ଭୁବନେଶ୍ୱର : ତିର୍ତୋଲ ଉପନିର୍ବାଚନରେ ଭୋଟରଙ୍କୁ ବିଜେଡି ସପକ୍ଷରେ ଭୋଟ ଦେବା ଲାଗି ସରକାରୀ
ପ୍ରଶାସନିକ ଅଧିକାରୀ ପ୍ରବର୍ତାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ
କରୁଥିବା ସମୟରେ ଏବେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବିଜେଡିକୁ ଜିତାଇବାର ଠିକା ନେଇଛନ୍ତି ।
ସରକାରୀ ଅଧିକାରୀ ହୋଇ ବିଜେଡି ଦଳ ପାଇଁ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ପ୍ରବର୍ତାଇବା ଏବଂ ଧମକାଇବା
ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧୀ ଦଳ ଗତ ଅକ୍ଟୋବର ୨୪ ତାରିଖରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ
ଭେଟି ତଥ୍ୟ ପ୍ରମାଣ ଉପସ୍ଥାପନ କରି ସଂପୃକ୍ତ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । କିନ୍ତୁ ଏ ଘଟଣାକୁ ୭
ଦିନ ବିତିଥିଲେ ବି ରାଜ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୁଦ୍ଧରେ କୌଣସି ପଦକ୍ଷପ ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି
ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।
ଗତ ୧୨ ଦିନ ଧରି ତିର୍ତୋଲ ଉପନର୍ବାଚନରେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବେଆଇନ
ଭାବେ ନିଜ କ୍ଷମତାକୁ ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି । ଉପନିର୍ବାଚନ ପୂର୍ବରୁ ତାଙ୍କ ନାଁରେ ଶାସକ ଦଳ ସପକ୍ଷରେ
କାର୍ଯ୍ୟ କରୁଥିବାର ଅଭିଯୋଗ ଆସିବାରୁ ତାଙ୍କୁ ଜିଲ୍ଲାପାଳ ପଦବୀରୁ ହଟାଇ ଦିଆଯାଇଥିଲା । କିନ୍ତୁ ଏବେ ସେ ପୁଣିଥରେ ତିର୍ତୋଲରେ
ପହଂଚି ନିଜ ଆଧିପତ୍ୟ ଦେଖାଉଛନ୍ତି । ଅନ୍ୟ ବିଭାଗରେ ନିଯୁକ୍ତ ହେବା ପରେ ବି ଶ୍ରୀ ମହାପାତ୍ର ତିର୍ତୋଲରେ ପହଂଚି ନିର୍ବାଚନ ପ୍ରଚାରରୁ
ବିରତ ରହିବା ପାଇଁ ବିରୋଧୀ ବିଜେପି ଦଳର ନେତୃବୃନ୍ଦଙ୍କୁ ଧମକ ଦେଉଛନ୍ତି । କେବଳ ସେତିକି ନୁହେଁ ବିଜେଡିକୁ ଭୋଟ ନଦେଲେ
ସରକାରୀ ଯୋଜନାରୁ ନାଁ କାଟିଦେବାର ଭୟ ଗରିବ ଲୋକମାନଙ୍କୁ ଦେଖାଉଛନ୍ତି । ତିର୍ତୋଲ ନିର୍ବାଚନମଣ୍ଡଳୀରେ ଶ୍ରୀ ମହାପାତ୍ରଙ୍କ ଘର
ହୋଇଥିବାରୁ ସେ ସମସ୍ତ ସରକାରୀ ଅଧିକାରୀଙ୍କୁ ବିଜେଡି ସପକ୍ଷରେ କାମ କରିବା ପାଇଁ ତାଗିଦ୍ କରିବା ସହ ଖୁବଶୀଘ୍ର ସେ ପୁଣିଥରେ
ଜିଲ୍ଲାପାଳ ଭାବେ ଦାୟୀତ୍ୱ ନେବେ ବୋଲି ଖୋଲା ଖୋଲି ଭାବେ କହୁଛନ୍ତି । ସରକାରୀ ଅଧିକାରୀ ହୋଇ ଏକ ନିର୍ଦ୍ଦିଷ୍ଟ ଦଳ ପାଇଁ କାର୍ଯ୍ୟ
କରିବା ସଂପୂର୍ଣ୍ଣଭାବେ ବେଆଇନ । ଯଦି ବିଜେଡି ସପକ୍ଷରେ ପ୍ରଚାର କରିବାର ଅଛି ତେବେ ସଂଗ୍ରାମ ବାବୁ ସରକାରୀ ଚାକିରୀ ଛାଡି ଦଳ
ପାଇଁ ପ୍ରଚାର କରନ୍ତୁ । ପ୍ରଶାସନିକ ଅଧିକାରୀ ଭାବେ ସେ ଏଭଳି ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ
କରିବା ଘଟଣାକୁ ବିଜେପି କେବେ ବରଦାସ୍ତ କରିବ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏଭଳି ଏକ ଅପରାଧିକ କାର୍ଯ୍ୟରେ ସାମିଲ ଥିବା ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ରଙ୍କ ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଅଧିକାରୀ
ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ଏହି ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ସରକାରୀ ଦଳ
ଚାପରେ ଯଦି ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ଆଗାମୀ ଦିନରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ
ଅଭିଯୋଗରେ ରାଜ୍ୟ ବିଜେପି ପକ୍ଷରୁ ଜାତୀୟ ନିର୍ବାଚନ ଆୟୋଗ ଏବଂ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିପାର୍ଟମେଂଟ ଅଫ୍ ପର୍ସୋନେଲ୍
ଏଣ୍ଡ ଟ୍ରେନିଂ) ରେ ଅଭିଯୋଗ କରାଯିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।
(