34.1 C
Bhubaneswar
Friday, September 20, 2024
Homeଓଡିଶାକିଏ ମିଛ କହୁଛନ୍ତି, ମୁଖ୍ୟମନ୍ତ୍ରୀ ନା ତାଙ୍କ ବ୍ୟକ୍ତିଗତ ସଚିବ : ଅନିଲ ବିଶ୍ୱାଳ

କିଏ ମିଛ କହୁଛନ୍ତି, ମୁଖ୍ୟମନ୍ତ୍ରୀ ନା ତାଙ୍କ ବ୍ୟକ୍ତିଗତ ସଚିବ : ଅନିଲ ବିଶ୍ୱାଳ

 ଜନଶୁଣାଣି ବା ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସେପରି କିଛି ଅଧିକାର ବା ଅନୁମତି ଦେଇନାହାନ୍ତି

 ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉତର ଦେଉଛନ୍ତି ଯେ ତାଙ୍କ ବ୍ୟକ୍ତିଗତ ସଚିବ ଆଦୌ ହେଲିକାପ୍ଟରରେ ଗସ୍ତ କରିନାହାନ୍ତି
 ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଓଡିଶାରେ ସମ୍ବିଧାନର ଓଲଟା ବ୍ୟବସ୍ଥା ଚାଲିଛି
 ସମ୍ବିଧାନର ମୁଳ ଭାବନା ବିଷୟରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସମ୍ବିଧାନର ଏକ କପି ପଠାଯିବ
 ଓଡିଶାରେ ଓଡିଆ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ହତାଦର କରୁଛନ୍ତି

ଭୁବନେଶ୍ୱର, : ଏବେ ମୁଖ୍ୟମନ୍ତ୍ରୀଙ୍କର ଯିଏ ବ୍ୟକ୍ତିଗତ ସହାୟକ ଅଛନ୍ତି ଭିକେ ପାଣ୍ଡିଆନ, ସିଏ ସାରା ରାଜ୍ୟ ବୁଲୁଛନ୍ତି, ସବୁଠି କହି ବୁଲୁଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସିଏ ଆସିଛନ୍ତି ସମୀକ୍ଷା କରିବା ପାଇଁ, ସବୁ ଆଡେ ଜନଶୁଣାଣି ବି କରୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନରେ ପଚରାଯାଇଥିବା ପ୍ରଶ୍ନରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସେପରି କିଛି ଅଧିକାର ବା ଅନୁମତି ଦେଇନାହାନ୍ତି ଜନଶୁଣାଣି ବା ସମୀକ୍ଷା କରିବା ପାଇଁ ।
ଏଠି ପ୍ରଶ୍ନ ଉଠୁଛି ଯେ, କିଏ ସତ କହୁଛି ? ମୁଖ୍ୟମନ୍ତ୍ରୀ ନା ତାଙ୍କ ସଚିବ ? ସତରେ କ’ଣ ସେହି ଅଧିକାରି ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କର ବିନା ଅନୁମତିରେ, ବିନା ଜାଣତରେ ତାଙ୍କର କ୍ଷମତା ପରିସର ବାହାରକୁ ଯାଇ ଏପରି ସମୀକ୍ଷା ବା ଜନଶୁଣାଣୀ କରୁଛନ୍ତି କି ନା ମୁଖ୍ୟମନ୍ତ୍ରୀ ସବୁ ଜାଣିକି ଚୁପଚାପ ରହୁଛନ୍ତି ତାହା ଉପରେ ସ୍ପଷ୍ଟିକରଣ ରଖନ୍ତୁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ।
ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ କେତେ ଥର ନିଜେ ହେଲିକାପ୍ଟର ବ୍ୟବହାର କରିଛନ୍ତି ବୋଲି ପଚରା ଯାଇଥିବା ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉତର ଦେଉଛି ଯେ ସେ ଆଦୌ ହେଲିକାପ୍ଟରରେ ଗସ୍ତ କରିନାହାନ୍ତି । ଏବେ ବ୍ୟକ୍ତିଗତ ସହାୟକ ଯୁଆଡେ ଯାଉଛନ୍ତି ସବୁ ସ୍ଥାନକୁ ହେଲିକାପ୍ଟର ନେଇକି ଯାଉଛନ୍ତି । କିନ୍ତୁ ସରକାରଙ୍କ ପାଖରେ ଏହାର ଖବର କିପରି ନାହିଁ । ତାହେଲେ କ’ଣ ସେ ଘରୋଇ ହେଲିକାପ୍ଟର ବ୍ୟବହାର କରୁଛନ୍ତି କି ? ଯଦି କରୁଛନ୍ତି ତାହେଲେ ସେ ହେଲିକାପ୍ଟର ଅର୍ଥ କିଏ ବହନ କରୁଛି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକର ନିଜେ ସମ୍ବିଧାନରେ ପୁରା ଶାସନ ବ୍ୟବସ୍ଥାକୁ ସ୍ପଷ୍ଟ ଭାବରେ ରେଖାଙ୍କିତ କରିଛନ୍ତି । ଲୋକମାନଙ୍କ ପାଖରେ ନିର୍ବାଚିତ ଜନପ୍ରତିନିଧିମାନେ ଉତରଦାୟୀ । ନିର୍ବାଚିତ ଜନପ୍ରତିନିଧିମାନଙ୍କ ପାଖରେ କାର୍ଯ୍ୟପାଳିକା ଅର୍ଥ ବ୍ୟୁରୋକ୍ରାଟସମାନେ ଉତରଦାୟୀ । ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଓଡିଶାରେ ଓଲଟା ବ୍ୟବସ୍ଥା ଚାଲିଛି । ଏଠି ନିର୍ବାଚିତ ଜନପ୍ରତିନିଧିମାନେ ସରକାରୀ ଅଧିକାରିଙ୍କ ନିର୍ଦ୍ଦେଶରେ ଉଠବସ ହେଉଛନ୍ତି । ବାବା ସାହେବ ଆମ୍ବେଦକରଙ୍କର ସମ୍ବିଧାନର ପରିକଳ୍ପନା ପଛରେ ଯେଉଁ ଭାବନା ଥିଲା ମୁଖ୍ୟମନ୍ତ୍ରୀ ତାକୁ କୁଠାରଘାତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସମ୍ବିଧାନର ମୁଳ ଭାବନା ବିଷୟରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସମ୍ବିଧାନର ଏକ କପି ପଠାଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କର ଏତେ ଅଣ ଓଡିଆ ଅଫିସର ପ୍ରେମ କାହିଁକି ? କାହିଁକି ମୁଖ୍ୟମନ୍ତ୍ରୀ ରାଜ୍ୟର ନିର୍ବାଚିତ ଓଡିଆ ଲୋକ, ଓଡିଆ ଅଫିସରମାନଙ୍କୁ ଘୃଣା କରୁଛନ୍ତି ? ଆଜି ଦେଶର ରାଷ୍ଟ୍ରପତି ଜଣେ ଓଡିଆ, କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ଓଡିଆ, ପ୍ରଧାନମନ୍ତ୍ରୀଙ୍କ ପ୍ରିନସପାଲ ସେକ୍ରେଟାରି ଜଣେ ଓଡିଆ, ଦେଶର ସିଏଜି ଜଣେ ଓଡିଆ, ଆରବିଆଇର ଗଭର୍ଣ୍ଣର ଜଣେ ଓଡିଆ । ଆମେ ଓଡିଆ ଲୋକ ଆମର ଯୋଗ୍ୟତା, ସାଧୁତା, ପରିଶ୍ରମ ପାଇଁ ଆମେ ସାରା ବିଶ୍ୱରେ ସମ୍ମାନିତ ହେଉଥିବା ବେଳେ କିନ୍ତୁ ଓଡିଶାରେ ଓଡିଆ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ହତାଦର କରୁଛନ୍ତି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ଯାହାର ଲୋକଙ୍କର ସେବା କରିବାର ଇଛା ଥିବ ସେ କେବେ ଦେଖାଇ ହେବ ନାହିଁ । ରାଜ୍ୟରେ, ସାରା ଦେଶରେ ଅନେକ ପ୍ରଶାସନିକ ଅଧିକାରି ଅଛନ୍ତି ଯେଉଁମାନେ ଭଲ କାମ କରୁଛନ୍ତି । ସେମାନେ କେବେ ନିଜର ଏଭଳି ପ୍ରଚାର ପ୍ରସାର କରନ୍ତି ନାହିଁ । ନିଜକୁ କ୍ଷମତାଶାଳୀ ବୋଲି ଦେଖାଇବା ପଛରେ କି ମନ୍ଦ ଉଦ୍ଦେଶ୍ୟ ସେ ମହାଶୟଙ୍କର ଅଛି? ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ କାହିଁକି ନିଜର ପ୍ରଚାର ପ୍ରସାର କରୁଛନ୍ତି ତାହା ଅନେକ ପ୍ରଶ୍ନ ଠିଆ କରୁଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳ, ଗଣମାଧ୍ୟମ ସହ ମୁଖ୍ୟ ସୁଜିତ ଦାସ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking