ପଂଚାୟତ ନିର୍ବାଚନର ଭୋଟ ଗଣତି ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ହେବା ଆବଶ୍ୟକ
ଶାସକ ଦଳକୁ ଜିତାଇବାର ଗଳାବାଟ ତିଆରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ: ସମୀର ମହାନ୍ତି
ନିର୍ବାଚନ କମିଶନ ଲୁଚାଛପାରେ ବିଡିଓ ଓ ଜିଲ୍ଲାପାଳଙ୍କୁ ସର୍କୁଲାର ପଠାଇଛନ୍ତି
ମନ୍ଦ ଉଦ୍ଦେଶ୍ୟ ରଖି ଲୁଚାଛପାରେ ଜାରୀ କରିଥିବା ଚିଠି ନମ୍ବର ୨୧୫୬ / ଝଋଉକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ରାଜ୍ୟ ନିର୍ବାଚନ କମିଶନ
ଆସନ୍ତା କାଲିଠୁ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବାକୁ ଥିବା ପଂଚାୟତ ଭୋଟ ଗଣତି ପକ୍ରିୟା ପାଇଁ ନିର୍ବାଚନ କମିଶନ ଦୃଢ଼ ଓ ସ୍ୱଚ୍ଛ ପଦକ୍ଷେପ ନିଅନ୍ତୁ
ଭୁବନେଶ୍ୱର : ନିର୍ବାଚନ କମିଶନ ପକ୍ଷଭୁକ୍ତ ହୋଇ ଶାସକ ଦଳକୁ ଜିତାଇବାର ଗଳାବାଟ ତିଆରି କରିଛନ୍ତି ଏବଂ ଧାର୍ଯ୍ୟ ପଂଚାୟତ ମାନୁଆଲର ଗାଇଡଲାଇନକୁ ପଛରେ ପକାଇ ମନଇଚ୍ଛା ନୂଆ ନିୟମ ତିଆରି କରୁଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଯାହାକି ପଂଚାୟତ ଆଇନକୁ ସଂପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି । ସମସ୍ତ ରାଜନୈତିକ ଦଳର ଆଡୁଆଳରେ ଏବଂ ରାଜ୍ୟବାସୀଙ୍କ ଅଗୋଚରରେ ଉଦ୍ଦେଶ୍ୟମୁଳକ ଭାବେ ରାଜ୍ୟ ନିର୍ବାଚନ କମିଶନ ଗଳାବାଟ ସୃଷ୍ଟି କରିଛନ୍ତି । ଶାସକ ବିଜେଡି ସପକ୍ଷରେ ରାଜ୍ୟ ନିର୍ବାଚନ କମିଶନ ମେଜିକ୍ସିଆନ ସାଜି ଚକ୍ଷୁବନ୍ଧନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଭୋଟ ଗ୍ରହଣ ଶେଷ ହୋଇଛି । ଭୋଟ ଗଣତି ପକ୍ରିୟାକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ହେବା ନିହାତି ଆବଶ୍ୟକ ଏବଂ ନିର୍ବାଚନ କମିଶନଙ୍କ ସଂପୂର୍ଣ୍ଣ ଦାୟୀତ୍ୱ । ଭୋଟଦାନ ଶେଷ ହେବା ପରେ ନିୟମ ମୁତାବକ ଭୋଟଦାନ ସଂପର୍କରେ ବିସ୍ତୃତ ସୂଚନାକୁ ଫର୍ମ-୧୧ ଜରିଆରେ ପ୍ରଦାନ କରିବା କଥା କିନ୍ତୁ ତାହା ନକରି ସାଧା କାଗଜରେ ଲିଖିତ ଦେଇଛନ୍ତି । ଯାହାର କୌଣସି ମୂଲ୍ୟ ନାହିଁ । ବରଂ ଅଧିକାଂଶ ସ୍ଥାନରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ନାହିଁ ବୋଲି କହି ପ୍ରିଜାଇଡିଂ ଅଫିସରମାନେ ଖସି ଯାଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ନିର୍ବାଚନ ସରିବା ପରେ ପ୍ରିଜାଇଡିଂ ଅଫିସର ଦେଇଥିବା ସାର୍ଟିଫିକେଟ ଫର୍ମ-୧୧ରେ ଉଲ୍ଲେଖ ହୋଇଥିବା ସମୁଦାୟ ଭୋଟ ସଂଖ୍ୟା ଏବଂ ଭୋଟ ବାକ୍ସରୁ ବାହାରୁଥିବା ଭୋଟ ସଂଖ୍ୟାରେ ତାଳମେଳ ନ ରହିଲେ ଏହାକୁ କଣ ଭୋଟ ଟେମ୍ପରିଂ କୁହାଯିବ ନାହିଁ ? ଅନ୍ୟ ପଟେ ଯଦି, ଭୋଟ ବାକ୍ସରେ ବାହାରିଥିବା ବାଲାଟ୍ ପେପର ହିଁ ସିଦ୍ଧ, ତାହେଲେ ମତଦାନ ସମାପ୍ତ ହେବା ପରେ ପ୍ରିଜାଇଡିଂ ଅଫିସର ଦ୍ୱାରା ପ୍ରଦାନ କରାଯାଇଥିବା ସାର୍ଟିଫିକେଟ (ଫର୍ମ-୧୧) କେବଳ ଏକ ପ୍ରହସନ ଥିଲା କି ବୋଲି ପ୍ରଶ୍ନ କରିବା ସହିତ ଏ ସଂପର୍କରେ ରାଜ୍ୟବାସୀଙ୍କ ସମ୍ମୁଖରେ ନିର୍ବାଚନ କମିଶନ ସ୍ପଷ୍ଟୀକରଣ ଦେବା ନିହାତି ଉଚିତ୍ ବୋଲି ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ଗତ ୮ତାରିଖରେ ଚିଠି ନମ୍ବର ୨୧୫୬ / ଝଋଉ ରେ ରାଜ୍ୟ ନିର୍ବାଚନ ଆୟୋଗ ଯେଉଁ ଗଣତି ପ୍ରକ୍ରିୟା (ଭୋଟ ବାକ୍ସରୁ ବାହାରିଥିବା ସମସ୍ତ ଭୋଟ ସିଦ୍ଧ ରହିବ) ବୋଲି ଚିଠି କରିଛନ୍ତି ତାହାକୁ ନିର୍ବାଚନ ଦାୟୀତ୍ୱରେ ଥିବା ସମସ୍ତ ଜିଲ୍ଲାପାଳ ଓ ବିଡିଓମାନଙ୍କୁ ପଠାଇଥିବାବେଳେ ଏଯାଏଁ କାହିଁକି ନିର୍ବାଚନ କମିଶନ ୱେବସାଇଟରେ ପ୍ରକାଶ କରାଯାଇ ନାହିଁ ? ମନ୍ଦ ଉଦ୍ଦେଶ୍ୟ ରଖି ନିର୍ବାଚନ କମିଶନ ଲୁଚାଛପାରେ ନିର୍ବାଚନ ପରିଚାଳନନା ଦାୟୀତ୍ୱରେ ଥିବା ବିଡିଓ ଓ ଜିଲ୍ଲାପାଳଙ୍କୁ ସର୍କୁଲାର ପଠାଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ନିର୍ବାଚନ ସମୟରେ ଏବଂ ଷ୍ଟ୍ରଙ୍ଗରୁମରେ ହେବାକୁ ଥିବା ହେରାଫେରାକୁ ଆଇନଗତ ସିଦ୍ଧ କରିବା ପାଇଁ ଅପଚେଷ୍ଟା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପଂଚାୟତ ନିର୍ବାଚନ ମାନୁଆଲରେ ଗଣତି ପ୍ରକ୍ରିୟା ସଂପର୍କରେ ସ୍ପଷ୍ଟ କଲେ ନାହିଁ ନିର୍ବାଚନ କମିଶନ । ମନ୍ଦ ଉଦ୍ଦେଶ୍ୟ ରଖି ନିର୍ବାଚନ କମିଶନ ଲୁଚାଛପାରେ ଜାରୀ କରିଥିବା ଚିଠି ନମ୍ବର ୨୧୫୬ / ଝଋଉକୁ ତୁରନ୍ତ ପ୍ରତ୍ୟାହାର କରିବା ସହିତ ଆସନ୍ତା କାଲିଠୁ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବାକୁ ଥିବା ପଂଚାୟତ ଭୋଟ ଗଣତି ପକ୍ରିୟା ପାଇଁ ନିର୍ବାଚନ କମିଶନ ଦୃଢ଼ ଓ ସ୍ୱଚ୍ଛ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଏହି ଅବସରରେ ବ୍ରହ୍ମଗିରି ବିଧାୟକ ତଥା ରାଜ୍ୟ ଉପସଭାପତି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ, ଠାକୁର ରଞ୍ଜିତ ଦାସ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ଜୀବନ ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।