କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ ବାଟମାରଣା
ରାଜ୍ୟ ସରକାରଙ୍କ ଆୟ ବଢ଼ୁଛି କିନ୍ତୁ ଚାଷୀଙ୍କ ଆୟ କମି ଚାଲିଛି
କଟନୀ ଛଟନୀ ନାଁରେ ଚାଷୀଙ୍କୁ ଶୋଷଣ କରୁଛି ରାଜ୍ୟ ସରକାର
କ୍ଷତିଗସ୍ତ ଚାଷୀଙ୍କୁ ଆବଶ୍ୟକୀୟ କ୍ଷତିପୂରଣ ଦିଅନ୍ତୁ ରାଜ୍ୟ ସରକାର
ଚାଷୀର ସ୍ୱଳ୍ପ ଆୟ, ସ୍ୱଳ୍ପ ଆୟ ଉତ୍ପାଦିତ ଦ୍ରବ୍ୟର ମୁନାଫା ବାଟମାରଣା, ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାର ଓ ଉଦାସିନତା କାରଣରୁ ଚାଷୀ ସର୍ବସାନ୍ତ
ଚାଷୀ ଓ ଚାଷର ଅଧୋଗତି ପାଇଁ ସରକାରଙ୍କ ଇଛା ଶକ୍ତିର ଅଭାବ, ବ୍ୟାପକ ଦୁର୍ନୀତି ଓ ବାଟମାରଣା ଦାୟୀ
କୃଷି ବିଭାଗ ଓ ଜଳସମ୍ପଦ ବିଭାଗରେ ହୋଇଥିବା ଦୁର୍ନୀତିକୁ ନେଇ ତୁରନ୍ତ ସ୍ପଷ୍ଟୀକରଣ ରଖନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର : ଓଡ଼ିଶା ଅର୍ଥନୀତିର ମୂଳପିଣ୍ଡ କୃଷି । ଓଡ଼ିଶାରେ ଦଶନ୍ଧି ଦଶନ୍ଧି ଧରି କୃଷି କ୍ଷେତ୍ରରେ ବିପର୍ଯ୍ୟୟ ଦେଖାଗଲା । ରାଜ୍ୟ ସରକାର ୨୦୧୩ରେ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଢାଂଚାରେ ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପନା ପାଇଁ ଚିନ୍ତା କଲେ । ୨୦୧୩ରୁ କୃଷି କ୍ୟାବିନେଟ୍ ବସିଲା । କୃଷି, ଜଳସମ୍ପଦ, ସମବାୟ, ପଶୁପାଳନ, ଉଦ୍ୟାନକୃଷି ଓ ମତ୍ସ୍ୟ ଇତ୍ୟାଦି ବିଭାଗକୁ ନେଇ କୃଷି ସ୍ୱତନ୍ତ୍ର ବଜେଟ୍ ଉପସ୍ଥାପନା ହୋଇଥିଲା । ୨୦୧୩ରେ ପ୍ରାୟ ୭,୧୬୨କୋଟି ଟଙ୍କା ଅର୍ଥ ବରାଦ କରାଗଲା । ୨୦୨୩-୨୪ରେ ୭,୧୬୨କୋଟିକୁ ବୃଦ୍ଧି କରାଯାଇ ୨୪,୮୨୯ କାଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାକୁ ବୃଦ୍ଧି ପାଇଲା । ୨୦୧୩ ରୁ ୨୦୨୪ ଭିତରେ ଅଦ୍ୟାବଧି କୃଷି ବଜେଟ୍ ପାଇଁ ୧ଲକ୍ଷ ୫୦ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବିନିଯୋଗ କରିଛନ୍ତି । ସମନ୍ୱୟ, ସାମୁହିକ ବୈଠକ, ସମୀକ୍ଷା ମିଳିତ ଉଦ୍ୟମ ନଥିବା କାରଣରୁ ଉତ୍ପାଦନ ବଜାର ଜଳସେଚନ, ଉପାଦେୟ, ସମନ୍ୱୟ କୌଣସି କ୍ଷେତ୍ରରେ ସଫଳତା ମିଳିପାରୁନାହିଁ । ଚଳିତବର୍ଷ ଅଦ୍ୟାବଧି ମାତ୍ର ୪୦ପ୍ରତିଶତ ଖର୍ଚ୍ଚ ହୋଇଛି । ଦେଢ଼ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଲା ପରେ ଚାଷୀଙ୍କ ପାଇଁ ଫଳାଫଳ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ରମାରଞ୍ଜନ ବଳିୟାରସିଂହ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବଳିୟାରସିଂହ କହିଛନ୍ତି ଯେ, ଓଡ଼ିଶାରେ ବିଜୁ ଜନତା ଦଳ ଦୀର୍ଘାୟୁ କିନ୍ତୁ ଚାଷୀ ଅଳ୍ପାୟୁ ବୋଲି ଡବ୍ଲ୍ୟୁଏଚ୍ଓ କହିଛନ୍ତି । ରାଜ୍ୟ ସରକାର ଆର୍ôଥକ ସ୍ୱୟଂ ସମ୍ପୂର୍ଣ୍ଣ କହୁଥିଲା ବେଳେ ଚାଷୀ ବିପନ୍ନ । ରାଜ୍ୟ ସରକାରଙ୍କ ଆୟୁ ବଢ଼ୁଛି କିନ୍ତୁ ଚାଷୀଙ୍କ ଆୟୁ କମି ଚାଲିଛି । ଓଡ଼ିଶାର ଚାଷୀଙ୍କ ମାସକୁ ଆୟ ପ୍ରାୟ ୫,୧୧୨ଟଙ୍କା ଯାହା ଭାରତ ବର୍ଷରେ ତଳଆଡୁ ଦ୍ୱିତୀୟ ବୋଲି ଜାତୀୟ ପରିସଂଖ୍ୟାନ ସଂସ୍ଥା ସୂଚାଇଛନ୍ତି । ଓଡିଶାରେ ମୋଟ ଚାଷୀଙ୍କ ମଧ୍ୟରୁ ୬୧ପ୍ରତିଶତ ଋଣଗ୍ରସ୍ତ ଏବଂ ଋଣ ପରିମାଣ ୩୨,୭୨୧କୋଟି ଟଙ୍କା । କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ପ୍ରତି ୩ଜଣରେ ଜଣେ ଗରିବ ବୋଲି ନୀତି ଆୟୋଗ ସ୍ପଷ୍ଟ କରିଛି । ଭାରତ ବର୍ଷରେ ୧୨ଟି ମରୁଡି ପ୍ରବଣ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ । ରାଜସ୍ଥାନ, ଗୁଜୁରାଟ ଓ ଆନ୍ଧ୍ରଭଳି ରାଜ୍ୟରେ ୭୦ ରୁ ୮୦ଲକ୍ଷ ହେକ୍ଟର ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ଲାଭ ନେଲାବେଳେ ଓଡ଼ିଶା ମାତ୍ର ୩୩ହଜାର ହେକ୍ଟର ଲାଭ ନେବା ଦୁର୍ଭାଗ୍ୟଜନକ । ରାଜ୍ୟରେ କାଳିଆ ଯୋଜନା କାର୍ଯ୍ୟକାରି ହେଉଥିଲାବେଳେ ପୂର୍ବଘୋଷିତ ବଳିଆ ଯୋଜନା ସମ୍ପୂର୍ଣ୍ଣ ବନ୍ଦ । ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବଙ୍କ ସ୍ୱୀକାର କଲା ପରେ କାଳିଆ ଯୋଜନାରେ ୩ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ସହାୟତା ରାଶି ଅଦ୍ୟାବଧି ଆଦାୟ କରାଗଲା ନାହିଁ କିମ୍ବା ଏଥିସହିତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ । ରାଜ୍ୟ ଏଯାଏଁ ଗୋଟିଏ ଶୀତଳ ଭଣ୍ଡାର ହେଲା ନାହିଁ ।
ଉଦ୍ୟାନକୃଷି ସମ୍ପର୍କରେ ନକହିଲେ ଭଲ । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ପରିବା ଦର ଆକାଶଛୁଆଁ ହୋଇଛି । ଧାନର ଅଭାବି ବିକ୍ରି ଚାଷୀଙ୍କୁ ସର୍ବସ୍ୱାନ୍ତ କରିଛି । ବ୍ୟାପକ ଦୁର୍ନୀତି, ଟୁକନ କଟନିଛଟନି, ଓଜନ ମାପ, ଅଖା, ପରିବହନ ଅବ୍ୟବସ୍ଥା, ଧାନର ସହାୟକ ମୂଲ୍ୟ ୨୧୮୩ଟଙ୍କା ଥିଲାବେଳେ ଚାଷୀ ୧୨ଶହ ରୁ ୧୪ଟଙ୍କା ମଧ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି । ଜମିନାହିଁ କି ଚାଷୀ ନାହାନ୍ତି କିନ୍ତୁ ଅଥଚ ସହାୟକ ମୂଲ୍ୟର ଫାଇଦା ଦଲାଲମାନେ ନେଉଛନ୍ତି । ସହଳ ଅମଳ ହୋଇଥିବା ଧାନ ପାଇଁ ଏପର୍ଯ୍ୟନ୍ତ ମଣ୍ଡି ଖୋଲିନାହିଁ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ରାଜ୍ୟରେ ବିରାଟ ସମୁଦ୍ରତଟ୍ଟ, ପର୍ଯ୍ୟାପ୍ତ ଜମି ଓ ଚିଲିକା ଥିଲାବେଳେ ରାଜ୍ୟରେ ମତ୍ସ୍ୟ ଆବଶ୍ୟକତା ପାଇଁ ମୁଖ୍ୟତଃ ଆନ୍ଧ୍ର ଉପରେ ନିର୍ଭର କରାଯାଉଛି । ଜାଲ୍ ଋଣ ୪୮କୋଟି ଟଙ୍କା ପୁରୀ ଜିଲ୍ଲାର ଚନ୍ଦ୍ରଭାଗା, କୋଣାର୍କ, ପେଣ୍ଠକଟା ଆଦି ଅଂଚଳର ମତ୍ସ୍ୟଜୀବୀଙ୍କ ନାମ ଦର୍ଶାଇ ଆତ୍ମସାତ କରାଯାଇଛି । ଫାଇଲିନ୍ ପରେ ୨୦୧୫ରେ ବ୍ରହ୍ମପୁର ଅଂଚଳରେ ଜାଲ, ଡଙ୍ଗା ଯୋଗାଇ ଦେବା ନାଁରେ ୮୬କୋଟି ଟଙ୍କା ତୋଷରପାତ କରାଯାଇଛି । କେନ୍ଦ୍ରୀୟ ମତ୍ସ୍ୟ ପୋଖରୀ ଯୋଜନା ନାଁରେ ବାଲେଶ୍ୱର ଜିଲ୍ଲାରେ ୭କୋଟି ଟଙ୍କା ଦୁର୍ନୀତି ହୋଇଛି । ପଶୁ ସମ୍ପଦ କ୍ଷେତ୍ରରେ ଦୁଗ୍ଧ ଉତ୍ପାଦନ ଜାତୀୟ ମୁଣ୍ଡ ପିଛା ୪୪୪ଗ୍ରାମ ଉପଲବ୍ଧ ଥିଲବେଳେ ଓଡ଼ିଶା ଉପଲବ୍ଧ ମାତ୍ର ୧୪୪ଗ୍ରାମ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
୧୯୯୪ମସିହାରେ ୨୧୭କୋଟି ଟଙ୍କାରେ ଅଟକଳ କରାଯାଇଥିବା “ଲୋୟର ସୁକତେଲ ପ୍ରଜେକ୍ଟ” ୨୦୧୩ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେବାକୁ ଥିବାବେଳେ ଡିସେମ୍ବର ସୁଦ୍ଧା ଖର୍ଚ୍ଚ ହୋଇଛି ୨୪୪୮କୋଟି ଟଙ୍କା । ୩୦ବର୍ଷ ପରେ ଖର୍ଚ୍ଚ ୧୧ଗୁଣା ଅଧିକ । ସେହିଭଳି ଲୋୟର ଇଦ୍ର ଜଳସେଚନ ପ୍ରକଳ୍ପ ୧୯୯୦ରେ ୨୦୧୧କୋଟି ଟଙ୍କାରେ ଅଟକଳ କରାଯାଇ ନୂଆପଡା-ବଲାଙ୍ଗିର ଜିଲ୍ଲାର ୩୦ହଜାର ହେକ୍ଟରକୁ ଜଳସେଚନ କରିବାର ଥିଲା । ୨୦୨୧-୨୨ସୁଧା ଖର୍ଚ୍ଚ ପରିମାଣ ୧୨,୭୪୨କୋଟି, ଜଳସେଚନ ମାତ୍ର ୨୪ପ୍ରତିଶତ ସିଏଜି ରିପୋର୍ଟ ଅନୁଯାୟୀ ଅପବ୍ୟୟ ୨,୨୦୩କୋଟି ଟଙ୍କା । ଗତ ୨୨ଡିସେମ୍ବର ୨୦୨୨ରେ ପ୍ରାୟ ୨୮୦କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପର ଫଳକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲେ ମଧ୍ୟ ଅନୁଗୂଳ ଡିଭିଜନ କାର୍ଯ୍ୟାଳୟରେ ପଡି ରହିବା ଦୁର୍ଭାଗ୍ୟଜନକ ଶ୍ରୀ ବଳିୟାରସିଂହ କହିଛନ୍ତି ।
ସେହିଭଳି ୨୦୦୮ ମସିହାରୁ ୧୬୮ଏମ୍ଆଇପି ପ୍ରୋଜେକ୍ଟ ବଲାଙ୍ଗିର ନୂଆପଡା ଜିଲ୍ଲାରେ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଅଟକଳ ମୂଲ୍ୟର ୪୦ଗୁଣ ଅଧିକ ଖର୍ଚ୍ଚ ହେଲେ ବି କାମ ସରିନାହିଁ । ଏହି ବ୍ୟାପକ ଦୁର୍ନୀତି ଓ ଅପାରଗତା ପାଇଁ ଦାୟୀ କିଏ? ଅପରପକ୍ଷରେ ଜଳସମ୍ପଦ ବିଭାଗୀୟ ମନ୍ତ୍ରୀ ବିଧାନସଭା ଗୃହରେ ଗତ ୧୦ବର୍ଷ ଭିତରେ ୧୩୦ଜଣ ଇଞ୍ଜିନିୟରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ସ୍ୱୀକାର କରିବା ଲଜ୍ଜ୍ୟାଜନକ । ବାସ୍ତବ ଦୁର୍ନୀତିର ପରିମାଣ କେତେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୃଷି ଯନ୍ତ୍ରପାତି କ୍ରୟରେ ବଲାଙ୍ଗିର,ବରଗଡ, ଭୁବନେଶ୍ୱର, କଟକ ଓ ପୁରୀ ଆଦି ଜିଲ୍ଲାରେ ପାୱାରଟିଲର, ଟ୍ରାକ୍ଟର ଏବଂ କୃଷି ଯନ୍ତ୍ରପାତି ସବ୍ସିଡିରେ ୪୦କୋଟିରୁ ଊର୍ଦ୍ଧ୍ୱ ଦୁର୍ନୀତି ବିଷୟରେ ରାଜ୍ୟ ସରକାର କି କାର୍ଯ୍ୟାନୁଷ୍ଠାନ କରିଛନ୍ତି ବୋଲି ଶ୍ରୀ ବଳିୟାରସିଂହ ପ୍ରଶ୍ନ କରିଛନ୍ତି ।
ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାର ଓ ଉଦାସିନତା କାରଣରୁ ଚାଷୀ ସର୍ବସ୍ୱାନ୍ତ । ଚାଷୀ ଓ ଚାଷର ଅଧୋଗତି ପାଇଁ ସରକାରଙ୍କ ଇଛା ଶକ୍ତିର ଅଭାବ, ବ୍ୟାପକ ଦୁର୍ନୀତି ଓ ବାଟମାରଣା ଦାୟୀ । କୃଷି ବିଭାଗ ଓ ଜଳସମ୍ପଦ ବିଭାଗରେ ହୋଇଥିବା ଦୁର୍ନୀତିକୁ ନେଇ ନିର୍ବାଚନ ପୂର୍ବରୁ ଡିସେମ୍ବର ସୁଦ୍ଧା ସ୍ପଷ୍ଟୀକରଣ ରଖନ୍ତୁ ରାଜ୍ୟ ସରକାର ଦାୟୀ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।