଣ୍ଡଗୋଳ କରିବା ସହ ଛାତ୍ରୀମାନଙ୍କୁ ବଳାକ୍ରାର କରି ଜୀବନରୁ ମାରିଦେବାକୁ ଧମକ ଦେଲେ । ମହିଳା ସୁରକ୍ଷା ନେଇ ଡିଣ୍ଡିମ ପିଟୁଥିବା ବିଜେପିର ଦୋମୁହାଁ ନୀତି ଆଜି ପଦାରେ ପଡ଼ିଛି କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ ଅଣଛାତ୍ର ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ଡ. ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ କିଛି ଅଣଛାତ୍ର କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରି ଗଣ୍ଡଗୋଳ କରିଛନ୍ତି । କିଛି ପୁରୁଷ ଅଣଛାତ୍ର, ବିଶ୍ୱବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି । ଯାହା ଲାଗୁଛି ପୁଣିଥରେ ସୌମ୍ୟାଶ୍ରୀ ଘଟଣାର ପୁନରାବୃତ୍ତି ହେବାକୁ ଯାଉଛି । ନ୍ୟାୟ ନପାଇ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ବର୍ଷକ ପୂର୍ବେ ଆତ୍ମହତ୍ୟା କରିଥିଲେ । ଏବିଭିପି ଓ ଅଶୈକ୍ଷିକ ପରିବେଶ ପାଇଁ ସେ ନ୍ୟାୟ ନପାଇ ଆତ୍ମାହୁତି ଦେଇଥିଲେ । ବାଲେଶ୍ୱର ସାଂସଦ ଓ ବିଧାୟକ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବାରୁ ବିଜେପି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ । ସୌମ୍ୟାଶ୍ରୀ ବିଶିଙ୍କ ପରିବାର ନ୍ୟାୟ ଅପେକ୍ଷାରେ ରହିଛନ୍ତି । ବିଜେପି ସରକାର ଓଡ଼ିଶାର ଛାତ୍ର ଓ ଯୁବ ସମାଜ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି । ବିଜେପି ପ୍ରୋତ୍ସାହନରେ ଏବିଭିପି ଅପରାଧିକ କାର୍ଯ୍ୟକଳାପ କରିଚାଲିଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପୁରୁଷ ମାନଙ୍କୁ ପ୍ରବେଶ ନିଷେଧ ଥିବାବେଳେ ପୁରୁଷ ଅଣଛାତ୍ର କିପରି ଗଣ୍ଡଗୋଳ କରିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବିଭିପିର ୧୬ ଜଣ ଅଣଛାତ୍ର ଧାରୁଆ ମାରଣାସ୍ତ୍ର ଧରି କ୍ୟାମ୍ପସରେ ପ୍ରବେଶ କରି ଗଣ୍ଡଗୋଳ କରିଥିଲେ । ବିଶ୍ୱବିଦ୍ୟାଳୟର ଛାତ୍ରୀ ମାନେ ବିରୋଧ କରିବାରୁ ବଳାକ୍ରାର କରି ଜୀବନରୁ ମାରିଦେବାକୁ ଛାତ୍ରୀମାନଙ୍କୁ ଧମକ ଦେଇଥିଲେ ଏବିଭିପିର ପୁରୁଷ ଅଣଛାତ୍ର । ଗଣ୍ଡଗୋଳରେ ଏବିଭିପିର ପୁରୁଷ ଅଣଛାତ୍ର ମାନଙ୍କ ସମ୍ପୃକ୍ତି ଥିବାରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମାମଲା ଦାୟର ହେଲା ନାହିଁ । ରମାଦେବୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବିଭିପି ପ୍ରତି କୋହଳ ମନୋଭାବ ପୋଷଣ କରୁଛନ୍ତି । ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ଏବିଭିପିର ଜାତୀୟ କନଫରେନ୍ସକୁ ଅତିଥି ହୋଇ ଯାଇଥିଲେ । ଯେଉଁଥିପାଇଁ ଏବିଭିପି ଆଜି ଏପରି କାଣ୍ଡ ଭିଆଇବାକୁ ସାହାସ ପାଇଲା । ଏପରି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ନିନ୍ଦନୀୟ ।

ଇପ୍ସୀତା ସାହୁ କହିଥିଲେ ଯେ, ମହିଳା ସୁରକ୍ଷାକୁ ନେଇ ଡିଣ୍ଡିମ୍ ପିଟୁଥିବା ବିଜେପି ସରକାର ବାସ୍ତବରେ ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ । ଯାହା ରମାଦେବୀ ବିଶ୍ୱବିଦ୍ୟାଳୟ ଗଣ୍ଡଗୋଳ ଘଟଣାରୁ ସ୍ପଷ୍ଟ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହିଳା ମାନଙ୍କ ପାଇଁ ଓଡ଼ିଶାରେ ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ଭାବେ ରମାଦେବୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସେହି ବିଶ୍ୱବିଦ୍ୟାଳୟର ଗାରିମାକୁ କ୍ଷୂର୍ଣ୍ଣ କରିବାରେ ଲାଗିଛି ବିଜେପି । ଏବିଭିପିର ଅଣଛାତ୍ର ଗୁଣ୍ଡାମାନେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କୁଳପତିଙ୍କ ଅଫିସ ନିକଟରେ ଗଣ୍ଡଗୋଳ କରିଥିଲେ । ଘଟଣାରେ କୁଳପତି ଓ ପୋଲିସ୍ ଚୁପ୍ ରହିବା ଅତ୍ୟନ୍ତ ଲଜ୍ଜାଜନକ । ସୌମ୍ୟାଶ୍ରୀ ବିଶି ମୃତୁ୍ୟ ଘଟଣାକୁ ବର୍ଷେ ପୂରିନଥିବା ବେଳେ ସମାନ ଘଟଣାର ପୁନରାବୃତି ପାଇଁ ଏବିଭିପି ଚେଷ୍ଟା କରୁଛି । ବିଜେପି ସମର୍ଥନରେ ଏବିଭିପି ଗୁଣ୍ଡାବାହିନୀ ସାଜିଛି । ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ଏବିଭିପି ସହ ଜଡିତ ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । କିଛି ଦିନ ତଳେ ବିଜେବି କଲେଜରେ ମଧ୍ୟ ଏବିଭିପି ଗୁଣ୍ଡା ମାନେ ଗଣ୍ଡଗୋଳ କରିଥିଲେ । କିନ୍ତୁ ପୋଲିସ୍ ସେମାନଙ୍କୁ ଗିରଫ କରିବାକୁ ସାହାସ ଜୁଟାଇ ପାରିଲା ନାହିଁ । ମହିଳାଙ୍କ ସୁରକ୍ଷା ପାଇଁ ସରକାରଙ୍କ ଶକ୍ତିଶ୍ରୀ ଯୋଜନା ଆଜି ପ୍ରହସନରେ ପରିଣତ ହୋଇଛି । ଅପରାଧ ଘଟାଇ ଏବିଭିପି ଗୁଣ୍ଡା ମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ କ୍ୱାର୍ଟରରେ ଲୁଚି ରହୁଛନ୍ତି । ବିଜେପି ସେମାନଙ୍କୁ ସୁରକ୍ଷା ଦେଇ ଅପରାଧକୁ ବୃଦ୍ଧି କରୁଛି । ରମାଦେବୀ ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କ ନାମ ଓ ଫଟୋ ଦେଲେ ସୁଦ୍ଧା ପୋଲିସ ସେମାନଙ୍କୁ ଗିରଫ କରୁନାହିଁ । ଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ଥିବାବେଳେ ପୋଲିସ ଗୁଣ୍ଡାମାନଙ୍କୁ ସୁରକ୍ଷା ଦେଉଛି । ଏବିଭିପିର ଗୁଣ୍ଡା ମାନଙ୍କୁ ତୁରନ୍ତ ଗିରଫ କରାଯାଉ, ନଚେତ୍ ବିଜେଡି ରାଜ୍ୟସାରା ଆନେ୍ଦାଳନ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking