ଭୁବନେଶ୍ୱର: ଦିନ ଦି ପହରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜଣେ ପୋଲିସ ଅଧିକାରୀଙ୍କ ଦ୍ୱାରା ଏଭଳି ହତ୍ୟାକାଣ୍ଡ ହେବା ପ୍ରଶାସନ ଉପରକୁ ଆଙ୍ଗୁଠି ଉଠାଇଛି । ସେପଟେ ହତ୍ୟାକାଣ୍ଡକୁ ନେଇ ରାଜନୀତି ମାହୋଲ ଆହୁରି ସରଗରମ ହୋଇଛି । ତେଣୁ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଛି ଭାରତୀୟ ଜନତା ପାର୍ଟି ।
ବିଜେପିର ସଭାପତି ସମୀର ମହାନ୍ତି ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ତୁରନ୍ତ ସିବିଆଇକୁ ମାମଲା ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ କହିଛନ୍ତି ସମୀର । ଓଡିଶା ପୋଲିସର ଜଣେ କର୍ମଚାରୀ ହତ୍ୟା କରିଥିବା ବେଳେ ସେହି ପୋଲିସ ଡିପାର୍ଟମେଣ୍ଟ ହିଁ ଘଟଣାର ତଦନ୍ତ କରୁଛି । ତେଣୁ ତଦନ୍ତରେ କିଛି ନା କିଛି ଏପଟସେପଟ ହୋଇପାରେ ବୋଲି ସେ ଅନୁମାନ କରିଛନ୍ତି । ସେପଟେ କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିଛି ତାହାର ଫଳ ଶୂନ ରହିଛି । ଏହା ବ୍ୟତୀତ ତଦନ୍ତ ଯଦି ବିଳମ୍ବ ହୁଏ, ତେବେ ପ୍ରମାଣ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି ।
ତେଣୁ ଏ ନେଇ ଯଥାଶୀଘ୍ର ଉଚିତ ପଦକ୍ଷେପ ନେବା ଉଚିତ ବୋଲି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି । ମାମଲାକୁ ନେଇ ଏପର୍ଯ୍ୟନ୍ତ ଗୃହ ସଚିବ ଏବଂ ଡିଜିପି ଚୁପ ବସି ରହିଛନ୍ତି । ତେବେ ପ୍ରକୃତରେ ସରକାରକୁ ଚଳାଉଛି କିଏ ବୋଲି ସେ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।