ଓଡ଼ିଶାରେ ୯ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ ହୋଇଛି ଖଣି ଦୁର୍ନୀତି
ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଦିଆଯାଇଛି ସ୍ମାରକପତ୍ର
ଖଣି ମାଫିଆଙ୍କୁ ପ୍ରଶାସନିକ ଏବଂ ନ୍ୟାୟିକ ଭାବେ ଚୋରୀ କରିବାରେ ସାହାଯ୍ୟ କରି ନିଜର ଅଭିଳାସକୁ ଚରିତାର୍ଥ କରିଛନ୍ତୁ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଯେଉଁ ପ୍ରବଚଂନା କରି ଖଣିଜ ସମ୍ପଦକୁୁ ମାଫିଆମାନଙ୍କ ହାତକୁ ଟେକି ଦେଉଛନ୍ତି ତାହାକୁ ଓଡିଶାବାସୀ କ୍ଷମା ଦେବେ ନାହିଁ
ଭୁବନେଶ୍ୱର : ମାଟି ତଳେ ଥିବା ସଂପତିର ମନଇଛା ଖୋଳା ଚାଲିଛି । ରାଜ୍ୟ ସରକାର ଖଣିଜ ଖନନ ପରିମାଣ ଉପରେ କୌଣସି ଅଙ୍କୁଶ ଲଗାଉନାହାନ୍ତି । ଅନ୍ୟ ପକ୍ଷରେ ଖଣିଜ ଖନନକୁ ଦେଖିଲେ ରାଜ୍ୟର ବିକାଶ କିନ୍ତୁ ବହୁ ପଛରେ ପଡିଛି । ଓଡ଼ିଶାରେ ୨୦୦୨-୨୦୧୪ ତଥା ୧୨ବର୍ଷରେ ୯ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଜ୍ଞାତସାରରେ ହୋଇଛି । ରାଜ୍ୟ ସରକାର ଖଣି ଦୁର୍ନୀତି କରି ଓଡ଼ିଶାର ରାଜକୋଷକୁ ନଷ୍ଟ କରୁଛନ୍ତି । ଓଡ଼ିଶାର ୧୯୨ଟି ଖଣି ଲିଜ୍ ମଧ୍ୟରୁ ୧୭୬ ଖଣି ଲିଜ୍ ଘଂଚ ଜଙ୍ଗଲ ଅଂଚଳରେ ଅବସ୍ଥିତ । ୯୮ଟି ଲିଜ୍ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଜଙ୍ଗଲ କ୍ଷେତ୍ରର ଅନୁମତି ପ୍ରଦାନ କରାଯାଇ ନାହିଁ । ୪୭ଟି ଖଣି ଜଙ୍ଗଲ ମଞ୍ଜୁରୀ ବିନା ଚାଲିଛି । ୫୫ଟି ଖଣି ନଦୀ, ଉପନଦୀ ନାଳ ଅଂଚଳରେ ପ୍ରଭାବିତ ହୁଏ । ଖଣି ଦୁର୍ନୀତି ପ୍ରସଙ୍ଗ ବିଜେପିର ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି । ଯଥାଶୀଘ୍ର ଏହି ଖଣି ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ ବୋଲି ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଦାବି କରିଛନ୍ତି ।
ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ଖଣି ଅଂଚଳରେ ନଦୀ ପ୍ରଭାବିତ ହୋଇ ଜଳ ପ୍ରଦୂଷଣ କରୁଛି, କିନ୍ତୁ ଏଯାଏଁ ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନାହାନ୍ତି । ଫଳରେ ସେହି ପ୍ରଦୂଷିତ ଜଳକୁ ସ୍ଥାନୀୟ ଗ୍ରାମବାସୀ, ଆଦିବାସୀ, ବନ୍ୟଜନ୍ତୁ ବ୍ୟବହାର କରି ବିଭିନ୍ନ ରୋଗଗ୍ରସ୍ତ ହେଉଛନ୍ତି । ସେହିପରି ସୁନ୍ଦରଗଡ, କେନ୍ଦୁଝର ଜିଲ୍ଲାର ପ୍ରକଳ୍ପ ହାତୀ କରିଡର ସହ ୩୧ଟି ଖଣି ସଂଲଗ୍ନ ହୋଇଛି । ଏହା ଫଳରେ ହାତୀଙ୍କ ଦ୍ୱାରା ଧନଜୀବନ ହାନୀ ଓ ଫସଲ ଧ୍ୱଂସ ହେଉଛି । ସେହିପରି ଖଣି ଅଂଚଳର ଲୋକେ ମଧ୍ୟ ପ୍ରଦୂଷିତ ବାୟୁ ନିଶ୍ୱାସ ନେବା ଦ୍ୱାରା ରୋଗକାନ୍ତ ହେଉଛନ୍ତି ।
ସେହିପରି ୧୯୨ଖଣି ଲିଜ୍ ମଧ୍ୟରୁ ୯୪ଟି ବିନା ପରିବେଶ କ୍ଲିୟରାନ୍ସ, ୭୫ଖଣି ଲୁହାପଥର ଓ ମାଙ୍ଗାନିଜ ଖଣିରୁ ଅଧିକ ଉତୋଳନ କରିଥିଲେ । ଖଣି ଲିଜ୍ ଯାହା ଜଙ୍ଗଲ ଅଂଚଳରେ ଅବସ୍ଥିତ ଜଙ୍ଗଲ ମଞ୍ଜୁରୀ ବିନା ସେମାନଙ୍କୁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି, ଯାହାକି ସଂପୂର୍ଣ୍ଣ ଆଇନ ବିରୋଧୀ ଅଟେ । ଅନ୍ୟ ପଟେ ବେଆଇନ ଭାବେ ଚାଲିଥିବା ଖଣିରୁ ଆଦାୟ କରାଯାଉଥିବା ଜୋରିମାନା ଟଙ୍କା ବହୁତ୍ କମ୍ । ମୁଖ୍ୟମନ୍ତ୍ରୀ ନବୀନ ବାବୁ ସମସ୍ତ ନିୟମକୁ ଜଳାଞ୍ଜଳୀ ଦେଇ ନିଜର ଅଭିଳାସକୁ ଚରିତାର୍ଥ କରିବା ପାଇଁ ଖଣି ଚୋରମାନଙ୍କୁ “ଲିଗାଲ କଭରେଜ୍” ଦେଇ ରାଜ୍ୟର ଖଣିଜ ସମ୍ପଦକୁ ଲୁଟ୍ କରିବାରେ ମାଫିଆଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଖଣିଜ ସମ୍ପଦ ଏକ ପ୍ରାକୃତିକ ସମ୍ପଦ ଯାହା କ୍ଷୟ ହେବା ପରେ ପୁନର୍ବାର ଆସିନଥାଏ । ଲୁହାପଥର ଦେଶର ମେରୁଦଣ୍ଡ । ଏହି ଖଣିଜ ସମ୍ପଦକୁ ନିଷ୍ଠୁରତା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣି ମାଲିକମାନଙ୍କୁ ପ୍ରଶାସନିକ ଏବଂ ନ୍ୟାୟିକ ସୁରକ୍ଷା ଦେଇ ଚୋରୀ କରିବାରେ ସାହାଯ୍ୟ କରି ନିଜର ଅଭିଳାସକୁ ଚରିତାର୍ଥ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ପ୍ରବଚଂନା କରି ଖଣିଜ ସମ୍ପଦକୁୁ ମାଫିଆମାନଙ୍କ ହାତକୁ ଟେକି ଦେଉଛନ୍ତି ତାହାକୁ ଓଡିଶାବାସୀ କ୍ଷମା ଦେବେ ନାହିଁ । ଆଗାମୀ ନିର୍ବାଚନରେ ରାଜ୍ୟ ସରକାରଙ୍କୁ ଓଡ଼ିଶାବାସୀ ଉଚିତ ଜବାବ ଦେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ରାଜ୍ୟ ଗଣମାଧ୍ୟମ ସହସଂଯୋଜକ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।